କେନ୍ଦୁଝର: ଥରେ କି ଦୁଇଥର ନୁହେଁ। ବାରମ୍ବାର ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ ଓ ଗୁରୁତର ରୋଗୀ। ପ୍ରତିବର୍ଷ ବର୍ଷାଦିନେ ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଘଟଣା ବାରମ୍ବାର ଗଣମାଧ୍ୟମ ପୃଷ୍ଠାମଣ୍ଡନ କରୁଛି। ହେଲେ ଅବସ୍ଥାରେ ସୁଧାର ଆସୁନି। ଏଭଳି ଏକ ଗ୍ରାମ ହେଉଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଉପରରାୟଗୋଡ଼ା ପଞ୍ଚାୟତର ଛଡ଼ାଡ଼ିହି। ଆମ୍ବୁଲାନ୍ସ ନଆସିବାରୁ ଆଜି ପୁଣି ଏହି ଗ୍ରାମର ନାମସି ମୁଣ୍ଡା ନାମକ ଜଣେ ଅସୁସ୍ଥ ମହିଳା ଖଟିଆରେ ବୁହା ହୋଇ ଡାକ୍ତରଖାନା ଯାଇଛନ୍ତି। ଛଡ଼ାଡ଼ିହି ଗାଁକୁ ସବୁଦିନିଆ ରାସ୍ତା ନଥିବାରୁ ବର୍ଷ ତମାମ ସ୍ଥାନୀୟ ଲୋକେ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଜି ଏହି ଗ୍ରାମର ସୁରେଶ ମୁଣ୍ଡାଙ୍କ ପତ୍ନୀ ନାମସି (୪୦) ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଆମ୍ବୁଲାନ୍ସ ନ ଆସିବାରୁ ଗାଁ ଲୋକେ ବାଧ୍ୟ ହୋଇ ତାଙ୍କୁ ଏକ ଖଟିଆରେ ବୋହି ନେଇଥିଲେ। ଗାଁରୁ ୫ କିମି ଦୂର ରଇଗୋଡ଼ା ପର୍ଯ୍ୟନ୍ତ ନେବା ପରେ ସେଠାରୁ ଆମ୍ବୁଲାନ୍ସରେ ନାମସିଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା।
/sambad/media/post_attachments/wp-content/uploads/2019/09/zdbvsfbhdfbndgndfyjnfgnfgnfn-1.jpg)
ଏହି ରାସ୍ତାରେ ଛଅମାସ ତଳେ ପଦ୍ମୀନି ଦେହୁରୀ ନାମକ ଜଣେ ମହିଳା ପ୍ରସବ ପାଇଁ ହସ୍ପିଟାଲ ଯାଉଥିଲେ। ତାଙ୍କୁ ମଧ୍ୟ ଖଟିଆରେ ନିଆଯାଉଥିଲା। ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ବାଟରେ ହିଁ ତାଙ୍କର ପ୍ରସବ ହୋଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାସ୍ତା ନିର୍ମାଣ କରିବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ଆଜି ଯାଏ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ। ଆଜିର ଘଟଣା ପୁଣିଥରେ ପ୍ରଶାସନିକ ଅବହେଳାକୁ ଲୋକଲୋଚନକୁ ଆଣିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/Ambulance-Problems-Still-Happening_Thumbnail.jpg)