ପାଟକୁରା ରଣନୀତି : ଅଙ୍କକଷାରେ ମାତିଛନ୍ତି ବିଜେଡି, ବିଜେପି

ଲୋକସଭାରେ ବିଜେଡି ପାଇଥିଲା ଅଧିକ ୬ହଜାର, ଗରଦପୁର ଓ ମାର୍ଶାଘାଇରେ ବିେଜପିକୁ ମିଳିଥିଲା ଅଧିକ

କଟକ : କିଏ ଜିତିବ ପାଟକୁରା ବାଜି? ସାରା ରାଜ୍ୟର ନଜର ଏବେ ପାଟକୁରା ନିର୍ବାଚନ ଉପରେ। ନିର୍ବାଚନ ମଇଦାନରେ ୬ ଜଣ ପ୍ରାର୍ଥୀ ରହିଥିଲେ ବି ବାସ୍ତବ ସ୍ଥିତି ଯାହା ସେଥିରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଓ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ଏକପ୍ରକାର ସ୍ପଷ୍ଟ। କଳ ବଳ କୌଶଳ ଖଟାଇବାରେ ଦୁଇ ଦଳର ପ୍ରାର୍ଥୀ କେହି କାହାକୁ ବର୍ତ୍ତମାନ ସ୍ଥିତିରେ ଉଣା ନଥିବା ବେଳେ ଅନ୍ୟ ପ୍ରାର୍ଥୀମାନେ ଏକପ୍ରକାର ବାଟ ଛାଡି ଦେବା ଭଳି ଅନୁଭବ ହେଉଛି।

ଗଲା ଏପ୍ରିଲ ୨୯ରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ପାଟକୁରାବସୀ ଯେଉଁ ଜନାଦେଶ ଦେଇଥିଲେ ସେଥିରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ମିଳିଥିଲା ୮୫ ହଜାର ୨୨୮ ଭୋଟ। ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୭୮ ହଜାର ୯୦୫ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ପାଇଥିଲେ ୮ ହଜାର ୮୦ ଖଣ୍ଡ ଭୋଟ। ଅର୍ଥାତ ବିଜେଡି ଓ ବିଜେପି ଭିତରେ ଭୋଟ ବ୍ୟବଧାନ ରହିଥିଲା ୬ ହଜାର ୩୨୩। ପାଟକୁରା ନିର୍ବାଚନ ମଣ୍ଡଳୀର ବ୍ଲକ ଭିତ୍ତିରେ ଭୋଟକୁ ସମୀକ୍ଷା କଲେ ବିଜେପି ଗରଦପୁର ବ୍ଲକର ୧୮ ପଂଚାୟତ ଓ ମାର୍ଶାଘାଇ ବ୍ଲକର ୭ ପଂଚାୟତରେ ପାଖାପାଖି ୩ ହଜାର ଭୋଟ ଅଧିକ ପାଇଥିବା ବେଳେ ଡେରାବିଶ ବ୍ଲକର ୨୬ ପଂଚାୟତରେ ବିଜେଡି ପାଇଥିଲା ପାଖାପାଖି ୯ ହଜାର ଭୋଟ ଅଧିକ। ମୋଟ ଉପରେ ବିଜେଡି-ବିଜେପି ବ୍ୟବଧାନ ରହିଥିଲା ୬ ହଜାର ୩୨୩। ଅଢେଇ ମାସ ପରେ ହେଉଥିବା ବିଧାନସଭା ନିର୍ବାଚନରେ ଏହି ଭୋଟ କାଏମ ରହିବ କି? ବର୍ତ୍ତମାନର ଏହା ହେଉଛି ସବୁଠାରୁ ବଡ ପ୍ରଶ୍ନ।

ଯଦିଓ ମାତ୍ର ଅଢେଇ ମାସ ବ୍ୟବଧାନରେ ପାଟକୁରାରେ ନିର୍ବାଚନ ହେଉଛି କିନ୍ତୁ ପରିସ୍ଥିତିରେ ଅନେକ ପରିବର୍ତ୍ତନ ଘଟିଛି। ପ‌ରଲୋକଗତ ପୂର୍ବତନ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ସ୍ବାଭିମାନର ଆହ୍ବାନ ଦେଇ ବିଜୟ ମହାପାତ୍ର ବିଜେପି ପ୍ରାର୍ଥୀ ଭାବେ ଭାଗ୍ୟ ପରୀକ୍ଷା କରୁଛନ୍ତି। ଉଭୟ ଅନୁକଂପାକୁ ଆୟୁଧ କରି ନିର୍ବାଚନ ଲଢୁଛନ୍ତି। ଏଭଳି ସ୍ଥିତିରେ ୨୦୧୪ରେ ଦ୍ବିତୀୟ ପ୍ରମୁଖ ଶକ୍ତି ଥିବା କଂଗ୍ରେସ ଏକପ୍ରକାର ହାତ ଟେକି ଦେଇ ବସିବା ଘଟଣା ନିର୍ବାଚନ ଫଳାଫଳକୁ ଅଧିକ ରୋଚକ କରିବାର କ୍ଷେତ୍ର ପ୍ରସ୍ତୁତ କରିଛି। ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୪୨ ହଜାର ୧୩୮ ଭୋଟ ପାଇଥିଲେ। ସେ ଏଥର ମଧ୍ୟ ପ୍ରତିଦ୍ବନ୍ଦ୍ବିତାରେ ଅଛନ୍ତି। କିନ୍ତୁ ପ୍ରଚାରରେ ଶକ୍ତି ନ ଖଟାଇବା, ଏମିତିକି ପୋଷ୍ଟର ବ୍ୟାନର ଲଢେଇରେ ବି ନ ଉତୁରିବା ଘଟଣାରୁ ଏବେ ଏହି କଂଗ୍ରେସ ଭୋଟ କାହା ପଟକୁ ଯିବ, ତାହା ସମସ୍ତଙ୍କ ପାଇଁ ଉତ୍କଣ୍ଠାର କାରଣ ହୋଇଛି।

ଅବଶ୍ୟ ଲୋକସଭା ନିର୍ବାଚନ ଫଳାଫଳରୁ ଏହା କିଛିଟା ସ୍ପଷ୍ଟ ହୋଇ ସାରିଛି। କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ୨୦୧୪ରେ ପାଟକୁରାରୁ ୩୯ ହଜାର ୯୧୫ ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୯ ନିର୍ବାଚନରେ ଶ୍ରୀ ନାୟକ ପାଇଛନ୍ତି ମାତ୍ର ୮ ହଜାର ୮୦ ଖଣ୍ଡ ଭୋଟ। ୨୦୧୪ରେ ବିଜେଡି ପ୍ରାର୍ଥୀ ଭାବେ ବୈଜୟନ୍ତ ପଣ୍ଡା ପାଟକୁରାରୁ ୯୨ ହଜାର ୪୫୮ ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୯ରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ପାଇଛନ୍ତି ୮୫ ହଜାର ୨୨୮ ଖଣ୍ଡ ଭୋଟ। ସେହିଭଳି ୨୦୧୪ରେ ବିଜେପି ପ୍ରାର୍ଥୀ ଭାବେ ମାନସ ମହାନ୍ତି ୨୧ ହଜାର ୫୮୮ ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୯ରେ ବିଜେପି ପ୍ରାର୍ଥୀ ‌ଭାବେ ବୈଜୟନ୍ତ ପଣ୍ଡା ପାଇଛନ୍ତି ୭୮ ହଜାର ୯୦୫ ଖଣ୍ଡ ଭୋଟ। ଦଳୀୟ ଭିତ୍ତିରେ ହିସାବ କହୁଛି ଯେ ବିଜେପିର ଭୋଟ ବହୁ ଅଧିକ ବଢି ଯାଇଥିବା ବେଳେ ବିଜେଡି ଏବଂ କଂଗ୍ରେସ ଭୋଟ ହ୍ରାସ ପାଇଛି।

ପୁରୁଣା ନିର୍ବାଚନ ଫଳାଫଳର ରେକର୍ଡ ସ୍ଥିତି ସଂପର୍କରେ କିଛିଟା ସୂଚନା ଦିଏ ସତ, କିନ୍ତୁ ମାସକ ବ୍ୟବଧାନରେ ହେଉଥିବା ନିର୍ବାଚନର ଫଳାଫଳ ବି ସଂପୂର୍ଣ୍ଣ ଓଲଟା ଚିତ୍ର ଦେବାର ଅନେକ ରେକର୍ଡ ରାଜନୀତିରେ ରହିଛି। ସେହି ହିସାବନିକାଶରେ ଉଭୟ ବିଜେଡି ଓ ବିଜେପି ପାଟକୁରା ଦଖଲ ପାଇଁ ଅଣ୍ଟା ଭିଡିଛନ୍ତି। ହାତରେ ଆଉ ମାତ୍ର ୪ ଦିନ ରହିଥିବା ବେଳେ ବିଜେଡି, ବିଜେପିର ନେତା, କର୍ମୀ ଏବେ ପଂଚାୟତ, ଗାଁ ଆଉ ୱାର୍ଡ ଜଗି ସ୍ଥିତି ସୁରକ୍ଷିତ ରଖିବା ଅଭିଯାନ ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର