ଅଟକ ଅଛନ୍ତି ନା ଆତ୍ମସମର୍ପଣ  କରିଛନ୍ତି ପାଟଣାଗଡ଼ ବିଧାୟକ ସରୋଜ ମେହେର ?

ବଲାଙ୍ଗୀର: ସର୍ବସମ୍ମୁଖରେ ଯନ୍ତ୍ରୀଙ୍କୁ ଉଠବସ୍ କରାଇଥିବା ଘଟଣାକୁ ନେଇ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ  ବଲାଙ୍ଗୀର ପୁଲିସ ଅଟକ ରଖିଛି ବୋଲି ଜାଣିବାକୁ ମିଳିଛି । କିନ୍ତୁ ଏକଥା ମଧ୍ୟ ଚର୍ଚ୍ଚା ହେଉଛି ଯେ ସେ ଆତ୍ମସମର୍ପଣ  କରିଛନ୍ତି।  ଏ ସଂପର୍କରେ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଆଜି ସକାଳୁ ବଲାଙ୍ଗୀର ପୁଲିସ ତାଙ୍କୁ ନୂଆପଡ଼ାଠାରୁ ଆଣି ଏକ ଅଜଣା ସ୍ଥାନରେ ଜେରା କରୁଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଛି।

ଜୁନ୍ ୫ ତାରିଖରେ  ନିମ୍ନମାନର ରାସ୍ତା  କାମ କରିଥିବା ଅଭିଯୋଗରେ ସର୍ବସମ୍ମୁଖରେ ଜେଇଙ୍କୁ ଉଠବସ୍ କରାଇଥିଲେ ପାଟଣାଗଡ଼ ବିଧାୟକ । ଉଠବସ୍ ଘଟଣା ପରେ ପୁଲିସ ବିଧାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି ।  ମଂଡନରୁ ବେଲପଡାକୁ ନିର୍ମାଣ ହୋଇଥିବା ରାସ୍ତା କାମ ଅତି ନିମ୍ନମାନର ହୋଇଥିବା  ଦେଖିବା ପରେ ତାତି ଉଠିଥିଲେ ବିଧାୟକ । କୋଦାଳରେ ଖୋଳିବା ପରେ ରାସ୍ତାରୁ ପିଚୁ ଉଠିଯାଉଥିଲା । ଏପରି ରାସ୍ତା ନିର୍ମାଣ କାମ ଦେଖିବା ପରେ, ପାଟଣାଗଡ ବିଧାୟକ ସହକାରୀ ଯନ୍ତ୍ରୀ  ଜୟକାନ୍ତ ଶବରଙ୍କୁ ଉଠବସ୍ କରାଇଥିଲେ । ଏହାକୁ ନେଇ ଜୁନ୍ ୬ରେ ଜେଇଙ୍କ ପତ୍ନୀ ଥାନାରେ ମାମଲା ରୁଜୁ କରିଥିଲେ ।

ରାଜରାସ୍ତାରେ ସରକାରୀ ଯନ୍ତ୍ରୀଙ୍କୁ ଅପଦସ୍ତ କରାଇବା ଘଟଣା ପାଇଁ ବିଧାୟକ ସରୋଜ ମେହେରଙ୍କୁ ଗିରଫ କରିବା ପାଇଁ ଦାବି ହୋଇଥିଲା । କନିଷ୍ଠ ଯନ୍ତ୍ରୀଜଣଙ୍କ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ବିଧାୟକଙ୍କ କାର୍ଯ୍ୟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ଆଦିବାସୀ ସଂଗଠନ। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଥିଲା । ଏପରିକି ଗିରଫ ନକଲେ ୨୬ ତାରିଖରେ ବିଧାନସଭା ଘେରାଉ କରିବାକୁ ଧମକ ଦେଇଥିଲେ ଆଦିବାସୀ ମହାସଂଘ ।

ସମ୍ବନ୍ଧିତ ଖବର