ପଟ୍ଟଚିତ୍ର ଅଧିକାରକୁ ନେଇ ଉଗ୍ର ହେଉଛି ବିବାଦ : ଦୁଇ ଗାଁ ମୁହାଁମୁହିଁ, ଅଘଟଣ ଆଶଙ୍କା

ପୁରୀ :‌ ପଟ୍ଟଚିତ୍ର ଅଧିକାରକୁ ନେଇ ପୁରୀ ସଦର ବ୍ଲକ୍ ରଘୁରାଜପୁର ଓ ବାସୁଦେଇପୁର ଗାଁ ମଧ୍ୟରେ ଲାଗି ରହିଥିବା ବିବାଦ ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି। ଏହାକୁ କେନ୍ଦ୍ର କରି ଦୁଇ ଗାଁ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଏକାଧିକ ଥର ଗଣ୍ଡଗୋଳ ହେଲାଣି। ବିବାଦଟି ପେଟପାଟଣା ପାଇଁ ହେଉଥିବାରୁ କେହି କାହାରି ଅଧିକାର ଛାଡ଼ିବାକୁ ନାରାଜ। ଏଭଳି ପରିସ୍ଥିତିରେ ବଢ଼ୁଥିବା ବିବାଦର ସ୍ଥାୟୀ ପ୍ରତିକାର ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହେଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରୁନଥିବାରୁ ଆଗାମୀ ଦି‌ନରେ ଏହାକୁ କେନ୍ଦ୍ର କରି ବଡ଼ ଅଘଟଣ ଆଶଙ୍କା ଦେଖାଦେଇଛି।

ବିଶ୍ବପ୍ରସିଦ୍ଧ ପଟ୍ଟଚିତ୍ରର ଏନ୍ତୁଡ଼ିଶାଳ କହିଲେ ରଘୁରାଜପୁରକୁ ବୁଝାଏ। ପଟ୍ଟଚିତ୍ର ପାଇଁ ରାଜ୍ୟ ସରକାର ଏହି ଗାଁକୁ ଶିଳ୍ପୀ ଗ୍ରାମର ମାନ୍ୟତା ଦେଇଥିବା ବେଳେ ଏଠାରେ ଦୈନିକ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ଏହି ଗାଁର କାରିଗରମାନେ ପଟ୍ଟଚିତ୍ର ବିକ୍ରି କରି ଯାହା ପାଆନ୍ତି ସେଥିରେ ସେମାନଙ୍କ ପରିବାର ଚଳେ। କିନ୍ତୁ ରଘୁରାଜପୁର ଗାଁ ପାଖକୁ ବାସୁଦେଇପୁରରେ ବି କିଛି କାରିଗର ପଟ୍ଟଚିତ୍ର ବ୍ୟବସାୟ ଆରମ୍ଭ କରିଛନ୍ତି। ନିଜେ ପଟ୍ଟଚିତ୍ର କରି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି। ରଘୁରାଜପୁର ଗାଁ ଲୋକଙ୍କ କହିବା ମୁତାବକ, ତାଙ୍କ ଗାଁ ହିଁ ପଟ୍ଟଚିତ୍ରର ଗାଁ। ଏହିଠାରେ ହିଁ ପ୍ରକୃତ ପଟ୍ଟଚିତ୍ର ମିଳିଥାଏ। ରଘୁରାଜପୁରରେ ଘରେ ଘରେ ପଟ୍ଟଚିତ୍ର ତିଆରି ହେଉଛି। ପ୍ରଶିକ୍ଷଣ ପାଇଁ ଆଖପାଖ ଗାଁରୁ ବହୁ ସଂଖ୍ୟାରେ ଯୁବକ, ଯୁବତୀ ଏଠାକୁ ଆସୁଛନ୍ତି। କିନ୍ତୁ ବାସୁଦେଇପୁର ଗାଁ ଲୋକେ ରଘୁରାଜପୁରର ବାଟ ଅବରୋଧ କରୁଛନ୍ତି। ବାସୁଦେଇପୁର ଗ୍ରାମବାସୀ ନିଜକୁ ରଘୁରାଜପୁର ଲୋକ ପରିଚୟ ଦେଉଛନ୍ତି। ବାସୁଦେଇପୁର ଗାଁ ଲୋକଙ୍କ କହିବା ମୁତାବକ, ୩୦ ବର୍ଷ ତଳେ ପଟ୍ଟଚିତ୍ରର ସ୍ରଷ୍ଟା ସ୍ବର୍ଗତ ଡ. ଜଗନ୍ନାଥ ମହାପାତ୍ର ନିଜ ଗାଁ ଛାଡ଼ି ପଟ୍ଟଚିତ୍ର କଳାର ପ୍ରଚାର ପ୍ରସାର ପାଇଁ ରଘୁରାଜପୁର ନିକଟସ୍ଥ ବାସୁଦେବପୁର ଗାଁକୁ ଚାଲି ଆସିଥିଲେ। ଏକ ଭଡ଼ା ଘରେ ରହି ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ତାଙ୍କ ଦେହାନ୍ତ ପରେ ପୁତ୍ର ସୁଦର୍ଶନ ମହାପାତ୍ର ଏଠାରେ ନିଜର କଳାକୃତିକୁ ଯାତ୍ରୀମାନଙ୍କୁ ବିକ୍ରି କରୁଥିଲେ। ପ୍ରଶିକ୍ଷଣ ପାଇଥିବା ଅନ୍ୟମାନେ ବି ପଟ୍ଟଚିତ୍ର କରି ବିକ୍ରି କଲେ। କିନ୍ତୁ ରଘୁରାଜପୁର ଲୋକେ ଏହାକୁ ସହ୍ୟ କରିନପାରି ବାସୁଦେବପୁର ପଟ୍ଟଚିତ୍ର କାରିଗରଙ୍କୁ ଆକ୍ରୋଶମୂଳକ ଆକ୍ରମଣ କରୁଛନ୍ତି। ତେବେ, ଏହାକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର