ଆସି ପାରିଲାନି ଆମ୍ବୁଲାନ୍‌ସ : ରୋଗୀଙ୍କୁ ଷ୍ଟ୍ରେଚରରେ ବୋହିଲେ ଡାକ୍ତର

ଖଡ଼ିଆଳ : ଅପହଞ୍ଚ ଇଲାକାରେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍‌ସ ପହଞ୍ଚି ପାରିଲାନି। ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଡାକ୍ତର ନିଜେ ପାଦଚଲା ରାସ୍ତାରେ ଯାଇ ଗାଁରେ ପହଞ୍ଚିଲେ। ଶେଷରେ ସାଙ୍ଗରେ ନେଇଥିବା ଷ୍ଟ୍ରେଚରରେ ତାଙ୍କୁ ଆମ୍ବୁଲାନ୍‌ସ ପର୍ଯ୍ୟନ୍ତ ବୋହି ଆଣିବାରେ ସହାୟତା କଲେ। ଏଭଳି ଏକ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ କିରକିଟା ଗ୍ରାମ ପଂଚାୟତର କପୁରଗଡ଼ ଗାଁରେ।

କପୁରଗଡ଼ ଗାଁକୁ ରାସ୍ତା ନାହିଁ। ଏହି ଗାଁକୁ ଯିବା ପାଇଁ ୩ କିଲୋମିଟର ପାହାଡ଼ିଆ ରାସ୍ତାରେ ଚାଲି ଚାଲି ଯିବାକୁ ପଡ଼େ। ଗାଁରେ ୪୦ ଗୋଟି ଆଦିବାସୀ ପରିବାର ବସବାସ କରୁଥିବା ବେଳେ ସମସ୍ତ ସୁବିଧା ଅପହଂଚ ହୋଇ ରହିଛି। ଶନିବାର ଏହି ଗାଁର ଭକାଲୁ ମାଝୀଙ୍କ ସ୍ତ୍ରୀ ପୁନିତ ମାଝୀଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହେଲା। ଏନେଇ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଫୋନ ଯୋଗେ ସୂଚନା ଦିଆ ଯାଇଥିଲା। ସାଙ୍ଗେ ସାଙ୍ଗେ ଖଡ଼ିଆଳ ସିଏଚ୍‌ସିର ଆୟୁଷ ଡାକ୍ତର ଆଦିତ୍ୟ ନାରାୟଣ ଯୋଶୀ ଏବଂ ଗୋଷ୍ଠି ସ୍ୱାସ୍ଥ୍ୟ ପ୍ରବନ୍ଧକ ସେଖ ୱାସିମ ରାଜାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ପାହାଡ଼ ତଳକୁ ପହଂଚିଥିଲେ। ପାହାଡ଼ ଉପରୁ ସ୍ୱାସ୍ଥ୍ୟ ବିଭାଗ ଷ୍ଟେଚର ଦ୍ୱାରା ଦୋଳା ବାନ୍ଧି ଗର୍ଭବତୀ ପୁନିତ ମାଝୀଙ୍କୁ ୩ କିଲୋମିଟର ବୋହି ଅଣାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ପରେ ତାଙ୍କୁ ଉଚ୍ଚତର ଚିକିତ୍ସା ଆବଶ୍ୟକ ଥିବାରୁ ତାଙ୍କୁ ତୁରନ୍ତ ନୂଆପଡ଼ା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଡାକ୍ତର ଯୋଶୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର