ପାର୍ସଲ୍‌ ବୋମା ବିସ୍ଫୋରଣ ଘଟଣାର ନୂଆ ମୋଡ଼ : ଅଧ୍ୟାପକଙ୍କ ଘରୁ ମିଳିଲା ବୋମା

କଟକ/ ବଲାଙ୍ଗୀର : ଗୋଟିଏ ମୋବାଇଲ୍‌ ଫୋନ ନମ୍ବରରୁ ପର୍ଦ୍ଦାଫାସ ହେବାକୁ ଯାଉଛି ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଓ ହତ୍ୟାର ରହସ୍ୟ। ଭଇଁଷା କଲେଜ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଘରୁ ବୋମା ଓ ବିସ୍ଫୋରକ ସାମଗ୍ରୀ କ୍ରାଇମବ୍ରାଞ୍ଚର ଏସଆଇଟି ଜବତ କରିବା ସହ ଏହି ଘଟଣା ପଛର ମାଷ୍ଟରପ୍ଲାନକୁ ଧରିବାରେ ସଫଳ ହୋଇଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଆଜି ଦୁଇ ମାସ ପୂରିଛି।

ପାଟଣାଗଡର ସୌମ୍ୟଶେଖର ସାହୁଙ୍କ ପୂରା ପରିବାରକୁ ସଫା କରିବାକୁ ଭଇଁଷା ମହାବିଦ୍ୟାଳୟରେ ହିଁ ହତ୍ୟାକାଣ୍ଡର ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଥିବା ସ୍ପଷ୍ଟ ହୋଇଛି। ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର୍‌ଙ୍କ ପୁଞ୍ଜୀଭୂତ କ୍ରୋଧ ବୋମା ବିସ୍ଫୋରଣ ପଛରେ ମୂଳ କାରଣ ବୋଲି କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ସନ୍ଦେହ କରୁଛି । ଆଜି ତାଙ୍କ ମେହେରପଡ଼ାସ୍ଥିତ ଘରେ ଦ୍ୱିତୀୟ ଥର ଚଢ଼ଉ ବେଳେ କ୍ରାଇମ୍‌ବ୍ରାଞ୍ଚ ବିସ୍ଫୋରକ ସାମଗ୍ରୀ, ବୋମା ଜବତ କରିଛି । ଜଣେ ଇଂରାଜୀ ଅଧ୍ୟାପକଙ୍କ ଘରେ ବୋମା ମହଜୁଦ୍‌ ହେବା ଦେଖି ତାଜୁବ ହୋଇଯାଇଥିଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌।

ବୋମା ସମେତ ତାଙ୍କ ଘରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଛି । କେଉଁ ଉଦ୍ଦେଶ୍ୟରେ କଲେଜ୍‌ର ଜଣେ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍‌ ନିଜ ଘରେ ବୋମା ମହଜୁଦ କରି ରଖିଥିଲେ, ସେ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ପଚରାଉଚରା ଚଳାଇଛି ।

ଗତକାଲି ପୁଞ୍ଜିଲାଲଙ୍କ ଘରୁ ଲାପ୍‌ଟପ, ମୋବାଇଲ୍‌ ଫୋନ୍‌, ଟେଲିଫୋନ୍‌ ଡାଏରୀ ଜବତ ହୋଇଥିବା ବେଳେ ଆଜି ବୋମା ମିଳିବା ଘଟଣା, ଅଧିକ ରହସ୍ୟଜନକ ହୋଇଛିା ଅନ୍ୟପଟେ ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ କେ-୯ ସ୍କ୍ଵାଡ୍‌ ଏବଂ କ୍ରାଇମ୍‌ବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍‌ ଭଇଁଷା ମହାବିଦ୍ୟାଳୟ ଭିତରେ ପଶିଥିଲା। ମହାବିଦ୍ୟାଳୟରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମ୍‌ବ୍ରାଞ୍ଚର ହସ୍ତଗତ ହୋଇଥିଲା। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ମହାବିଦ୍ୟାଳୟର ଅଧ୍ୟାପକଙ୍କଠାରୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ସମସ୍ତଙ୍କୁ ପୃଥକ ଭାବେ ଜେରା କରିଥିଲା । ସୌମ୍ୟଶେଖରଙ୍କ ମା ସଂଯୁକ୍ତାଙ୍କ ସହିତ ପୁଞ୍ଜିଲାଲଙ୍କ ଚାଲିଥିବା ବିବାଦ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା କ୍ରାଇମ୍‌ବ୍ରାଞ୍ଚ। ଜେରା ଶେଷ ହେବା ପରେ ସେଠୁ କେ-୯ ସ୍କ୍ଵାଡ୍‌ ସିଧା ପୁଞ୍ଜିଲାଲ୍‌ଙ୍କ ମେହେରପଡ଼ାସ୍ଥିତ ବାସଭବନକୁ ଆସିଥିଲା। ବୋମା ମିଳିବା ଘଟଣାକୁ ନେଇ ଅଧିକ ଖୋଳତାଡ ଆରମ୍ଭ ହୋଇଛି । ଅନ୍ୟପଟେ ଆଜି ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏଭଳି ହତ୍ୟାକାଣ୍ଡ ପଛରେ ଥିବା ଷଡ଼ଯନ୍ତ୍ର ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ହାତରେ ବଳିଷ୍ଠ ପ୍ରମାଣ ଲାଗିଛି। ଖୁବ୍‌ଶୀଘ୍ର ପୂରା ଘଟଣାର ପର୍ଦ୍ଦାଫାସ କରାଯିବ ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି। ପୁଞ୍ଜିଲାଲ ବୋମା ପ୍ରସ୍ତୁତ କରି ପ୍ରମାଣ ଏଡାଇବା ପାଇଁ ତାହାକୁ କିଭଳି କାହା ସହାୟତାରେ ଛତିଶଗଡ଼ର ରାୟପୁରକୁ ଯାଇ ସେଠାରୁ ପାର୍ସଲ କରିଥିଲେ, ସେ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ହାସଲ କରିଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତାଙ୍କ ପୂର୍ବରୁ ପୁଞ୍ଜିଲାଲ ସମ୍ପୃକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । କିନ୍ତୁ ସଂଯୁକ୍ତା ଝାରବନ୍ଧ ମହାବିଦ୍ୟାଳୟରୁ ଉଇଁଷା ମହାବିଦ୍ୟାଳୟକୁ ବଦଳି ହୋଇ ଆସିବା ପରେ ଶତ୍ରୁତାର ମଞ୍ଜି ପୋତା ଯାଇଥିଲା। ଗୋଟେ ପଟେ ପୁଞ୍ଜିଲାଲ ଅଧ୍ୟକ୍ଷ ପଦବି ଛାଡ଼ିବାକୁ ନାରାଜ ଥିଲେ । ଅନ୍ୟପଟେ ବରିଷ୍ଠତା ଦୃଷ୍ଟିରୁ ସଂଯୁକ୍ତା ଅଧ୍ୟକ୍ଷା ପଦବିକୁ ଶେଷରେ ଗ୍ରହଣ କରିଥିଲେ। ମୋଟାମୋଟି ଭାବେ ଭଇଁଷା ମହାବିଦ୍ୟାଳୟର ଅଧ୍ୟକ୍ଷା ପଦବି ଶେଷରେ ଶତ୍ରୁତାର ଶେଷ ସୀମା ଡେଇଁଯାଇଥିବା ନେଇ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଆଜି ସ୍ପଷ୍ଟ କରିଛି ।

ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଗତ ଫେବ୍ରୁଆରି ୨୩ ତାରିଖରେ ଏକ ପାର୍ସଲ ଆସିଥିଲା। ପାର୍ସଲ ଖୋଲିବା ପରେ ବିସ୍ଫୋରଣ ଘଟି ରବୀନ୍ଦ୍ରଙ୍କ ପୁଅ ସୌମ୍ୟଶେଖରଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ବଲାଙ୍ଗୀର ପୁଲିସ ତଦନ୍ତ ପ୍ରଥମେ କରିଥିଲା । ଠିକ ଏକ ମାସ ପରେ ମାର୍ଚ୍ଚ ୨୩ ତାରିଖରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଘଟଣାର ତଦନ୍ତ ଭାର ଗ୍ରହଣ କରିଥିଲା । ଆଜି କ୍ରାଇମ୍‌ବ୍ରାଞ୍ଚର ତଦନ୍ତକୁ ଏକ ମାସ ପୂରିଛି । ତଦନ୍ତ ସମୟରେ କ୍ରାଇମ୍‌ବ୍ରାଞ୍ଚ ଦ୍ୱାରା ଗଠିତ ଏସ୍‌ଆଇଟି ଛତିଶଗଡ଼ର ରାୟପୁର ସମେତ ୫ଟି ରାଜ୍ୟରେ ଚଢ଼ଉ କରିଥିଲା । ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାଙ୍କର ଅନ୍ୟ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ କାରଣରୁ ପାର୍ସଲ ବୋମା ବିସ୍ଫୋରଣ ଚର୍ଚ୍ଚାକୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭରୁ ଭିତ୍ତିହୀନ ବୋଲି ସ୍ପଷ୍ଟ ହୋଇଥିଲା । ଏସମ୍ପର୍କରେ ‘ସମ୍ବାଦ’ରେ ଏପ୍ରିଲ୍‌ ୧ ତାରିଖରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏବେ ଘଟଣା ଉପରୁ ପରଦା ହଟିବାରେ ଲାଗିଛି । ଲଗାତର ଗତକାଲି ଏବଂ ଆଜି କ୍ରାଇମ୍‌ବ୍ରାଞ୍ଚ ଟମ୍‌ ଅଧ୍ୟାପକ ପୁଞ୍ଜିଲାଲ୍‌ ମେହେରଙ୍କ ବାସଭନରେ ଚଢ଼ଉ କରିବା ପରେ ଅଧ୍ୟକ୍ଷ ବିବାଦ ବିସ୍ଫୋରଣ ପଛରେ ପ୍ରମୁଖ କାରଣ ବୋଲି ଜଣାପଡ଼ିଛି । ପୁଞ୍ଜିଲାଲଙ୍କ ସମେତ ଆହୁରି ୪ ସନ୍ଦିଗ୍ଧଙ୍କୁ କ୍ରାଇମ୍‌ବ୍ରାଞ୍ଚ ପାଟଣାଗଡ଼ରୁ ନେଇ ବଲାଙ୍ଗୀରରେ ଜେରା ଚଳାଇଛି । ସମସ୍ତ ଅଭିଯୁକ୍ତଙ୍କ ନିକଟରୁ ଜବତ ମୋବାଇଲ୍‌, ଲାପଟପ୍‌ ଏବଂ ଟେଲିଫୋନ୍‌ ଡାଏରୀକୁ ଏସ୍‌ଆଇଟିରେ ଥିବା ସାଇବର ସେଲ୍‌ର ଜଣେ ଇନ୍‌ସ୍ପେକ୍ଟର ଯାଞ୍ଚ କରୁଛନ୍ତି । ଉକ୍ତ ମୋବାଇଲ୍‌ରୁ କେଉଁ ସମୟରେ କାହା ସହିତ ଯୋଗାଯୋଗ ହୋଇଥିଲା, ସେ ସମ୍ପର୍କର ତଥ୍ୟ ସଂଗ୍ରହ କରାଯାଉଥିବା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ରହସ୍ୟ ଉପରୁ ଖୁବ୍‌ଶୀଘ୍ର ପର୍ଦା ହଟିବାକୁ ଯାଉଥିବା ବେଳେ ଏକ ବେନାମୀ ଚିଠି ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚକୁ ମହତ୍ତ୍ୱପୂର୍ଣ୍ଣ ଖିଅ ଧରାଇ ଦେଇଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏ ନେଇ ମୁହଁ ଖୋଲୁ ନଥିଲେ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଏହି ଖିଅକୁ ଧରି ତଦନ୍ତକୁ ଆଗେଇ ନେଇଥିଲା ଓ ଶେଷରେ ଷଡ଼୍‌ଯନ୍ତ୍ରର ମୂଳରେ ପହଞ୍ଚି ପାରିଥିବା ସୂଚନା ମିଳିଛି। ଦିନେ ଦୁଇଦିନ ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରିପାରେ। ଅନ୍ୟପକ୍ଷରେ ଜିଲ୍ଲା ପୁଲିସ ଘଟଣାର ତଦନ୍ତ ବେଳେ ଯେଉଁ କେତେକ ଦିଗକୁ ଗୁରୁତ୍ୱ ଦେଇ ନଥିଲା ସେହି ଦିଗକୁ କ୍ରାଇମ୍‌ବ୍ରାଞ୍ଚ ଗୁରୁତ୍ୱ ଦେବାରୁ ସଫଳତା ପାଇଲା ବୋଲି ମଧ୍ୟ କୁହାଯାଉଛି। କେତେକ ଜାତୀୟ ଗଣମାଧ୍ୟମରେ ଏ ନେଇ ତଥ୍ୟ ପ୍ରକାଶ ପାଇଛି। ପ୍ରକାଶିତ ତଥ୍ୟ ମୁତାବକ ବିସ୍ଫୋରଣ ହୋଇଥିବା ପାର୍ସଲ ବୋମାରେ କିଛି ଓଡ଼ିଆ ଖବରକାଗଜ ବ୍ୟବହାର ହୋଇଥିଲା। କାରଣ ବିସ୍ଫୋରଣସ୍ଥଳରୁ ଯେଉଁ ଅଧାଜଳା କାଗଜ ଟକୁଡ଼ା ଜବତ ହୋଇଥିଲା ତାହା ଓଡ଼ିଆ ଖବରକାଗଜର ବୋଲି ଜଣାପଡ଼ିଥିଲା। ତେଣୁ ବୋମା ପଛରେ ସ୍ଥାନୀୟ ହାତ ରହିଛି ବୋଲି କ୍ରାଇମ୍‌ବ୍ରାଞ୍ଚ ଜାଣିପାରିଥିଲା। ସେହି ଅନୁସାରେ ତଦନ୍ତ ଆଗକୁ ନେବାବେଳେ ଭଇଁଷା କଲେଜ ଅଧ୍ୟକ୍ଷ ପଦକୁ ନେଇ ଥିବା ବିବାଦ କଥା ପଦାକୁ ଆସିଥିଲା।

ସମ୍ବନ୍ଧିତ ଖବର