ଭାଗଚାଷୀଙ୍କୁ ପ୍ୟାକେଜ୍‌ ନେଇ ବିବାଦ

ଭୁବନେଶ୍ୱର: ରୋଗପୋକ ଜନିତ କ୍ଷୟକ୍ଷତି ପାଇଁ ଭାଗ ଚାଷୀଙ୍କୁ ବି ସହାୟତା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଏହାକୁ ନେଇ ବିବାଦ ଦେଖାଦେଇଛି। ବିନା ଆଇନ୍‌ରେ ସରକାର ଭାଗ ଚାଷୀ କିପରି ଚିହ୍ନଟ କଲେ ବୋଲି ଦଳ ପ୍ରଶ୍ନ କରିବା ସହ ସରକାରଙ୍କ ଏହା ପ୍ରତାରଣା ବୋଲି ଅଭିଯୋଗ କରିଛି। ତେବେ ଭାଗ ଚାଷୀଙ୍କୁ ଠିକ୍‌ ଭାବେ କ୍ଷତିପୂରଣ ମିଳିବ ବୋଲି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, ନିଜ ଅପାରଗତା ଲୁଚାଇବା ପାଇଁ ରାଜ୍ୟ ସରକାର ବ୍ୟସ୍ତବିବ୍ରତ ହୋଇ ତରବରିଆ ଭାବେ ଅଜ୍ଞତାର ପରିଚୟ ଦେଇ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଭାଗ ଚାଷୀଙ୍କୁ ସବୁବେଳେ ମିଛ ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିବା ସରକାର କେଉଁ ଆଇନ୍‌ ବଳରେ କ୍ଷତିଗ୍ରସ୍ତ ଭାଗଚାଷୀଙ୍କୁ ସହାୟତା ପ୍ରଦାନ କରିବେ ? ବିନା କୌଣସି ଆଇନ୍‌ରେ ରାଜ୍ୟ ସରକାର ବେଆଇନ୍‌ କାର୍ଯ୍ୟ କରୁଛନ୍ତି। ସରକାରଙ୍କ ଫମ୍ପା ଓ ମୂଲ୍ୟହୀନ ଘୋଷଣାରେ ଭାଗଚାଷୀ କ୍ଷତିପୂରଣ ପାଇପାରିବେ ନାହିଁ। ଭାଗ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଗତ ୩/୪ ବର୍ଷ ହେଲା ଆଇନ୍‌ ଆଣିବା ପାଇଁ କେବଳ ଘୋଷଣା କରୁଛନ୍ତି। ୩ ଜଣିଆ ଗ୍ରାମ୍ୟ କମିଟି ଦ୍ୱାରା ଭାଗଚାଷୀ ଚିହ୍ନଟ ଓ କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା ପଛରେ କୌଣସି ଆଇନ୍‌ ଅନୁମୋଦନ ନ ଥିବାରୁ ଏହା ସଫଳତାର ସହ କାର୍ଯ୍ୟକାରୀ ହୋଇପାରିବ ନାହିଁ। କ୍ଷତିଗ୍ରସ୍ତ ଭାଗ ଚାଷୀଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ରାଜ୍ୟ ସରକାର ଅଧ୍ୟାଦେଶ ବଳରେ ତୁରନ୍ତ ଆଇନ୍‌ ପ୍ରଣୟନ କରି ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରନ୍ତୁ।

ତେବେ ବିଜେପିର ଏହି ଅଭିଯୋଗ ମୂଲ୍ୟହୀନ ବୋଲି ଦର୍ଶାଇଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। ସେ କହିଛନ୍ତି, ଭାଗ ଚାଷୀ ଆଇନ୍‌କୁ ଅପେକ୍ଷା କରି ହେବନି। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯାଉଛି। ଏଥି ପାଇଁ ପଦ୍ଧତ୍ତି ସ୍ଥିର ହୋଇଛି। ସେହି ପଦ୍ଧତ୍ତି ମାଧ୍ୟମରେ କ୍ଷତିପୂରଣ ରାଶି ମିଳିବ।

ସମ୍ବନ୍ଧିତ ଖବର