ପାଟକୁରା ନିର୍ବାଚନ : କିଏ ପାଇବେ ଅନୁକମ୍ପା?

(ପାଟକୁରାରୁ କୃଷ୍ଣ ପ୍ରସାଦ ଦାସ), ଦ୍ବନ୍ଦ୍ବ ଯେତିକି ଦ୍ବିଧା ବି ସେତିକି। ନିଷ୍ପତ୍ତି ନେବାର ଦିନ ଯେତିକି ପାଖେଇ ଆସୁଛି ପାଟକୁରା ଭୋଟରଙ୍କ ମତିଗତିକୁ ନେଇ ଆକଳନ ଅନିଶ୍ଚିତତାର ଅଳନ୍ଦିରେ ସେତିକି ଛନ୍ଦି ହୋଇଯାଉଛି। କାହାକୁ ଢାଳିବେ ‘ଅନୁକମ୍ପା’? କାହା ପ୍ରତି ରହିବ ସେମାନଙ୍କ ଆଶୀର୍ବାଦ?

ପାଟକୁରା ନିର୍ବାଚନ ମଇଦାନରେ ୬ ଜଣ ପ୍ରାର୍ଥୀ ରହିଥିଲେ ବି କେବଳ ଦୁଇଟି ମୁହଁ ଏବେ ସମସ୍ତଙ୍କ ସାମନାରେ ଜଳଜଳ ହୋଇ ସ୍ପଷ୍ଟ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଏବଂ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର। ଉଭୟଙ୍କ ମଧ୍ୟରେ ଏକପ୍ରକାର ସିଧାସଳଖ ଲଢେଇ। ପୋଷ୍ଟର, ପ୍ରଚାର ଆଉ ଶକ୍ତି ପ୍ରଦର୍ଶନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ସବୁ ଅଞ୍ଚଳରେ ଚାଲିଛି କଡା ଟକ୍କର। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ପୋଷ୍ଟର ବ୍ୟାନର କାଁ ଭାଁ କେତେକ ସ୍ଥାନରେ ଦେଖିବାକୁ ମିଳୁଛି। ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନ ମଣ୍ଡଳୀ ସୀମାକୁ ଲାଗି ରହିଥିବା ପାଟକୁରା ନିର୍ବାଚନ ମଣ୍ଡଳୀର ନୂଆପଡାରୁ ଆରମ୍ଭ କରି ଗରଦପୁର, ମାର୍ଶାଘାଇ, ଡେରାବିଶର ବିଭିନ୍ନ ଅଞ୍ଚଳ ବୁଲିଲା ପରେ ତିଲକପୁର ଗଡାରେ ଗଡିଲା ବେଳକୁ ଯାଇ ନଜରରେ ପଡି ଥିଲା କଂଗ୍ରେସ ପତାକା। ଲୋ‌କ କହିଥିଲେ, ‘ଆଜି ନିରଂଜନ ପଟ୍ଟନାୟକ, ନରସିଂହ ମିଶ୍ର, ସୁରେଶ ରାଉତରାୟ.. ଆସିଥିଲେ ତ, ସେଥିପାଇଁ କଂଗ୍ରେସ ପତାକା ଲାଗିଛି।’ ଚାନ୍ଦୋଳ ନିକଟରେ ଅଫିସ ଉଦଘାଟନ ପାଇଁ କିଛି କଂଗ୍ରେସ ଲୋକଙ୍କୁ ଟୋପି ପିନ୍ଧି ଭିଡ ଜମାଇଥିବାର ଅବଶ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ କଂଗ୍ରେସ ପ୍ରାର୍ଥୀଙ୍କ ତୁଳନାରେ ଚକଲେଟ ଚିହ୍ନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସ୍ବାଧୀନ ପ୍ରାର୍ଥୀ ରତିକାନ୍ତ କାନୁନଗୋଙ୍କ ପୋଷ୍ଟର ଅଧିକ ଦେଖିବାକୁ ମିଳୁଥିବା ବେଳେ ବାଲଟି ଚିହ୍ନରେ ଲଢୁଥିବା ସ୍ବାଧୀନ ପ୍ରାର୍ଥୀ ପ୍ରଫୁଲ୍ଲ ବେହେରାଙ୍କ ପୋଷ୍ଟର ବି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା।

ପ୍ରାର୍ଥୀଙ୍କ ସଂପର୍କରେ ପଚାରିଲେ ଜଣେ ବରିଷ୍ଠ ନାଗରିକଙ୍କର ମନ୍ତବ୍ୟ ଥିଲା, ‘ପାଟକୁରା ଏବେ ଅଧା ଅଧା। ଶଙ୍ଖ ଆଉ ଫୁଲ। ଆଉ କାହାର ପତ୍ତା ନାହିଁ।’ ସାଧାରଣ ନିର୍ବାଚନ ସମୟରୁ ଦୁଇ ଦୁଇ ଥର ତାରିଖ ବାତିଲ ହୋଇ ପାଟକୁରା ରାଜନୀତି ଯେଭଳି ଜଟିଳ ହୋଇଛି, ତା’ ଠାରୁ ସ୍ଥିତିକୁ ଅଧିକ ଜଟିଳ କରୁଛି ନିର୍ବାଚନ ମଣ୍ଡଳୀର ଭୌଗୋଳିକ ପରିସୀମା। ଗରଦପୁର ବ୍ଲକର ୧୮, ମାର୍ଶାଘାଇ ବ୍ଲକର ୭ ଏବଂ ଡେରାବିଶ ବ୍ଲକର ୨୬ଟି ପଂଚାୟତକୁ ନେଇ ଗଠିତ ହୋଇଛି ପାଟକୁରା ନିର୍ବାଚନ ମଣ୍ଡଳୀ। ସାଧାରଣ ନିର୍ବାଚନ ସମୟରେ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଡେରାବିଶ ବ୍ଲକ ଆଗୁଆ କରିଥିବା ବେଳେ ବିଜେପି ସାଂସଦ ପ୍ରାର୍ଥୀଙ୍କୁ ଗରଦପୁର ଓ ମାର୍ଶାଘାଇ ବ୍ଲକ ଆଗୁଆ କରିଥିଲା। କିନ୍ତୁ ମୋଟାମୋଟି ଭାବେ ପାଟକୁରାରୁ ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଠାରୁ ଆଗରେ ରହିଥିଲେ।

କିନ୍ତୁ ଭିନ୍ନ ପରିପ୍ରେକ୍ଷୀ ଆଉ ପରିସ୍ଥିତିରେ ଏବେ ପାଟକୁରା ଭୋଟ ହେବାକୁ ଯାଉଥିବା ବେଳେ ଦ୍ବନ୍ଦ୍ବ ଆଉ ଦ୍ବିଧାର ଦୋଛକିରେ ଛିଡା ହୋଇଛନ୍ତି ପାଟକୁରା ଭୋଟର। ବିଜୟ ମହାପାତ୍ର ସ୍ବାଭିମାନ ପାଇଁ ଶେଷ ଲଢେଇ ଲଢୁଛନ୍ତି ବୋଲି ଆହ୍ବାନ ଦେଇ ମତଦାତାଙ୍କ ସମର୍ଥନ ଆଉ ଅନୁକଂପା ଲୋଡ଼ୁ ଥିବା ବେଳେ ସାବିତ୍ରୀ ଅଗ୍ରୱାଲ ତାଙ୍କର ଦିବଂଗତ ସ୍ବାମୀ ପୂର୍ବତନ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କୁ ସାମନାରେ ରଖି ଅନୁକଂପା ଲୋଡୁଛନ୍ତି।

ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସମସ୍ୟା, ଆଞ୍ଚଳିକ ବିକାଶକୁ ନେଇ ଉଠୁଥିବା ପ୍ରଶ୍ନ ପଛକୁ ଠେଲି ହୋଇଯାଇଛି। ବିଜୟ ମହାପାତ୍ରଙ୍କ ଗାଁ ତଳକୁସୁମାକୁ କଳାବୁଦା ବାରୁଣି ବଜାରରୁ ଯିବା ବେଳେ ରାସ୍ତାରେ ସୃଷ୍ଟି ହୋଇଥିବା ଗାଡ଼ ଗୁରୁତ୍ବହୀନ ହୋଇ ପଡିଛି। ଚାନ୍ଦୋଳ ଅଞ୍ଚଳରେ କାଳିଆ ଯୋଜନାରେ ଟଙ୍କା ପାଇ ନଥିବା ବ୍ୟକ୍ତି କ୍ଷୋଭ ପ୍ରକାଶ କରୁଥିଲେ ବି ତାଙ୍କ ସହିତ ବସିଥିବା ବ୍ୟକ୍ତି ସେହି ପ୍ରସଙ୍ଗକୁ ସେତିକି ଗୁରୁତ୍ବ ଦେଉ ନାହାନ୍ତି। ରାଜ୍ୟରେ ନବୀନ ଅଥବା କେନ୍ଦ୍ରରେ ମୋଦୀକୁ ନେଇ ତର୍କ ଅପ୍ରାସଙ୍ଗିକ ହୋଇ ପଡିଛି। ବର୍ତ୍ତମାନ ସ୍ଥିତିରେ ବେଦ ପ୍ରକାଶଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ସାବିତ୍ରୀ ଅଗ୍ରୱାଲଙ୍କୁ ଭୋଟ ଦେବେ ନା ବିଜୟଙ୍କ ଶେଷ ଲଢେଇ ଆହ୍ବାନରେ ସାମିଲ ହେବେ… ପାଟକୁରାବାସୀ କେବଳ ସେତିକି ବିଚାର କରୁଛନ୍ତି।

ଭୋଟରଙ୍କୁ କଳ ବଳ କୌଶଳ ଖଟାଇ ନିଜ ପଟକୁ ନେବା ପାଇଁ ଅବଶ୍ୟ ଦୁଇ ଦଳର ପ୍ରମୁଖ ନେତା ସାରା ନିର୍ବାଚନ ମଣ୍ଡଳୀରେ ଛାଇ ଯାଇଛନ୍ତି। ଆଜି ପାଟକୁରାର ବିଭିନ୍ନ ସ୍ଥାନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରମିଳା ମଲ୍ଲିକ, ଦେବୀ ମିଶ୍ର, ଦିବ୍ୟଶଙ୍କର ମିଶ୍ର, ଶଶୀଭୂଷଣ ବେହେରା, ଅତନୁ ସବ୍ୟସାଚୀ ନାୟକ, ପ୍ରଭାତ ରଂଜନ ବିଶ୍ବାଳ, ଅନୁଭବ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ନେତା ପ୍ରଚାରରେ ସାମିଲ ହୋଇଥିବା ବେଳେ ବିଜେପି ପ୍ରାର୍ଥୀଙ୍କ ପାଇଁ ଅଣ୍ଟା ଭିଡିଥିଲେ ବସନ୍ତ ପଣ୍ଡା, ସୁରେଶ ପୂଜାରି, ଅପରାଜିତା ଷଡଙ୍ଗୀ, ଶ୍ରୀତମ ଦାସ, ପିଙ୍କି ପ୍ରଧାନଙ୍କ ଭଳି ବରିଷ୍ଠ ନେତା ଓ ଅଭିନେତା।

ନେତା, ଅଭିନେତା ଏଭଳି ହାଉଯାଉ ହେବାକୁ ନେଇ ଅନେକ ଭୋଟର କିନ୍ତୁ ବୀତସ୍ପୃହ। ଗରଦପୁର ବଜାର ଉପରେ ଜଣେ ବ୍ୟବସାୟୀ ଅତ୍ୟନ୍ତ କ୍ଷୋଭର ସହ କହିଥିଲେ, ‘ଏଠି ରଥ ଦାଣ୍ଡରେ ଯେଭଳି କୋଟି କୋଟି ଟଙ୍କା ମୂଲ୍ୟ ଗାଡିର ଲମ୍ବା ଲାଇନ ଲାଗୁଛି, ତା’ର ଉଦ୍ଦେଶ୍ୟ କ’ଣ? ଗୋଟାଏ ଲୋକକୁ ହରାଇବାକୁ ଏତେ କସରତ କାହିଁକି? ସିଏ ଜିତିଲେ କ’ଣ ସରକାର ଭାଙ୍ଗି ଯିବ? ଆମେ ଚାହୁଁଛୁ, ସିଏ ବିଧାନସଭାକୁ ଯାଆନ୍ତୁ, ସେଠି ସାପ କି ବେଙ୍ଗ ଅଛି, ତାକୁ ସାମନାକୁ ଆଣନ୍ତୁ।’

ଗରଦପୁର, ମାର୍ଶାଘାଇ ପଟେ ଏଭଳି କିଛି ମତାମତ ଶୁଣିବାକୁ ମିଳିଥିବା ବେଳେ ଚାନ୍ଦୋଳ, ପଲେଇ ଭଳି ଡେରାବିଶର ବିଭିନ୍ନ ଅଞ୍ଚଳରେ କିନ୍ତୁ ଭିନ୍ନ ସ୍ବର ଶୁଣିବାକୁ ମିଳିଥିଲା। ପଲେଇ ବଜାରରେ ତାସ ପାଲିରେ ବସିଥିବା କିଛି ବୟସ୍କ ଲୋକ ଖୋଲାଖୋଲି କହିଥି‌େଲ, ‘ଇଏ ବିଜେଡି ଗଡ଼। ବିଜେଡି ପୁଣି ବାଜିମାତ କରିବ।’

ଏଭଳି ପ୍ରଚାରର ଘୋଘା’ ଭିତରେ ପାଟକୁରାବାସୀ କିନ୍ତୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ନିଷ୍ପତ୍ତି ଦେବାର ଦିନକୁ। ଗଣିତ କହୁଛି ଡେରାବିଶ ଅଛି ବିଜେଡି ପଟେ, ଗରଦପୁର-ମାର୍ଶାଘାଇ ବିଜେପି ପଟେ। ହିସାବ ନିକାଶର ଫଳାଫଳ ଇଭିଏମରୁ କିଭଳି ବାହାରିବ, ତାହାକୁ ନେଇ କିନ୍ତୁ ସମସ୍ତେ ଆଶଙ୍କାରେ।

ସମ୍ବନ୍ଧିତ ଖବର