କ୍ରାଇମ୍‌ବ୍ରାଞ୍ଚ ରିମାଣ୍ଡରେ ପୁଞ୍ଜିଲାଲ : ଟଳିଥିଲା ବଡ଼ ଅଘଟଣ, ଭୋଜି ଦିନ ଫେରି ଯାଇଥିଲା ପାର୍ସଲ

କଟକ : ଫେବ୍ରୁଆରି ୨୨ ତାରିଖରେ ଥିଲା ସୌମ୍ୟଶେଖର ସାହୁଙ୍କ ବାହାଘର ଭୋଜି। ସେହି ଦିନ ୧୨ଟାରେ କୋରିଅର୍‌ ବଏ ସୁକାନ୍ତ ସେଠ୍‌ ପାର୍ସଲ ଦେବାକୁ ଆସିଥିଲେ ସୌମ୍ୟଶେଖରଙ୍କ ଘରକୁ। କିନ୍ତୁ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଦେଖି ସେ ଫେରିଯାଇଥିଲେ। ପରେ ତା’ ପରଦିନ ଅର୍ଥାତ ଫେବ୍ରୁଆରି ୨୩ ତାରିଖ ଦିନ ୧ଟା ବେଳେ ସେ ପାର୍ସଲ ଆଣି ସୌମ୍ୟଶେଖରଙ୍କୁ ଦେଇଥିଲେ। ତା’ ପରେପରେ ଘଟିଥିଲା ବିସ୍ଫୋରଣ। ଯଦି ୨୨ ତାରିଖରେ ପାର୍ସଲ ଡେଲିଭରି ହୋଇଥାନ୍ତା ତେବେ ହୁଏତ ମୃତାହତଙ୍କ ସଂଖ୍ୟା ବହୁ ଅଧିକ ହୋଇଥାନ୍ତା। କ୍ରାଇମବ୍ରାଞ୍ଚ ଛାନଭିନରୁ ଏବେ ଏଭଳି ତଥ୍ୟ ସାମନାକୁ ଆସିଛି।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ତଥା ଏକମାତ୍ର ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେରକୁ ନେଇ ଆଜି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ କଟକରେ ପହଞ୍ଚିଛି। ସେ ଏବେ ୬ ଦିନ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ରହିବ। ଆଜି ତାକୁ ଅଧିକ ଜେରା କରାଯାଇ ନଥିବା ବେଳେ ଆସନ୍ତାକାଲିଠାରୁ ତାକୁ ମାରାଥନ ଜେରା କରାଯିବ। ପୁଞ୍ଜିଲାଲ ନିକଟରୁ ଜବତ ହୋଇଥିବା ଲାପ୍‌ଟପ, ମୋବାଇଲ୍‌ ଫୋନ୍‌, ହାର୍ଡ ଡିସ୍କକୁ ରସୁଲଗଡ଼ସ୍ଥିତ ରାଜ୍ୟ ସାଇବର୍‌ ଫରେନ୍‌ସିକ ଲ୍ୟାବ୍‌କୁ ଯାଞ୍ଚ ପାଇଁ ପଠାଯିବ। ପୁଞ୍ଜିଲାଲ ଲାପ୍‌ଟପ୍‌ରେ ଡାଉନ୍‌ଲୋଡ କରିଥିବା ଅନେକ ବୋମା ଭିଡ଼ା ଭିଡ଼ିିଓକୁ ଡିଲିଟ୍‌ କରିଦେଇଛି । ତେଣୁ ଉକ୍ତ ଭିଡ଼ିଓଗୁଡ଼ିକ ଲ୍ୟାବ୍‌ରେ ରିଷ୍ଟୋର କରାଯିବ। ହ୍ଵାଟସ୍‌ଆପ୍‌ ଚାଟିଂ ମଧ୍ୟ ଡିଲିଟ୍‌ କରିଥିବାରୁ ତାକୁ ମଧ୍ୟ ରିଷ୍ଟୋର କରାଯିବ । ରାଜ୍ୟର ଏଭଳି ଚାଞ୍ଚଲ୍ୟକର ତଥା ନୂଆ ଧରଣର ଅପରାଧରେ ଏକ ମାତ୍ର ସାକ୍ଷୀ ରହିଛି ରାୟପୁର ରେଳ ଷ୍ଟେସନ୍‌ର ଅଟୋ ଡ୍ରାଇଭର। ଯେଉଁ ଡ୍ରାଇଭର୍‌ ଜଣକ ପୁଞ୍ଜିଲାଲ ନିକଟରୁ ପାର୍ସଲ ନେଇ ସ୍କାଏ କିଙ୍ଗ କୋରିଅର୍‌ ସେଣ୍ଟରରେ ଜମା କରିଥିଲା । ତାକୁ ଠାବ କରିବାକୁ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଆଜି ରାୟପୁର କ୍ରାଇମ୍‌ବ୍ରାଞ୍ଚର ସହାୟତା ଲୋଡ଼ିଛି । କେବଳ କ୍ରାଇମ୍‌ବ୍ରାଞ୍ଚ ନୁହେଁ, ରାୟପୁର ରେଳ ଷ୍ଟେସନ୍‌ର ଅଟୋ ଆସୋସିଏସନ୍‌ର ସଭାପତି, ସମ୍ପାଦକ, ଟ୍ରାଫିକ ପୁଲିସର ମଧ୍ୟ ସହଯୋଗ ଲୋଡ଼ିଛି କ୍ରାଇମ୍‌ବ୍ରାଞ୍ଚ। ତାକୁ ଚିହ୍ନଟ କରି ତୁରନ୍ତ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚକୁ ଜଣାଇବାକୁ ଚିଠିରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି ।

ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ମୁଖ୍ୟ କରିତ୍‌କର୍ମା ଭଇଁଷା ଜ୍ୟୋତି ବିକାଶ କଲେଜ୍‌ର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର୍‌କୁ ଗିରଫ କରିବା ପରେ ଗତକାଲି ପାଟଣାଗଡ଼ ଏସ୍‌ଡିଜିଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା । କ୍ରାଇମବ୍ରାଞ୍ଚ ୧୫ ଦିନ ରିମାଣ୍ଡ ଆବେଦନ କରାଯାଇଥିବା ବେଳେ ୬ ଦିନ ରିମାଣ୍ଡ ପାଇଁ ଅନୁମତି ମିଳିଥିଲା। ଆଜି ବଲାଙ୍ଗୀରରୁ ଏସ୍‌ଆଇଟିର ଚାରି ଜଣ ଅଧିକାରୀ ପୁଞ୍ଜିଲାଲକୁ ଧରି ସନ୍ଧ୍ୟା ୬ଟା ୪୫ରେ କଟକ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚିଥିଲା। ମେ’ ୧ ତାରିଖରେ ତା’ ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ ପାଟଣାଗଡ଼ ଏସ୍‌ଡିଜିଏମ୍‌ଙ୍କ କୋର୍ଟରେ ହାଜର କରାଯିବ । ଏବେ ପୁଞ୍ଜିଲାଲ ବିରୋଧରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସୁଛି । ୧୫ ତାରିଖରେ ପୁଞ୍ଜିଲାଲ କଣ୍ଟାବାଂଜିରୁ ରାୟପୁର ଟ୍ରେନ୍‌ରେ ପ୍ରମାଣ ନଛାଡ଼ିବା ପାଇଁ ବିନା ଟିକେଟ୍‌ରେ ଆସିଥିଲା। ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ଆସିଥିଲା କି, ଟିଟି ଧରିଲେ ଜରିମାନା ଦେବ । ରାୟପୁର ଷ୍ଟେସନ୍‌ରେ ପହଞ୍ଚି ଏକ ଅଟୋ ଭଡ଼ା ବି କରିଥିଲା। ପ୍ରଥମେ ସେ ଯେଉଁ କୋରିଅର ସଂସ୍ଥାକୁ ଅଟୋ ଚାଳକଙ୍କ ହାତରେ ପାର୍ସଲଟି ପଠାଇଥିଲା, ସମ୍ପୃକ୍ତ ସଂସ୍ଥା ଆଧାର କାର୍ଡ ମାଗିବାରୁ ସେଠୁ ଫେରିଆସିଥିଲା। ଦ୍ୱିତୀୟ ଥର ସ୍କାଏ କିଙ୍ଗ ସଂସ୍ଥାରେ ପହଞ୍ଚିଥିଲା । ଉକ୍ତ ସଂସ୍ଥା ବିନା ଆଧାର କାର୍ଡରେ ପାର୍ସଲ ରଖିଥିବା କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି । ଅନ୍ୟପଟେ ରାୟପୁର ରେଳ ଷ୍ଟେସନ୍‌ରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ର ହାର୍ଡ ଡିସ୍କ ପ୍ରତ୍ୟେକ ୭ ଦିନରେ ଥରେ ରି-ରାଇଟ୍‌ ହେଉଥିବାରୁ, କ୍ରାଇମ୍‌ବ୍ରାଞ୍ଚ ହାତରେ ଫୁଟେଜ ମିଳିପାରି ନାହିଁ।

ପୁଞ୍ଜିଲାଲକୁ ଏକ ସ୍ୱତନ୍ତ୍ର ଟିମ୍‌ ଆସନ୍ତାକାଲିଠାରୁ ଜେରା କରିବ। ଅଟୋ ଚାଳକ ଏକ ମାତ୍ର ସାକ୍ଷୀ ଥିବାରୁ ପୁଞ୍ଜିଲାଲ ସହିତ ଆଉ କିଏ ଥିଲେ, ଅଟୋ ଚାଳକଙ୍କ ସହିତ ସିଏ କଣ କଥା ହୋଇଥିଲା, ସେ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ତଥ୍ୟ ହାସଲ ପାଇଁ ଉଦ୍ୟମ କରିବ। ଉଭୟ ପୁଞ୍ଜିଲାଲ ଏବଂ ଅଟୋ ଚାଳକଙ୍କୁ ସାମ୍‌ନା ସାମନି ଜେରା କରାଯିବା ଯୋଜନା ରହିଛି । ଫେବ୍ରୁଆରି ୧୫ ତାରିଖରେ ପୁଞ୍ଜିଲାଲଙ୍କ ସବୁ ପ୍ରକାର ଗତିବିଧି ଏବଂ କଲ୍‌ ରେକର୍ଡ କାଢ଼ିବାକୁ ଯୋଜନା କରାଯିବ। ସିଏ ଆଉ କାହାକୁ ସାଙ୍ଗରେ ନେଇ ଯାଇଥିଲା କି ନାହିଁ, ସେ ନେଇ ପଚରାଯିବ । ପୁଞ୍ଜିଲାଲ ଗତ ଦୀପାବଳିରେ ବଲାଙ୍ଗୀର ଅଞ୍ଚଳରୁ କିଣିଥିବା ବାଣରୁ ବାରୁଦ ସଂଗ୍ରହ ପରେ ବୋମା ଭିଡ଼ା ଭିଡିଓ ୟୁଟ୍ୟୁବ୍‌ରୁ ଦେଖିବା ସହିତ କିଛି ବାଣ ଭିଡ଼ାଳିଙ୍କ ପରାମର୍ଶ ନେଇଥିବା କୁହାଯାଉଛି । ତେଣୁ କେଉଁମାନଙ୍କ ନିକଟକୁ ପୁଞ୍ଜିଲାଲ ଯାଇଥିଲା, ସେ ସମ୍ପର୍କରେ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଜେରା କରିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର