ପାର୍ସଲ ବୋମା ବିସ୍ଫୋରଣ ଘଟଣା : ପୁଣି ରାୟପୁର ଗଲା କ୍ରାଇମବ୍ରାଞ୍ଚ ଟିମ୍‌

ଅଧ୍ୟାପକ ପୁଞ୍ଜିଲାଲ ଗିରଫ, ବ୍ୟବହାର ହୋଇଛି ପୋଟାସିୟମ୍‌ କ୍ଲୋରାଇଡ୍‌, ସଲଫର୍‌

କଟକ : ମାଓବାଦୀମାନେ ବିସ୍ଫୋରଣରେ ବ୍ୟବହାର କରୁଥିବା ଆଇଡି(ଇମ୍ପ୍ରୋଭାଇଜଡ୍‌ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌) ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ବ୍ୟବହାର ହୋଇଥିଲା। ପୂରା ଘଟଣାର ମାଷ୍ଟରମାଇଣ୍ଡ ଭଇଁଷା କଲେଜ୍‌ର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ୟୁଟ୍ୟୁବ୍‌ରୁ ବୋମା ପ୍ରସ୍ତୁତ କୌଶଳ ସମ୍ପର୍କିତ ଭିଡିଓ ଡାଉନ୍‌ଲୋଡ୍‌ କରିଥିଲେ। ତାଙ୍କ ଲ୍ୟାପ୍‌ଟପରେ ଏ ସଂପର୍କିତ ଏକାଧିକ ଭିଡ଼ିଓ ମହଜୁଦ୍‌ ଥିଲା। ସେଥିରୁ କୌଶଳ ଶିଖିବା ପରେ ପ୍ରସ୍ତୁତ କରିଥିଲେ ପାର୍ସଲ ବୋମା।

ବୋମାରେ ବିସ୍ଫୋରକ ଭାବେ ପୋଟାସିୟମ୍‌ କ୍ଲୋରାଇଡ୍‌ ଓ ସଲଫର୍‌ ବ୍ୟବହାର କରାଯାଇଥିଲା। ଭଇଁଷା ମହାବିଦ୍ୟାଳୟର ପ୍ରିନ୍‌ସିପାଲ୍‌ ସଂଯୁକ୍ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ବିସ୍ଫୋରଣ କରି ଉଡ଼ାଇବାକୁ ମାଷ୍ଟର୍‌ପ୍ଲାନ୍‌ ପ୍ରସ୍ତୁତ କରିଥିଲେ। କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ମେହେରପଡ଼ାସ୍ଥିତ ଘରେ ଚଢ଼ଉ କରି ପୁଞ୍ଜିଲାଲଙ୍କ ଲ୍ୟାପ୍‌ଟପ ଜବତ କରିବା ପରେ ଏଭଳି ତଥ୍ୟ ମିଳିଛି। ଗତ ଦୁଇ ଦିନ ଧରି ତାଙ୍କୁ ଜେରା ପରେ ଆଜି ଗିରଫ କରିଛି। ଏ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଅଧିକ ପଚରାଉଚରା ଚଳାଇଛି।

ପୁଞ୍ଜିଲାଲଙ୍କ ବୟାନ ଆଧାରରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟିର ଏକ ଟିମ୍‌ ଛତିଶଗଡ଼ର ରାୟପୁର ଯାଇଛି। ପୁଞ୍ଜିଲାଲଙ୍କର କିଛି ସହଯୋଗୀଙ୍କୁ ନେଇ ରାୟପୁର ଯାଇଥିବା କୁହାଯାଉଛି। ସ୍କାଏ କିଙ୍ଗ୍‌ କୋରିଅର୍‌ ସଂସ୍ଥାରୁ ପାର୍ସଲ ଆସିଥିବା ବେଳେ ସେଠାରେ କ୍ରାଇମ୍‌ବ୍ରାଞ୍ଚ ଆଉ ଥରେ ଚଢ଼ଉ କରିବାକୁ ନିଷ୍ପତ୍ତି ହୋଇଛି। ପାଟଣାଗଡ଼ରୁ ଯେଉଁ ଲୋକ ପାର୍ସଲ ବୋମା ନେଇ ଯାଇଥିଲା, ତା’ ସମ୍ପର୍କରେ ପ୍ରମାଣ ଯୋଗାଡ଼ କରୁଛି କ୍ରାଇମ୍‌ବ୍ରାଞ୍ଚ। ମାର୍ଚ୍ଚ ଶେଷ ସପ୍ତାହରେ କ୍ରାଇମ୍‌ବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍‌ ରାୟପୁରର ଉକ୍ତ କୋରିଅର୍‌ ସଂସ୍ଥାରେ ଚଢ଼ଉ କରି ତନାଘନା ଚଳାଇଥିଲା। କିନ୍ତୁ ସେଠାରେ କୌଣସି ପ୍ରକାର ସିସି କ୍ୟାମେରା ଲାଗି ନଥିବାରୁ ପାର୍ସଲଟି ଦେଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପ୍ରମାଣ ମିଳିନଥିଲା। ଏବେ ପୁଞ୍ଜିଲାଲଙ୍କ ବୟାନ ଆଧାରରେ ପୁଣି କ୍ରାଇମ୍‌ବ୍ରାଞ୍ଚ ଚଢ଼ଉ କରିବାକୁ ଯାଇଛି।

ବଲାଙ୍ଗୀର ପାଟଣାଗଡ଼ରେ ଗତ ଫେବ୍ରୁଆରି ୨୩ ତାରିଖରେ ସ୍କାଏ କିଙ୍ଗ କୋରିଅର୍‌ ସଂସ୍ଥାର ଜଣେ କର୍ମଚାରୀ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରେ ପାର୍ସଲ ଡେଲିଭରୀ କରିଥିଲା। ତାକୁ ଖୋଲିବା ପରେ ତାଙ୍କ ନବ ବିବାହିତ ପୁଅ ସୌମ୍ୟ ଶେଖର ଏବଂ ଜେଜେ ମା’ ଜେନାମଣୀଙ୍କ ମୃତ୍ୟୁ ହୋଇଥିଲା। ନବ ବଧୂ ରିମା ଗୁରୁତର ଆହତ ହୋଇଥିଲେ। ଏହି ଘଟଣାକୁ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବା ପରେ ସ୍କାନ୍‌ର୍‌କୁ ପ୍ରଥମେ ଆସିଥିଲେ ଭଇଁଷା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର। ରବିବାର ସକାଳୁ ପୁଞ୍ଜିଲାଲଙ୍କ ସମେତ ନୂଆପଡ଼ା ନ୍ୟାସନାଲ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଭଇଁଷା ଗ୍ରାମର ଓଡ଼ିଆ ଅଧ୍ୟାପକ ଶିବ ସାଏ, ସ୍କାଏ କିଙ୍ଗ କୋରିଅର ସଂସ୍ଥା ପାଟଣାଗଡ଼ ଶାଖାର ଦିଲ୍ଲୀପ ଦାସ, ନୂଆପଡ଼ା ଉଦ୍ୟାନବନ୍ଧ ଅଞ୍ଚଳର ଠିକାଦାର ଚନ୍ଦ୍ରମଣି ମେହେର, ସରକାରୀ ଡାକ୍ତରଖାନାର ଫାର୍ମାସିଷ୍ଟ ରାଜ କୁମାର ଦାସ ଏବଂ ଉମେଶ ମଟାରୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବଲାଙ୍ଗୀର ଉଠାଇ ନେଇଥିଲା।

ସୌମ୍ୟ ଶେଖରଙ୍କ ମା’ ସଂଯୁକ୍ତା ଏବଂ ପୂର୍ବତନ ମହାବିଦ୍ୟାଳୟ ପ୍ରିନ୍‌ସିପାଲ୍‌ ପୁଞ୍ଜିଲାଲଙ୍କ ମଧ୍ୟରେ ପ୍ରିନ୍‌ସିପାଲ ପଦବିକୁ ନେଇ ଚାଲିଥିବା ବିବାଦ ଭୟଙ୍କର ରୂପ ନେବା ଘଟଣା, ରାଜ୍ୟବାସୀଙ୍କୁ ତାଜୁବ କରିଦେଇଛି।

ଏ ପ୍ରସଙ୍ଗରେ ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା କହିଛନ୍ତି ଯେ ପାର୍ସଲ ବୋମା ଘଟଣାର ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କ୍ରାଇମ୍‌ବ୍ରାଞ୍ଚ ଘଟଣାର ଟିକନିକ୍‌ ତଦନ୍ତ କରୁଛି। ଆଜି କ୍ରାଇମ୍‌ବ୍ରାଞ୍ଚର ଗୋଟିଏ ଟିମ୍‌ ରାୟପୁର ଗସ୍ତରେ ଯାଇଛି। ସେଠୁ ଅନେକ ପ୍ରମାଣ ସଂଗ୍ରହ କରାଯିବ। ବିସ୍ଫୋରଣ ଘଟଣାରେ ପୁଞ୍ଜିଲାଲ ମେହେର ପ୍ରମୁଖ ଅଭିଯୁକ୍ତ। ପୂରା ଘଟଣାକୁ ସେ କିଭଳି ଭିଆଇଥିଲା, ସେ ସମ୍ପର୍କରେ ଖୁବ୍‌ ଶୀଘ୍ର ପର୍ଦ୍ଦାଫାସ କରାଯିବ ବୋଲି ଡାକ୍ତର ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର