ଛାନିଆରେ ଛାତି ଯନ୍ତ୍ରଣା? ଜେଲରେ ଗୋଟିଏ ରାତି କାଟିବା ପରେ ହସ୍ପିଟାଲ ଧାଇଁଲେ ପାଟଣାଗଡ ବିଧାୟକ

ଭୁୁବନେଶ୍ବର: ବିଗିଡିଲା ପାଟଣାଗଡ ବିଧାୟକଙ୍କ ସ୍ୱାସ୍ଥ୍ୟାବସ୍ଥା । ଗିରଫ ହେବା ପରେ ବିଧାୟକ ସରୋଜ ମେହେରଙ୍କ ହାଲତ ଖରାପ ହେଲା । ପାଟଣାଗଡ ଉପଖଣ୍ଡ କାରାଗାରରେ ସରୋଜଙ୍କ ଦେହ ଖରାପ ହେବା ପରେ ତାଙ୍କୁ ପାଟଣାଗଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ବିଧାୟକଙ୍କ ଛାତିରେ ଯନ୍ତ୍ରଣା ହେବା କାରଣରୁ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଜେଇଙ୍କୁ ଉଠବସ କରାଇବା ଅଭିଯୋଗରେ ଗତକାଲି ସରୋଜଙ୍କୁ ଗିରଫ କରିଥିଲା ପୋଲିସ । ନୂଆପଡାରୁ ବଲାଙ୍ଗିର ଆଣି ଗିରଫ କରିଥିଲା ପାଟଣାଗଡ ପୋଲିସ । ଏଡିଜେଙ୍କ କୋର୍ଟରେ ବିଧାୟକଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଗତକାଲି ଜେଲ ଯାଇଥିଲେ ସରୋଜ । ତେବେ ଜେଲରେ ଗୋଟିଏ ରାତି ରହିବା ପରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଛି । ଅସୁସ୍ଥତା କାରଣରୁ ତାଙ୍କୁ ଜେଲରୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ତେବେ ଅତୀତରେ ଯେବେ ବି କୌଣସି ରାଜନେତାଙ୍କୁ ଜେଲ ହୋଇଛି, ସେମାନଙ୍କ ଦେହ ଦିନେ ଦୁଇଦିନ ଭିତରେ ଖରାପ ହୋଇଛି । ବିଧାୟକ ହୁଅନ୍ତୁ କି ସାଂସଦ ଗିରଫ ହେବା କ୍ଷଣି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡିଯାଏ ଆଉ ସେମାନେ ଦେହ ବିଗିଡିବାର ବାହାନା କରି ଜେଲର ଚାରିକାନ୍ଥ ଭିତରୁ ବାହାରି ଆସନ୍ତି । କେହି କେହି ଗିରଫ ହେଉ ହେଉ ଅସୁସ୍ଥ ହୋଇପଡନ୍ତି ତ ଆଉ କେହି କେହି ଗିରଫ ପରେ ଜେଲରେ ପାଦ ଦେଉ ଦେଉ ଫାକାସ୍ ଗୁଡୁମ ହୋଇଯିବାର ଅଭିନୟ କରନ୍ତି ।

ଅନେକ ନେତାଙ୍କୁ ଜେଲର ଖାଦ୍ୟ ରୁଚୁନଥିବାରୁ ଭଲ ଖାଦ୍ୟ ଖାଇବା ବାହାନାରେ ହସ୍ପିଟାଲ ଆସିବାର ଫନ୍ଦି ଫିକର ଖୋଜନ୍ତି । ଜେଲରୁ ବାହାରି ପରବର୍ତ୍ତୀ ଶୁଣାଣି ଯାଏଁ ଆରାମରେ ମେଡିକାଲରେ ଫଳମୂଳ ଖାଇ ରୁହନ୍ତି । ତେବେ ଅତୀତରେ ଓଡିଶାର ସେହିଭଳି ୨ ଜଣଙ୍କ ନେତାଙ୍କୁ ବାହାନା କରି ହସ୍ପିଟାଲ ଆସିଥିବା ଦେଖିବାକୁ ମିଳିଛି । ଚିଟଫଣ୍ଡ ମାମଲାରେ ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହେବା ପରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ବିଗିଡିଥିଲା । ତାଙ୍କ ଛାତିରେ ଯନ୍ତ୍ରଣା ହେବା କାରଣରୁ ତାଙ୍କୁ ସଙ୍ଗେସଙ୍ଗେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେହିପରି ନିର୍ବାଚନ ସମୟରେ ପିପିଲିର ବାହୁବଳୀ ବିଧାୟକ ମଧ୍ୟ ଗିରଫ ପରେପରେ ଅସୁସ୍ଥ ହୋଇପଡିଥିଲେ । ଗିରଫ ପରେ ପ୍ରଦୀପ ମହାରଥୀ ଝାରପଡା ଜେଲ ଯାଇଥିଲେ ଆଉ ସେଠାରେ ସେ ଅସୁସ୍ଥ ହୋଇଥିଲେ ।

ତେବେ ଗିରଫ ପରେ ରାଜନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ଏକ ଅଘୋଷିତ ପ୍ରକ୍ରିୟା । ଯିଏ ବି ଗିରଫ ହେବ, ଯିଏ ବି ଜେଲ ଯିବ ତାଙ୍କ ଦେହ ଖରାପ ହେବାଟା ଥୟ । ତେଣୁ ବିଧାୟକ ସରୋଜ ମେହେର ଗିରଫ ହେବା ପରେ ଅନେକ ଲୋକ ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବ ବୋଲି ଭବିଷ୍ୟବାଣୀ ଦେଇ କଟାକ୍ଷ କରିଥିଲେ । ଆଉ ଆଜି ପାଟଣାଗଡ ବିଧାୟକ ନିଜ ଛାତିର ଯନ୍ତ୍ରଣା ପାଇଁ ହସ୍ପିଟାଲ ସ୍ଥାନାନ୍ତର ହୋଇଛନ୍ତି ।

ସମ୍ବନ୍ଧିତ ଖବର