ଡାକ୍ତର-ଡାକ୍ତରାଣୀ କଳି: ରୋଗୀଙ୍କ ଜୀବନଗଲା

ନିଅାଁ ଜାଳି ରାସ୍ତା ଅବରୋଧ, ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କ ତଦନ୍ତ ନିର୍ଦେଶ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଦୁଇ ଜଣ ଡାକ୍ତର ଓ ଡାକ୍ତରାଣୀଙ୍କ ମଧ୍ୟରେ କଳି ଜଣେ ଯୁବକ ରୋଗୀଙ୍କ ପାଇଁ କାଳ ହୋଇଛି। ଚିକିତ୍ସା କରିବାକୁ ନେଇ ଉଭୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଚାଲିବାରୁ ଉପଯୁକ୍ତ ଚିକିତ୍ସା ସେବା ନପାଇ ଜଣେ ରୋଗୀଙ୍କ ଜୀବନ ଗଲା ବୋଲି ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଢେଙ୍କାନାଳ-ଗଁଦିଆ ରାସ୍ତାର ବିଧାରପୁର ଛକଠାରେ ଶବ ରଖି ରାସ୍ତା ଅବରୋଧ କରିବା ସହ ଦୁଇ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ମୃତ ଯୁବକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଲାଗି ସେମାନେ ଦାବି କରିଥିଲେ। ଜିଲ୍ଲାପାଳ ଘଟଣାର ତଦନ୍ତ ଲାଗି ନିର୍ଦେଶ ଦେଇଛନ୍ତି।

ମୃତ ରୋଗୀଜଣକ ହେଉଛନ୍ତି ଗଁଦିଆ ଥାନା ଗୁଣ୍ଡୁରାପଶି ଗ୍ରାମର କୈଳାସ ସାହୁଙ୍କ ପୁଅ ତ୍ରୈଲୋକ୍ୟ ସାହୁ(୩୫)। ଆଜି ସକାଳେ ତାଙ୍କ ଜମିରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ସେ ଜଳଖିଆ ନେଇ ଯାଉଥିଲେ। ରାସ୍ତାରେ ତାଙ୍କର ହଠାତ୍‌ ଦେହ ଅସୁସ୍ଥ ହୋଇ ପଡ଼ିଥିଲା। ସେ ଏକ ଗଛମୂଳେ ଶୋଇ ଯାଇଥିଲେ। ଖବର ପାଇ ପରିବାର ଲୋକେ ତାଙ୍କୁ ପ୍ରଥମେ ଗଁଦିଆ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ସକାଳ ୧୦ଟା ୨୦ମିନିଟ୍‌ରେ ମୁଖ୍ୟ ଚିକିତ୍ସାଳୟକୁ ତ୍ରୈଲୋକ୍ୟଙ୍କୁ ଅଣାଯାଇଥିଲା। ପରିବାର ଲୋକଙ୍କ କହିବା ଅନୁସାରେ, ସେତେବେଳକୁ ଆଉଟ୍‌ ଡୋର୍‌ରେ ତାଙ୍କୁ ଦେଖାଯାଇଥିଲା। ଏହି ସମୟରେ ଆଉଟ୍‌ ଡୋର୍‌ରେ ଜଣେ ଡାକ୍ତର ଚିକିତ୍ସା ଦାୟିତ୍ୱରେ ଥିଲେ। କିନ୍ତୁ ଚିକିତ୍ସା କରିବା ପରିବର୍ତ୍ତେ ସେ ସିଧାସଳଖ ଭେଷଜ ଓ୍ଵାର୍ଡକୁ ପଠାଇ ଦେଇଥିଲେ। ଭେଷଜ ଓ୍ଵାର୍ଡ ପରିଦର୍ଶନରେ ଥିବା ଡାକ୍ତରାଣୀ ସଂଜ୍ଞା ଦାସ ତୈ୍ରଲୋକ୍ୟଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପରିବର୍ତ୍ତେ ଆଉଟ୍‌ ଡ଼ୋର୍‌ରେ ଦେଖାଇଥିବା ଡାକ୍ତରଙ୍କୁ ଦେଖାଇବାକୁ ପରାମର୍ଶ ଦେଇଥିଲେ। ତେଣୁ ପରିବାର ଲୋକେ ପୁଣି ଥରେ ଆଉଟ୍‌ଡୋର୍‌କୁ ଯାଇ ସଂପୃକ୍ତ ଡାକ୍ତରଙ୍କୁ ଡାକି ଭେଷଜ ବିଭାଗକୁ ନେଇଥିଲେ। ଏହି ସମୟରେ ଉଭୟ ଡାକ୍ତର ଓ ଡାକ୍ତରାଣୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଭେଷଜ ଓ୍ଵାର୍ଡ଼କୁ ଆସି କାହିଁକି ଚିକିତ୍ସା କରୁ ନାହଁ ବୋଲି ଓ୍ଵାର୍ଡ ପରିଦର୍ଶନରେ ଥିବା ଡାକ୍ତରାଣୀଙ୍କୁ ଡାକ୍ତର ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟ ଡାକ୍ତର ଓ ଡାକ୍ତରାଣୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଦୁଇ ଡାକ୍ତରଙ୍କ ଝଗଡ଼ା ମଧ୍ୟରେ ଦିନ ପ୍ରାୟ ୧୦ଟା ୫୭ମିନିଟ୍‌ରେ ତ୍ରୈଲୋକ୍ୟଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ତୈ୍ରଲୋକ୍ୟଙ୍କ ମୃତ୍ୟୁର କାରଣ ଚିକିତ୍ସା ଅବହେଳା ବୋଲି ପରିବାର ଲୋକେ ଖୋଲାଖୋଲି ଅଭିଯୋଗ କରିଛନ୍ତି। ତ୍ରୈଲୋକଙ୍କ ଶବ ଗ୍ରାମକୁ ନେବା ପରେ ସେଠାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା।

ଉତ୍ତ୍ୟକ୍ତ ଲୋକେ ଅପରାହ୍‌ଣ ପ୍ରାୟ ସାଢ଼େ ୩ଟା ବେଳେ ଢେଙ୍କାନାଳ-ଭୁବନ ରାସ୍ତାର ବିଧାରପୁର ଛକଠାରେ ଶବକୁ ରଖିବା ସହିତ ଟାୟାର୍‌ ଜାଳି ରାସ୍ତା ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର