ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଆଜି ଏସ୍‌ସିବିରୁ ଡିସଚାର୍ଜ ହେବେ ରିମା

କଟକ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପୀଡ଼ିିତାଙ୍କୁ ଆସନ୍ତାକାଲି (ଗୁରୁବାର) ଏସ୍‌ସିବି ମେଡିକାଲରୁ ଡିସଚାର୍ଜ କରାଯିବ। ପ୍ଲାଷ୍ଟିକ ସର୍ଜରି ବିଭାଗରେ ଚିକିତ୍ସାଧୀନ ଥିବା ରିମାଙ୍କୁ ଇଏନ୍‌ଟି ବିଭାଗରୁ କ୍ଲିୟରାନ୍ସ ମିଳିଥିବା ବେଳେ ଡିସଚାର୍ଜ ପାଇଁ ଚକ୍ଷୁ ବିଭାଗର କ୍ଲିୟରାନ୍ସ ଆବଶ୍ୟକ। ଆଜି ଚକ୍ଷୁ ବିଭାଗରୁ ତାଙ୍କ ଡିସଚାର୍ଜ ସଂପର୍କରେ ପରାମର୍ଶ ଲୋଡା ଯାଇଥିଲା। କିନ୍ତୁ ବିଭାଗ ପକ୍ଷରୁ ତାଙ୍କୁ କେତେକ ଔଷଧ ପ୍ରେସକ୍ରାଇବ୍‌ କରାଯାଇ ପ୍ଲାଷ୍ଟିକ ସର୍ଜରି ବିଭାଗକୁ ପଠାଇ ଦିଆଯାଇଥିଲା। ତେଣୁ ଚକ୍ଷୁ ବିଭାଗ ରିପୋର୍ଟରେ ଦ୍ୱନ୍ଦ୍ୱ ରହିବାରୁ ଗୁରୁବାର ରିମାଙ୍କୁ ପୁଣି ଚକ୍ଷୁ ଆଉଟଡୋରକୁ ପଠାଯିବ ବୋଲି ପ୍ଲାଷ୍ଟିକ ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପୀଡିତାଙ୍କୁ ନେବା ପାଇଁ ତାଙ୍କର ଶାଶୂ, ବାପା-ମା ଓ ଅନ୍ୟ ଆତ୍ମୀୟ ସ୍ୱଜନ ଆଜି ଏସସିବିରେ ପହଞ୍ଚିଥିଲେ। ରିମା ଏବେ ସୁସ୍ଥ ହୋଇ ଯାଇଥିବାରୁ ତାଙ୍କୁ କାହିଁକି ଏତେ ଦିନ ପର୍ଯ୍ୟନ୍ତ ମେଡିକାଲରେ ରଖାଯାଇଛି ସେ ନେଇ ତାଙ୍କ ବାପା ସୁଦାମ ସାହୁ ପ୍ରଶ୍ନ କରିଛନ୍ତି। ଏପରିକି ଝିଅର ଜୀବନ ପ୍ରତି ବିପଦ ଥିବାରୁ ଡିସଚାର୍ଜ ପରେ ପୁଲିସ ହେପାଜତରେ ତାଙ୍କୁ ଘରକୁ ଯିବା ଲାଗି ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର