ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା : ପ୍ରମାଣ ଯୋଗାଡ଼ରେ ନାକେଦମ୍‌ କ୍ରାଇମବ୍ରାଞ୍ଚ

ଗୁରୁବାର ରାତିରେ ଅଚେତ ହେଇଗଲେ ପୁଞ୍ଜିଲାଲ!

ବଲାଙ୍ଗୀର/ପାଟଣାଗଡ଼ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଗିରଫ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଦ୍ୱିତୀୟଥର ପାଇଁ ରିମାଣ୍ଡରେ ଆଣିଥିବା କ୍ରାଇମବ୍ରାଞ୍ଚକୁ ପ୍ରମାଣ ଯୋଗାଡ଼ ପାଇଁ ନାକେଦମ୍‌ ହେବାକୁ ପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କ୍ରାଇମବ୍ରାଞ୍ଚ ରାୟପୁରର ଅଟୋ ଓ ରିକ୍ସା ଚାଳକଙ୍କ ଖବର ସଂଗ୍ରହ କରିବାରେ ବିଫଳ ହୋଇଛି। ସେହିଭଳି, ବଲାଙ୍ଗୀରରୁ କାହାଠାରୁ ବାଣ କିଣିଥିଲା ତାହା ଜାଣିବା ପାଇଁ ଖୋଳତାଡ଼ କରିଥିଲେ ମଧ୍ୟ ସଫଳ ହୋଇନାହିଁ।

କ୍ରାଇମବ୍ରାଞ୍ଚ ରାମପୁରସ୍ଥିତ ପୈତୃକ ଘରୁ ମିଳିଛି ବାରୁଦ, ମେହେରପଡ଼ା ଘର ସମ୍ମୁଖ ଡଷ୍ଟବିନ୍‌ରୁ କିଛି ବୋମାରେ ବ୍ୟବହୃତ ହୋଇଥିବା ବିଦ୍ୟୁତ ତାର, କାଗଜ, ବାରୁଦ ଆଦି ଜବତ କରି ଲାବେରେଟୋରୀକୁ ପଠାଇଛି। ମାତ୍ର, ପ୍ରମାଣ ପାଇଁ ଏହା ଯଥେଷ୍ଟ ନୁହେଁ।

କ୍ରାଇମବ୍ରାଞ୍ଚକୁ ପାର୍ସଲ ବୋମା ମାମଲାରେ କାଗଜପତ୍ର ପ୍ରମାଣ ମିଳିଥିବା ବେଳେ ଚାକ୍ଷୁସ ପ୍ରମାଣ ଆବଶ୍ୟକ ହେଉଛି। ତେଣୁ ରାୟପୁରର ସେ ଦୁଇଜଣ ରିକ୍ସା ଚାଳକ, ଅଟୋ ଚାଳକ ସହ ବଲାଙ୍ଗୀରରୁ ବାଣ କିଣିଥିବା ଦୋକାନୀକୁ ଚିହ୍ନଟ ଜରୁରି ହୋଇପଡିଛି କ୍ରାଇମବ୍ରାଞ୍ଚ ପାଇଁ। ଖୋଦ୍‌ କ୍ରାଇମବ୍ରାଞ୍ଚ ଡିଆଇଜି ଅରୁଣ ବୋଥ୍ରା ଟିମ୍‌ ସହ ରାୟପୁର ଯାଇ ଡେରା ପକାଇଥିଲେ। ସୂଚନା ଅନୁସାରେ, ରାୟପୁର ସହରରେ ପ୍ରାୟ ୧୪ହଜାରରୁ ଅଧିକ ରିକ୍ସା ଓ ଅଟୋ ଚାଳକ ରହିଛନ୍ତି। ସେମାନଙ୍କ ମଧ୍ୟରୁ କାହା ରିକ୍ସାରେ ଓ କାହା ଅଟୋରେ ପୁଞ୍ଜିଲାଲ ଯାଇଥିଲେ ତାହା ଚିହ୍ନଟ କରି ବାହାର କରିବା ମୁସ୍କିଲ ହୋଇପଡୁଛି। ସ୍ୱତଃ କେହି ଆସି କ୍ରାଇମବ୍ରାଞ୍ଚକୁ ଏଥିରେ ସହଯୋଗ କରୁନାହାନ୍ତି। ତେଣୁ କ୍ରାଇମବ୍ରାଞ୍ଚ ଟିମ୍‌ ରାୟପୁର ପୁଲିସ ସହାୟତାରେ ଅଟୋ, ରିକ୍ସା ଚାଳକକୁ ଖୋଜି ବାହାର କରିବା ପାଇଁ ନାକେଦମ୍‌ ହେଲେଣି।

ଅନ୍ୟପକ୍ଷରେ, ଗୁରୁବାର ରାତିରେ ପୁଞ୍ଜିଲାଲ ଅଚେତ ହୋଇ ପଡ଼ିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର