ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର : ଭୁବନେଶ୍ବର-ଝାରସୁଗୁଡ଼ା-ରାଉରକେଲାକୁ ଶତାବ୍ଦୀ ଟ୍ରେନ ଦାବି

ଭୁବନେଶ୍ବର : ଭାରତୀୟ ରେଳକୁ ଓଡ଼ିଶାର ଅବଦାନ ଉଲ୍ଲେଖନୀୟ। ମାଲ ପରିବହନ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ସର୍ବାଧିକ ରାଜସ୍ବ ପ୍ରଦାନ କରୁଥିବା ବେଳେ ରେଳରେ ଯାତ୍ରୀ ପରିବହନ କ୍ଷେତ୍ରରେ ରାଜ୍ୟର ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ। ଏଥିପାଇଁ ଓଡ଼ିଶାରେ ଗୁଣାତ୍ମକ ରେଳସେବା(ପ୍ରିମିୟମ୍‌) ଯଥା: ରାଜଧାନୀ, ଶତାବ୍ଦୀ, ହମ୍‌ସଫର, ତେଜାସ୍‌, ଉଦୟ ଏକ୍ସପ୍ରେସ୍‌ ଭଳି ଟ୍ରେନ୍‌ଗୁଡ଼ିକର ଚଳାଚଳ ପାଇଁ ରାଜ୍ୟ ଦାବି କରିଆସୁଛି। ଏହି ପରିପ୍ରେକ୍ଷୀ‌େର ରାଜଧାନୀ ଭୁବନେଶ୍ବର ସହିତ ରାଜ୍ୟର ପ୍ରମୁଖ ସହରଗୁଡ଼କୁ ସଂଯୋଗକାରୀ ଟ୍ରେନ୍‌ ଚଳାବାର ଆବଶ୍ୟକତା ଅନୁଭୂତ ହେଉଛି। ଏଣୁ, ଭୁବନେଶ୍ବର-ଝାରସୁଗୁଡ଼ା-ରାଉରକେଲା ସଂଯୋଗକାରୀ ଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତିି।

ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳମନ୍ତ୍ରୀ ପୀୟୁଷ ଗୋଏଲ୍‌ଙ୍କୁ ପତ୍ର ଲେଖିଛନ୍ତି। ଏହି ପତ୍ରରେ ସେ ଉଲ୍ଲେଖ କରିଛନ୍ତି, ୧୯୮୮ରେ ରାଜ୍ୟରେ ଶତାବ୍ଦୀ ଏକ୍ସପ୍ରେସ୍‌ ଚଳାଚଳ ଆରମ୍ଭ ହୋଇଥିଲା। କିନ୍ତୁ ଏହା କେବଳ ଭୁବନେଶ୍ବର-ହାୱାଡ଼ା ମଧ୍ୟରେ ସୀମିତ। ରାଜ୍ୟର ବିକାଶକୁ ଆଗେଇ ନେବା ପାଇଁ ରାଜଧାନୀରୁ ରାଜ୍ୟର ପ୍ରମୁଖ ସହରଗୁଡ଼ିକୁ ଟ୍ରେନ୍‌ ଚଳାଚଳର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏହି ଦୃଷ୍ଟିରୁ ଶତାବ୍ଦୀ ଏକ୍ସପ୍ରେସ୍‌କୁ ଭୁବନେଶ୍ବରରୁ ଝାରସୁଗୁଡ଼ା ଦେଇ ରାଉରକେଲାକୁ ଚଳାଚଳ କରାଯିବା ଆବଶ୍ୟକ।

ରାଉରକେଲା ଇସ୍ପାତ ସହର ହେବା ସହିତ ରାଜ୍ୟର ଦ୍ବିତୀୟ ସ୍ମାର୍ଟସିଟି। ସେହିପରି ପଶ୍ଚିମ ଓଡ଼ିଶାରେ ଝାରସୁଗୁଡ଼ା ସହର ପ୍ରମୁଖ ଶିଳ୍ପକେନ୍ଦ୍ର। ରାଜଧାନୀ ଭୁବନେଶ୍ବର ସହିତ ସେହି ସହରଗୁଡ଼ିକର ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ ଯୋଗେ ସଂଯୋଗୀକରଣ ହେଲେ ସେହି ସହରବାସୀଙ୍କ ପରିବହନ ଦାବି ପୂରଣ ହୋଇପାରିବ। ଏହାର ଦାବି ପଛର ଯୁକ୍ତି ହେଉଛି, ଭୁବନେଶ୍ବର-ଝାରସୁଗୁଡ଼ା-ରାଉରକେଲା ରେଳପଥ ପାଇଁ ଉଦ୍ଦିଷ୍ଟ ଏକମାତ୍ର ସକାଳୁଆ ଇଣ୍ଟରସିଟି ଏକ୍ସପ୍ରେସ୍‌ ତା’ର କ୍ଷମତାର ୧୨୦ ପ୍ରତିଶତ ଯାତ୍ରୀଙ୍କୁ ପରିବହନ କରୁଛି। ଏଣୁ, ଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ ଆର୍ଥିକ ଦୃଷ୍ଟିରୁ ଉପଯୋଗୀ ହେବ ଦର୍ଶାଇ ଏ ଦିଗରେ ଯଥାଶୀଘ୍ର ପଦ‌େକ୍ଷପ ନେବାକୁ ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତିି।

ସମ୍ବନ୍ଧିତ ଖବର