ପାର୍ସଲ ବୋମା ବିସ୍ଫୋରଣ ଘଟଣା : ପାଟଣାଗଡ଼ରେ ପୁଞ୍ଜିଲାଲଙ୍କୁ ଜେରା

ବଲାଙ୍ଗୀର/ପାଟଣାଗଡ଼ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ତଥା ଏକମାତ୍ର ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ପାଟଣାଗଡ଼ଠାରେ ମାରାଥନ୍‌ ଜେରା ଆରମ୍ଭ କରିଛି। ଗୋଟିଏ ପଟେ ଜେରାରୁ ଆଉ କିଛି ତଥ୍ୟ ହାସଲ କରିବା ପାଇଁ ଉଦ୍ୟମ ଚଳାଇଥିବାବେଳେ ଅନ୍ୟପଟେ କ୍ରାଇମବ୍ରାଞ୍ଚ୍‌ର ଏକ ଟିମ୍‌ ବଲାଙ୍ଗୀର ଆସି ବିଭିନ୍ନ ବାଣ ଦୋକାନୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛି।

ପ୍ରଥମଥର ରିମାଣ୍ଡ ଅବଧି ଶେଷ ହେବା ପରେ କ୍ରାଇମବ୍ରାଞ୍ଚ ଗତକାଲି ପୁଞ୍ଜିଲାଲଙ୍କୁ ଏସ୍‌ଡିଜେମ୍‌ କୋର୍ଟରେ ହାଜର କରିଥିଲା। କ୍ରାଇମବ୍ରାଞ୍ଚର ଆବେଦନକ୍ରମେ ପୁଞ୍ଜିଲାଲଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ମିଳିଛି। ଏହି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଡେମୋ ଦେଖାଇବା ପାଇଁ ମସୁଧାରେ ରହିଛି। ବିଶେଷକରି, ପୁଞ୍ଜିଲାଲ କେଉଁଭଳି ପାଟଣାଗଡ଼ରୁ ଭଇଁଷା ଜ୍ୟୋତି ବିକାଶ କଲେଜକୁ ଯାଇଥିଲେ ; ସେଠାରୁ ସେ ପାଟଣାଗଡ଼ ଫେରିବା ସହ କଣ୍ଟାବାଞ୍ଜି ଯାଇଥିଲେ ; ଟ୍ରେନରେ ରାୟପୁର ଯାଇ ଓ ସେଠାରେ ଦୁଇଟି ରିକ୍ସାରେ କୋରିଅର୍‌ ସଂସ୍ଥାକୁ ଯାଇ ପାର୍ସଲ ବୁକ୍‌ କରିବାକୁ ଉଦ୍ୟମ କରିଥିଲେ ; ବିଫଳ ହେବାରୁ ଆଉ ଜଣେ ଅଟୋ ଚାଳକ ସହାୟତାରେ ସେ ପାର୍ସଲ ବୁକ୍‌ କରିଥିଲେ ଏବଂ ପରେ ଟ୍ରେନରେ କଣ୍ଟାବାଞ୍ଜି ଫେରିଥିଲେ, ସେସବୁକୁ ଡେମୋ ଜରିଆରେ ପ୍ରଦର୍ଶନ କରିବ ବୋଲି ଯୋଜନା କରିଛି। ଏହାପରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲଙ୍କୁ କେନ୍ଦୁଲିଫ୍‌ ବଙ୍ଗଳାରେ ରଖି ଦିନତମାମ ଜେରା କରିଛି।

ଅନ୍ୟପକ୍ଷରେ, କ୍ରାଇମବ୍ରାଞ୍ଚ୍‌ର ଏକ ଟିମ୍‌ ଅଧିକ ତଥ୍ୟ ହାସଲ କରିବା ପାଇଁ ବଲାଙ୍ଗୀରରେ ପହଞ୍ଚଥିଲା। ସେଥିପାଇଁ କ୍ରାଇମବ୍ରାଞ୍ଚ ଡିଏସ୍‌ପି ଏନ୍‌.ମହାନ୍ତିଙ୍କ ନେତୃତ୍ୱରେ ଆସିଥିବା ଟିମ୍‌ ବଲାଙ୍ଗୀରର ବିଭିନ୍ନ ବାଣ ଦୋକାନିଙ୍କ ସହ କଥା ହେଇଥିବା ବେଳେ ସେମାନଙ୍କ ତଥ୍ୟ ଆଦି ସଂଗ୍ରହ କରି ଫେରିଛି। ଏହି ତଥ୍ୟ ସଂଗ୍ରହ ବେଳେ ପୁଞ୍ଜିଲାଲଙ୍କ ଫଟୋ ଦେଖାଇ କେହି ତାଙ୍କୁ ଚିହ୍ନିଛନ୍ତି କି କିଛି ମନେ ପକେଇ ପାରୁଛନ୍ତି କି ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତଥ୍ୟ ହାସଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

ବଡ଼ ମେଡିକାଲ୍‌ରେ ରିମାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

କଟକ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଆହତ ରିମା ସାହୁ ଏବେ ବି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ନାହାନ୍ତି। ବଡ଼ ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଆଜି ପୁଣିଥରେ ସେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ କଟକ ଆସିଥିବାବେଳେ ବଡ଼ ମେଡିକାଲ ସୂତ୍ରରୁ ଏହା ଜଣାପଡ଼ିଛି।

ରିମାଙ୍କ ବାମ ଆଖିକୁ ଝାପ୍‌ସା ଦେଖା ଯାଉଥିବାବେଳେ କାନକୁ ମଧ୍ୟ କମ୍‌ ଶୁଣାଯାଉଛି। ଏଥିପାଇଁ ପ୍ଲାଷ୍ଟିସ୍‌ ର୍ସଜରି ଆଉଟଡୋରରେ ଦେଖାଇବା ପରେ ଚକ୍ଷୁ ବିଭାଗ ଓ ପରେ ଇଏନ୍‌ଟି ବିଭାଗରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ପୁନଃ ଯାଞ୍ଚ କରାଯାଇଥିଲା। ତଥାପି ପୂର୍ବାପେକ୍ଷା ତାଙ୍କର ଯଥେଷ୍ଟ ଉନ୍ନତି ଆସିଥିବା ଡାକ୍ତରମାନେ କହିଛନ୍ତି। ପ୍ଲାଷ୍ଟିକ୍‌ ସର୍ଜରୀରେ ବିଭାଗରେ ରିମାଙ୍କର ପୋଡିଯାଇଥିବା ସ୍ଥାନଗୁଡ଼ିକର ମଧ୍ୟ ଆଜି ଯାଞ୍ଚ କରାଯାଇଥିଲା। ସେଠାରେ ଇଞ୍ଜେକ୍ସନ୍‌ ଦିଆଯିବା ପରେ ରିମାଙ୍କୁ ଘରକୁ ପଠାଇଦିଆଯାଇଛି। ମାସେ ପର୍ଯ୍ୟନ୍ତ ଔଷଧ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥିଲାବେଳେ ମାସେ ପରେ ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ରିମାଙ୍କୁ କଟକ ଆସିବାକୁ ହେବ ବୋଲି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ଆସୋସିଏଟ୍‌ ପ୍ରଫେସର ଡାକ୍ତର ବିଭୂତି ନାୟକ ସୂଚନା ଦେଇଛନ୍ତି। ରିମା ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିକାଲ୍‌କୁ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ପ୍ରତ୍ୟେକ ମାସରେ ତାଙ୍କୁ ଆସିବାକୁ ହେବ ବୋଲି ରିମାଙ୍କ ବାପା ସୁଦାମ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର