ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଗିରଫ କଲା ପୁଲିସ, ଏଡିଜେ କୋର୍ଟରେ ହାଜର

ବଲାଙ୍ଗୀର: ସର୍ବସମ୍ମୁଖରେ ଯନ୍ତ୍ରୀଙ୍କୁ ଉଠବସ୍ କରାଇଥିବା ମାମଲାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି । ଏହାପରେ ପାଟଣାଗଡ଼ ଏଡିଜେ କୋର୍ଟରେ ସରୋଜ ମେହେରଙ୍କୁ ପୁଲିସ ହାଜର କରିଛି। ସୋମବାର ସକାଳେ ପୁଲିସ ବିଧାୟକଙ୍କୁ ନୂଆପଡ଼ାରୁ ଆଣି ଅଟକ ରଖି ପଚରାଉଚରା କରିବା ଖବର ଆସିଥିଲା। ଏହାପରେ ବିଧାୟକଙ୍କୁ ପାଟଣାଗଡ଼ ଥାନାକୁ ଅଣାଯାଇଥିଲା ଓ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାପରେ ବିଧାୟକ ମେହେରଙ୍କୁ ପାଟଣାଗଡ଼ ଏଡିଜେ ଅଦାଲତରେ ହାଜର କରାଯାଇଥିଲା।

ଏଠାରେ ସୂଚନାଯୋଗ୍ୟ ଯେ ଏକଥା ମଧ୍ୟ ଚର୍ଚ୍ଚା ହେଉଥିଲା ଯେ ବିଧାୟକ  ଆତ୍ମସମର୍ପଣ କରିଛନ୍ତି। ଏ ସଂପର୍କରେ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା। ଆଜି ସକାଳୁ ବଲାଙ୍ଗୀର ପୁଲିସ ତାଙ୍କୁ ନୂଆପଡ଼ାଠାରୁ ଆଣି ଏକ ଅଜଣା ସ୍ଥାନରେ ଜେରା କରୁଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା।


ଜୁନ୍ ୫ ତାରିଖରେ ନିମ୍ନମାନର ରାସ୍ତା କାମ କରିଥିବା ଅଭିଯୋଗରେ ସର୍ବସମ୍ମୁଖରେ ଜେଇଙ୍କୁ ଉଠବସ୍ କରାଇଥିଲେ ପାଟଣାଗଡ଼ ବିଧାୟକ । ଉଠବସ୍ ଘଟଣା ପରେ ପୁଲିସ ବିଧାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି । ମଂଡନରୁ ବେଲପଡାକୁ ନିର୍ମାଣ ହୋଇଥିବା ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ଦେଖିବା ପରେ ତାତି ଉଠିଥିଲେ ବିଧାୟକ । କୋଦାଳରେ ଖୋଳିବା ପରେ ରାସ୍ତାରୁ ପିଚୁ ଉଠିଯାଉଥିଲା । ଏପରି ରାସ୍ତା ନିର୍ମାଣ କାମ ଦେଖିବା ପରେ, ପାଟଣାଗଡ ବିଧାୟକ ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠବସ୍ କରାଇଥିଲେ । ଏହାକୁ ନେଇ ଜୁନ୍ ୬ରେ ଜେଇଙ୍କ ପତ୍ନୀ ଥାନାରେ ମାମଲା ରୁଜୁ କରିଥିଲେ ।

ସମ୍ବନ୍ଧିତ ଖବର