ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ ଘଟଣା : ସତ ଓଗାଳୁଛି ପୁଞ୍ଜିଲାଲ

କଟକ : ପାର୍ସଲ୍‌ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ରାୟପୁର ଡିଟିଡିସି କୋରିଅର୍‌ ସେଣ୍ଟର୍‌ର ସିସି କ୍ୟାମେରା ଫୁ’ଟେଜ୍‌। ଜବତ ହୋଇଥିବା ଗୋଟିଏ ସିସି କ୍ୟାମେରା ଫୁଟେଜ୍‌ର ହାର୍ଡଡିସ୍କ ରି-ରାଇଟ୍‌ ହୋଇଯାଇଥିବାରୁ ତାକୁ ରି’ଷ୍ଟୋର କରିବାକୁ ଇସ୍ରାଏଲ୍‌ ପଠାଯିବ । ସେଠାରେ ଥିବା ଏକ ଫରେନ୍‌ସିକ୍‌ ସାଇନ୍ସ ଲାବ୍ରୋଟାରୀରେ ପରୀକ୍ଷା କରି ରି’ଷ୍ଟୋର କରାଯିବ । ସେଥିରେ ପୁଞ୍ଜିଲାଲଙ୍କ ଫୁଟେଜ୍‌ ଥିବା କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି । ଅନ୍ୟପଟେ ବଲାଙ୍ଗୀର ଏସ୍‌ପିଙ୍କୁ ପୁଞ୍ଜିଲାଲ ପଠାଇଥିବା ବିଭ୍ରାନ୍ତିକର ଚିଠିର ଡିଏନ୍‌ଏ ପରୀକ୍ଷା କରାଯିବ। ସେଥିରେ ତାଙ୍କ ଲାଳ ଲାଗିଥିବାରୁ ଗୁଜୁରାଟ୍‌ର ଗାନ୍ଧୀନଗରରେ ଥିବା ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରୀକୁ ପଠାଯିବ। ଚିଠିରେ ଲାଗିଥିବା ଲାଳ ପରୀକ୍ଷା କରାଯାଇ ପୁଞ୍ଜିଲାଲ ସମ୍ପର୍କରେ ପ୍ରମାଣ ଯୋଗାଡ଼ କରିବାକୁ କ୍ରାଇମ୍‌ବ୍ରାଞ୍ଚ ଯୋଜନା କରୁଛିା

କଟକ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର କରିତ୍‌କର୍ମା ପୁଞ୍ଜିଲାଲ୍‌ଙ୍କୁ ଆଜି ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଜେରା କରାଯାଉଛି । ସେ ଜେରାରେ କ୍ରାଇମ୍‌ବ୍ରାଞ୍ଚର ବରିଷ୍ଠ ଅଧିକାରୀଙ୍କୁ ପାର୍ସଲ ବୋମା ତିଆରି କିଛି ବଡ଼ କାମ ନୁହେଁ ବୋଲି କହିଥିଲା। କ୍ରାଇମ୍‌ବ୍ରାଞ୍ଚ ଅଧିକାରୀମାନେ କିଛି ଏ ବାବଦରେ ଜାଣିନଥିବା ସେ କହିଥିଲା । ଆବଶ୍ୟକ ଅନୁଯାୟୀ ବାରୁଦ ଯୋଗାଇ ଦେଲେ ମାତ୍ର ଘଣ୍ଟାଏ ଭିତରେ କ୍ରାଇମ୍‌ବ୍ରାଞ୍ଚରେ ବସି ପାର୍ସଲ ବୋମା ତିଆରି କରିଦେବାକୁ ପୁଞ୍ଜିଲାଲ ବେଶ୍‌ ଦୃଢ଼ତାରର ସହିତ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରିଥିଲା ।

ଅନ୍ୟପଟେ ଗତକାଲିଠାରୁ ରାୟପୁର ଯାଇଥିବା କ୍ରାଇମ୍‌ବ୍ରାଞ୍ଚର ଗୋଟିଏ ଟିମ୍‌ ଆଜି ପହଞ୍ଚିଛି । ଫେବ୍ରୁଆରି ୧୫ ତାରିଖରେ ପୁଞ୍ଜିଲାଲ ରାୟପୁର ରେଳଷ୍ଟସନ୍‌ରୁ ଓହ୍ଲାଇବା ପରେ ପ୍ରଥମେ ଡିଟିଡିସି କୋରିଅର୍‌ ସେଣ୍ଟରକୁ ଯାଇଥିଲେ। କିନ୍ତୁ ସେଠାରେ ଆଧାର କାର୍ଡ ମାଗିବାରୁ ସ୍କାଏ କିଙ୍ଗ କୋରିଅର ସେଣ୍ଟରକୁ ଯାଇଥିଲେ। ସେଠି କ୍ରାଇମ୍‌ବ୍ରାଞ୍ଚ ଦୁଇଟି କୋରିଅର୍‌ ସେଣ୍ଟର ସିସି କ୍ୟାମେରା ଯାଞ୍ଚ କରିଥିଲା । ସ୍କାଏ କିଙ୍ଗର ସିସି କ୍ୟାମେରା ଗତ କିଛି ମାସ ହେବ ଅଚଳ ଥିବାରୁ ୧୫ ତାରିଖର ଫୁଟେଜ ମିଳିପାରି ନଥିଲା । କିନ୍ତୁ ଡିଟିଡିସିର ଫୁଟେଜ୍‌ ପ୍ରତି ଏକ ମାସରେ ଦୁଇ ଥର ରି-ରାଇଟ୍‌ ହେଉଥିବାରୁ ୧୫ ତାରିଖର ଫୁଟେଜ୍‌ ଡିଲିଟ୍‌ ହୋଇଯାଇଛି । କ୍ରାଇମ୍‌ବ୍ରାଞ୍ଚ ଡିଟିଡିସିର ହାର୍ଡଡିସ୍କ ଜବତ କରିଛି । ଉକ୍ତ ହାର୍ଡଡିସ୍କରୁ ୧୫ ତାରିଖର ଫୁଟେଜ୍‌ କାଢ଼ିବାକୁ କ୍ରାଇମ୍‌ବ୍ରାଞ୍ଚ ଦିଲ୍ଲୀସ୍ଥିତ ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରୀ, ଭୁବନେଶ୍ୱର ରସୁଲଗଡ଼ସ୍ଥିତ ସାଇବର୍‌ ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରୀ ଏବଂ ରାୟପୁର କ୍ରାଇମ୍‌ବ୍ରାଞ୍ଚର ଫରେନ୍‌ସିକ ଲାବ୍ରୋଟାରୀକୁ ପଠାଯାଇଥିଲା । ସାଇବର୍‌ ବିଶେଷଜ୍ଞଙ୍କ ସହାୟତା ନିଆଯାଇଥିଲେ ମଧ୍ୟ ହାର୍ଡଡିସ୍କଟି ରି-ରାଇଟ୍‌ ହୋଇଯାଇଥିବାରୁ ୧୫ ତାରିଖର ଭିଡିଓ ଫୁଟେଜ୍‌ କାଢ଼ିବା ସମ୍ଭବପର ହୋଇ ପାରିଲା ନାହିଁ । ଶେଷରେ ହାର୍ଡଡିସ୍କକୁ ଇସ୍ରାଏଲ୍‌ସ୍ଥିର ଏକ ଲ୍ୟାବ୍‌କୁ କ୍ରାଇମ୍‌ବ୍ରାଞ୍ଚ ପଠାଇବାକୁ ଆଜି ସନ୍ଧ୍ୟାରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନ୍ୟପଟେ ପାଟଣାଗଡ଼ ଯାଇଥିବା କ୍ରାଇମ୍‌ବ୍ରାଞ୍ଜର ଆଉ ଏକ ଟିମ୍‌ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ପହଞ୍ଚିଯାଇଛି। ଆସନ୍ତାକାଲି ଉକ୍ତ ଟିମ୍‌ ବଲାଙ୍ଗୀର ଟାଉନ୍‌ ଥାନା ଯିବ । ଗତ ବର୍ଷ ଦିପାବଳୀରେ ବଲାଙ୍ଗୀର ଟାଉନ୍‌ ଅଞ୍ଚଳରେ କେତେ ଜଣ ବାଣ ବ୍ୟବସାୟୀଙ୍କୁ ବାଣ ଦୋକାନ ଖୋଲିବାକୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା, ସେମାନଙ୍କ ନାଁ ଏବଂ ଠିକଣା ସହିତ ତାଲିକା ମଗାଯିବ। ସମସ୍ତ ବ୍ୟବସାୟୀଙ୍କୁ ପୃଥକ ବଲାଙ୍ଗୀର ଏସ୍‌ପିଙ୍କ କାର୍ଯ୍ୟାଳୟରେ ଜେରା କରିବ କ୍ରାଇମ୍‌ବ୍ରାଞ୍ଚ। କେଉଁ ବ୍ୟବସାୟୀ ଜଣକ ପୁଞ୍ଜିଲାଲଙ୍କୁ ବିପୁଳ ପରିମାଣରେ ବାଣ ଯୋଗାଇଥିଲେ, ସମ୍ପୃକ୍ତ ବ୍ୟବସାୟୀଙ୍କୁ ଚିହ୍ନଟ କରିବ କ୍ରାଇମ୍‌ବ୍ରାଞ୍ଚ । ତାଙ୍କୁ କଟକ କାର୍ଯ୍ୟାଳୟକୁ ଆଣି ପୁଞ୍ଜିଲାଲ ସହିତ ସାମ୍‌ନା ସାମ୍‌ନି ଜେରା କରାଯିବାକୁ ଯୋଜନା କରାଯାଉଛି ।

ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ଭଣ୍ଡୁର କରିବାକୁ କିଛି ବି ଷଡ଼ଯନ୍ତ୍ର ହାତ ଛଡ଼ା କରିନଥିଲେ ପୁଞ୍ଜିଲାଲ । ବଲାଙ୍ଗୀର ଏସ୍‌ପି କେ.ଶିବ ସୁବ୍ରମଣୀଙ୍କ ନିକଟକୁ ପୁଞ୍ଜିଲାଲ ଏପ୍ରିଲ ୪ ତାରିଖରେ ପଠାଇଥିବା ଚିଠିରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଛି । ଏହି ଚିଠିର ଲଫାପାର ଅଠାରେ ପୁଞ୍ଜିଲାଲ ନିଜ ଛେପ ଲଗାଇ ପ୍ୟାକିଂ କରିଥିବା କ୍ରାଇମ୍‌ବ୍ରାଞ୍ଚ ଜେରାରୁ ଆଜି ତଥ୍ୟ ହାସଲ କରିଛି । ଏହି ଲାଳରୁ କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିବା ପାଇଁ ତାଙ୍କ ଲାଳର ଡିଏନ୍‌ଏକୁ ଗୁଜୁରାଟସ୍ଥିତ ଗାନ୍ଧୀନଗର ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରୀକୁ ପଠାଯିବ। କ୍ରାଇମ୍‌ବ୍ରାଞ୍ଚ ଜବତ କରିଥିବା ଚିଠି ଏବଂ ଲାଳ ଯାଞ୍ଚ ପରେ ପୁଞ୍ଜିଲାଲ ହିଁ ସେହି ଚିଠି ପଠାଇଥିବା କ୍ରାଇମ୍‌ବ୍ରାଞ୍ଚ ସ୍ପଷ୍ଟ କରିବାକୁ ଯାଉଛି। ଅନ୍ୟପଟେ ଗତକାଲି କ୍ରାଇମ୍‌ବ୍ରାଞ୍ଚ ପାଟଣାଗଡ଼ ଥାନା ପୁଲିସକୁ ପୁଞ୍ଜିଲାଲ ବିରୋଧରେ କୌଣସି ଅପରାଧିକ ମାମଲା ରୁଜୁ ହୋଇଛି କି ନାହିଁ, ସେ ସମ୍ପର୍କରେ ଜାଣିବାକୁ ଚାହିଁଥିଲା । ସେ ଚାକିରି ଜୀବନରେ ୨୦୦୪ରେ ଏକ ଦଙ୍ଗା ମାମଲାରେ ସମ୍ପୃକ୍ତ ଥିବା ପାଟଣାଗଡ଼ ଥାନା ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି ।

ଦାଖଲ ହୋଇପାରିଲାନି ଇଂରାଜୀ ଥେସିସ୍‌

ପୁଞ୍ଜିଲାଲ ରିମାଣ୍ଡ ଅବଧି ଯେତେ ଦିନ ଗଡ଼ୁଛି, ତାଙ୍କ ସମ୍ପର୍କରେ ରୋଚକ ତଥ୍ୟ ମଧ୍ୟ ସାମ୍‌ନାକୁ ଆସିବାରେ ଲାଗିଛି । ୧୯୮୮ ମସିହାରେ ଅଧ୍ୟାପକ ଜୀବନ ଆରମ୍ଭ କରିଥିବା ପୁଞ୍ଜିଲାଲ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର, ସୋସିଆଲ୍‌ େଓ୍ଵଲ୍‌ଫେୟାରରେ ସ୍ନାତକୋତ୍ତର କରିଥିଲା। ଏବେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଇଂରାଜୀ ସାହିତ୍ୟରେ ପିଏଚ୍‌ଡି କରୁଛନ୍ତି। ୨୪ ତାରିଖରେ ପୁଞ୍ଜିଲାଲ ପାଟଣାଗଡ଼ରୁ ଗିରଫ ହୋଇଥିବାବେଳେ ୨୮ ତାରିଖରେ ଥେସିସ୍‌ ଦାଖଲ କରିଥା’ନ୍ତେ। ଏଥିପାଇଁ ସେ ବହୁତ ପରିଶ୍ରମ କରିଥିଲେ। କିନ୍ତୁ ଗିରଫ ହୋଇଯିବା ପରେ ତାଙ୍କ ସ୍ୱପ୍ନ ଅଧୁରା ରହିଯାଇଥିବା ପୁଞ୍ଜିଲାଲ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ କହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର