ମେଡିକାଲ ପାଇଖାନାରୁ ରୋଗୀର ଶବ ଉଦ୍ଧାର

ରାୟଗଡା : ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସର୍ଜରି ୱାର୍ଡ ପାଇଖାନାରୁ ରାମନାଥ ସାମଲ (୬୫)ଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ଅପରାହ୍ନରେ ମେଡିକାଲ୍ କର୍ତୃପକ୍ଷ ଘଟଣା ସଂପର୍କରେ ଜାଣିବା ପରେ ଟାଉନ୍ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ସଂରକ୍ଷଣ ଗୃହରେ ରଖିଛି।

ସୂଚନାନୁଯାୟୀ, ରାୟଗଡା ବ୍ଲକ୍ ସାନଚାନ୍ଦିଲି ଗ୍ରାମର ରାମନାଥ ପେଟ ରୋଗରେ ଆକ୍ରାନ୍ତ ଥିବା ଯୋଗୁ ଚିକିତ୍ସା ପାଇଁ ଗତ ୧୮ତାରିଖରେ ମେଡିକାଲରେ ଭର୍ତି ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ପରିବାର ଲୋକଙ୍କୁ ଅପେକ୍ଷା କରି ରାମନାଥ ମେଡିକାଲ୍ ବେଡରେ ପଡି ରହିଥିଲେ। ଗତକାଲି ପୂର୍ବାହ୍ନରେ ରାମନାଥ ଶୌଚ ପାଇଁ ସର୍ଜରି ୱାର୍ଡ ପାଇଖାନାକୁ ଯାଇଥିଲେ। କିନ୍ତୁ ଆଉ ବେଡକୁ ଫେରିନଥିଲେ। ଗୋଡ ଖସିବା କାରଣରୁ କିମ୍ବା ଅନ୍ୟ କେଉଁ କାରଣ ଯୋଗୁ ରାମନାଥଙ୍କ ପାଇଖାନା ଭିତରେ ମୃତ୍ୟୁ ହୋଇଥିବା ବେଳେ ଗତକାଲିଠୁ ଆଜି ପର୍ଯ୍ୟନ୍ତ କେହି ତାଙ୍କର ଖୋଜ ଖବର ପାଇନଥିଲେ। ଆଜି ଅପରାହ୍ନରେ ଶୌଚ ହେବା ପାଇଁ ଜଣେ ରୋଗୀ ଯାଇଥିବା ବେଳେ ଘଟଣା ସଂପର୍କରେ ଜାଣି ମେଡିକାଲ୍ କର୍ତୃପକ୍ଷଙ୍କୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର