ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ସିଏଫ୍‌ଏଲ୍‌ ଗଲା ଯାନ୍ତ୍ରିକ ସାମଗ୍ରୀ, ପୁଞ୍ଜିଲାଲଙ୍କୁ ମାରାଥନ ଜେରା, ଘର ସାମ୍ନା ଡଷ୍ଟବିନ୍‌ରୁ ମିଳିଲା ବୋମା ଟୁକୁଡ଼ା

କଟକ/ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେରଙ୍କୁ ମାରାଥନ୍‌ ଜେରା ଆରମ୍ଭ କରିଛି ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପୁଲିସ। ଏପଟେ ପାଟଣାଗଡ଼ରେ ପୁଲିସକୁ ମିଳିଛି ବୋମାରେ ବ୍ୟବହାର ହୋଇଥିବା ବିଭିନ୍ନ ସାମଗ୍ରୀ।

କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ପୁଞ୍ଜିଲାଲକୁ ଏକ ସ୍ୱତନ୍ତ୍ର କୋଠରୀରେ ଆଜି ପାଖାପାଖି ୬ରୁ ୭ ଘଣ୍ଟା ଜେରା କରାଯାଇଛି। ଦିନ ପ୍ରାୟ ୧୧ଟାରୁ ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ୪ ଜଣ ଅଫିସର ଜେରା ଆରମ୍ଭ କରିଥିଲେ। ତାଙ୍କୁ ବୋମା ଭିଡ଼ାରେ ସହଯୋଗ କରିଥିବା ବଲାଙ୍ଗୀରର କିଛି ବାଣ ଭିଡ଼ାଳିଙ୍କ ସମ୍ପର୍କରେ ପୁଲିସ ଜେରା କରିଥିଲା। ରାୟପୁରର ଅଟୋ ଚାଳକଙ୍କ ବାବଦରେ ମଧ୍ୟ ତାଙ୍କୁ ପଚରା ଯାଇଥିଲା। ପୁଞ୍ଜିଲାଲଙ୍କ ମେହେର୍‌ପଡ଼ା ଘରୁ ଜବତ ହୋଇଥିବା ଲ୍ୟାପଟପ୍‌, ମୋବାଇଲ୍‌, ପ୍ରିଣ୍ଟର, ପେନ୍‌ ଡ୍ରାଇଭ୍‌, ହାର୍ଡ ଡିସ୍କ ଆଜି ଦିନ ପ୍ରାୟ ସାଢ଼େ ୧୦ ସମୟରେ କ୍ରାଇମ୍‌ବ୍ରାଞ୍ଚ ରସୁଲଗଡ଼ସ୍ଥିତ ରାଜ୍ୟ ସାଇବର୍‌ ଫରେନ୍‌ସିକ ଲାବ୍ରୋଟୋରୀ (ସିଏଫ୍‌ଏଲ)କୁ ପଠାଯାଇଛି। ପୁଞ୍ଜିଲାଲ ଡିଲିଟ୍‌ କରିଦେଇଥିବା ଅଧିକାଂଶ ବୋମା ଭିଡ଼ା କୌଶଳ ସମ୍ପର୍କିତ ଭିଡିଓ ରିଷ୍ଟୋର କରିବାକୁ ଉଦ୍ୟମ କରୁଛି ସିଏଫ୍‌ଏଲ୍‌ । ପୁଞ୍ଜିଲାଲ ନିଜ ମୋବାଇଲ୍‌ ସ୍ମାର୍ଟଫୋନ୍‌ରୁ ଯେଉଁମାନଙ୍କ ସହିତ ହ୍ଵାଟସ୍‌ଆପ୍‌ ଏବଂ ଫେସ୍‌ବୁକ ମେସେଞ୍ଜରରେ ଚାଟିଂ କରିଥିଲେ, ସେମାନଙ୍କ ମ୍ୟାସେଜ୍‌ ଡିଲିଟ୍‌ କରିଦେଇଛନ୍ତି। ସିଏ କେଉଁ ବ୍ୟକ୍ତିଙ୍କ ସହିତ ଫେବ୍ରୁଆରି ୧୫ ତାରିଖ ପୂର୍ବରୁ ଏବଂ ପରେ କଣ ଚାଟିଂ କରିଥିଲେ, ତାକୁ ମଧ୍ୟ ରିଷ୍ଟୋର୍‌ କରିବାକୁ କ୍ରାଇମ୍‌ବ୍ରାଞ୍ଚ ଆଜି ସିଏଫ୍‌ଏଲ୍‌କୁ ଆବେଦନ କରିଛି ।

ରାୟପୁରରେ ସମ୍ପୃକ୍ତ ଅଟୋ ଚାଳକଙ୍କ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଖୋଜଖବର ପାଇନାହିଁ ରାୟପୁର କ୍ରାଇମ୍‌ବ୍ରାଞ୍ଚ। ରେଳ ଷ୍ଟେସନ୍‌ ବାହାରେ ଥିବା ସିସି କ୍ୟାମେରା ଫୁଟେଜ୍‌ ପ୍ରତି ଏକ ସପ୍ତାହରେ ରି-ରାଇଟ୍‌ ହେଉଥିବାରୁ ଫେବ୍ରୁଆରି ୧୫ ତାରିଖର ଫୁଟେଜ୍‌ ମିଳିପାରି ନାହିଁ । ଆଖପାଖରେ ଅନ୍ୟ କୌଣସି ସିସି କ୍ୟାମେରା ଖଞ୍ଜା ହୋଇନଥିବାରୁ କ୍ରାଇମ୍‌ବ୍ରାଞ୍ଚ ପୁଲିସ୍‌କୁ ଚିହ୍ନଟ କରିବା ସମ୍ଭବପର ହୋଇ ପାରୁ ନାହିଁ । ପୁରା ଘଟଣା ପଛରେ ଏକ ମାତ୍ର ରାଜସାକ୍ଷୀ ଥିବା ଅଟୋ ଚାଳକକୁ ଖୋଜିବାକୁ ରାୟପୁର କ୍ରାଇମ୍‌ବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍‌ ଖାନତଲାସି ଆରମ୍ଭ କରିଦେଇଛି । ପୁଞ୍ଜିଲାଲ ସମ୍ପୃକ୍ତ ଅଟୋ ଚାଳକଙ୍କ ଚେହେରା ବର୍ଣ୍ଣନା କରିବା ପରେ ରାୟପୁର କ୍ରାଇମ୍‌ବ୍ରାଞ୍ଚକୁ ଅବଗତ କରାଯାଇଥିବା ସୂଚନା ମିଳିଛି ।

ପୁଂଜିଲାଲ୍‌ ଛୋଟ ଛୋଟ ବମ୍‌ ତିଆରି କରି ପରୀକ୍ଷା ନିରୀକ୍ଷା ଚଳାଉଥିଲେ। ପ୍ରାୟ ଶହେ ବମ୍‌ ଏଭଳି ସେ ପରୀକ୍ଷା କରି ସାରିଥିଲେ ଚୂଡାନ୍ତ ମୃତ୍ୟୁ ଉପହାର ପ୍ରସ୍ତୁତି ପୂର୍ବରୁ। ପରୀକ୍ଷା ନିରୀକ୍ଷା ପରେ ସେ ଘର ସାମ୍ନାରେ ଥିବା ଡଷ୍ଟବିନ୍‌ରେ ସେ ସବୁକୁ ଫିଙ୍ଗି ଦେଉଥିଲେ। ପାଟଣାଗଡ ଆଇଆଇସି ବାରୁଣି ଦାସଙ୍କ ନେତୃତ୍ୱରେ ସାଇଣ୍ଟିଫିକ୍‌ ଟିମ୍‌ ଯାଇ ସେ ଡଷ୍ଟବିନ୍‌କୁ ଯାଞ୍ଚ କରିଥିଲେ। ସେଥିରୁ କିଛି ବିଦ୍ୟୁତ ତାର, ଲିଚୁ ବଲ୍‌ର ଅଂଶ ବିଶେଷ ମିଳିଛି। ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଏହାକୁ ଜବତ କରିଛନ୍ତି।

ଟ୍ଵିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପାଟଣାଗଡ ପାର୍ସଲବୋମା ଘଟଣାର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରଙ୍କୁ ଜେରା ଚଳାଇଛି କ୍ରାଇମବ୍ରାଞ୍ଚ। ଏପଟେ ଆଜି ଏହି ରହସ୍ୟମୟ ଘଟଣାର ଯେଭଳି ପଦାଫାସ କଲା ସେଥିପାଇଁ କ୍ରାଇମବ୍ରାଞ୍ଚକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କ୍ରାଇମବ୍ରାଞ୍ଚର କାର୍ଯ୍ୟଶୈଳୀକୁ ପ୍ରଶଂସା କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଟ୍ଵିଟ୍‌ କରି ଲେଖିଛନ୍ତି ଯେ ପାର୍ସଲ ବୋମା ମାମଲାରେ କୁଶଳତାର ସହ ତଦନ୍ତ କରି ଘଟଣାର ପର୍ଦ୍ଦାଫାସ କରିଥିବାରୁ କ୍ରାଇମବ୍ରାଞ୍ଚକୁ ଧନ୍ୟବାଦ। ଏହା ଓଡ଼ିଶା ପୁଲିସ ପାଇଁ ଏକ ଗୌରବର ମୁହୂର୍ତ୍ତ। ମୃତକଙ୍କ ପରିବାର ଯାହା ହରାଇଛନ୍ତି ତା’ର ଭରଣା ସମ୍ଭବ ନୁହେଁ କିନ୍ତୁ ନ୍ୟାୟ ମିଳିବ।

ମୁଖ୍ୟମନ୍ତ୍ରୀ ଏହି ଟ୍ଵିଟ୍‌ ପରେ ଓଡ଼ିଶା ପୁଲିସ୍‌ ଡିଜିଙ୍କ ଅଫିସିଆଲ ଟ୍ଵିଟ୍‌ରେ ଏକ ଜବାବ ଆସିଥିଲା। ଏଥିରେ ଲେଖାଥିଲା, ଧନ୍ୟବାଦ, ଆପଣଙ୍କ ଏହି କିଛି ଶବ୍ଦ ଆମକୁ ଦାୟିତ୍ୱ ତୁଳାଇବାରେ ପ୍ରେରଣାଦାୟୀ କରିବ। ଆପଣଙ୍କ ନେତୃତ୍ୱରେ ଓଡ଼ିଶା ପୁଲିସ, ପେଷାଦାର ଏବଂ ଲୋକାଭିମୁଖୀ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ।

ପରଦାକୁ ଆସିବ ପୁଞ୍ଜିଲାଲଙ୍କ କ୍ରାଇମ୍‌ କାରନାମା

ଭୁବନେଶ୍ୱର : ପାଟ୍ଟଣାଗଡ଼ ପାର୍ସଲ ବୋମା ଖବର ସାରା ଓଡ଼ିଶାରେ ଚର୍ଚିତ ହୋଇଥିବା ବେଳେ ଏହାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯିବ। ପ୍ରଯୋଜକ ଶ୍ରୀଧର ମାର୍ଥା ‘ପାଟ୍ଟଣାଗଡ଼ର ବୁଲେଟ୍‌ ରାଜା’ ଶୀର୍ଷକ ଚଳଚ୍ଚିତ୍ର ନିର୍ମାଣ ନେଇ ଘୋଷଣା କରିଛନ୍ତି। ପଦବି ଲୋଭରେ ପାର୍ସଲରେ ମୃତ୍ୟୁର ଉପହାର ପଠାଇଥିବା ପୁଞ୍ଜିଲାଲ୍‌ର ଚକ୍ରବ୍ୟୁହକୁ ଚଳଚ୍ଚିତ୍ରର କାହାଣୀରେ ରୂପାନ୍ତରିତ କରାଯିବ ବୋଲି କହିଛନ୍ତି ପ୍ରଯୋଜକ ଶ୍ରୀ ମାର୍ଥା। ଚଳଚ୍ଚିତ୍ର ନିର୍ମାଣ ପୂର୍ବରୁ ସେ ପୁଲିସ୍‌ ଡିଜି ଡ.ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ସାକ୍ଷାତ କରିଛନ୍ତି। ଅଭିନେତା ହର ରଥ ପୁଞ୍ଜିଲାଲ ମେହେର ଚରିତ୍ରରେ ଅଭିନୟ କରିବାକୁ ମନୋନୀତ ହୋଇଥିବା ବେଳେ ଅଭିନେତା ମନୋଜ ମିଶ୍ର ଆଇଜି ଭୂମିକାରେ ଦେଖିବାକୁ ମିଳିବେ। ତେବେ ମୃତ ସୌମ୍ୟଶେଖର ଓ ତାଙ୍କ ପତ୍ନୀ ରିମା ଭୂମିକାରେ କିଏ ଅଭିନୟ କରିବେ ସେନେଇ ସ୍ଥିର ହୋଇନାହିଁ।

ସମ୍ବନ୍ଧିତ ଖବର