ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ : ପ୍ରାର୍ଥୀ ଚୟନ ଉପରେ ସମସ୍ତଙ୍କ ନଜର

କଂଗ୍ରେସରୁ ଗଣେଶ୍ୱର ପ୍ରାର୍ଥୀ ହେଲେ ବିଜେଡିରୁ କିଏ?

ପଟ୍ଟାମୁଣ୍ଡାଇ : ସୀମା ପୁନନିଦ୍ଧାରଣରେ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ବିଲୋପ ହେବା ପରେ ପୁରୁଣା ନିର୍ବାଚନ ମଣ୍ଡଳୀରେ ଥିବା ୧୭ ଗୋଟି ଗ୍ରାମ ପଂଚାୟତ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସହିତ ସାମିଲ ହୋଇଛି। ଏହି ୧୭ ଗୋଟି ପଂଚାୟତର ମୋଟ ଭୋଟର ସଂଖ୍ୟା ହେଉଛି ପାଖାପାଖି ୬୫ ହଜାରରୁ ଅଧିକ। ଗତ ବିଧାନସଭା ନିର୍ବାଚନରେ ଏହି ୧୭ ଗୋଟି ଗ୍ରାମ ପଂଚାୟତରୁ ବିଜେଡି ପ୍ରାର୍ଥୀ ୭ଶହ ଭୋଟ ଅଧିକ ପାଇଥିଲେ। ଚଳିତ ବର୍ଷ କଣ ହେବ ସେଥିନେଇ ରାଜନୈତିକ ଅଂକକଷା ଆରମ୍ଭ ହୋଇଛି। କଂଗ୍ରେସ ଦଳରୁ ବରିଷ୍ଠନେତା ଗଣେଶ୍ୱର ବେହେରା ପ୍ରାର୍ଥୀ ହେଉଥିବା ବେଳେ ବିଜେଡି ଦଳର କିଏ ପ୍ରାର୍ଥୀ ହେବେ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ଏଠାରେ ବିଜେପିର ସାଂଗଠନିକ ଶକ୍ତି ଦୁର୍ବଳ ଥିବାରୁ ଏହି ଦଳର ପ୍ରାର୍ଥୀକୁ ନେଇ ପାଣିପାଗ ସରଗରମ ହୋଇନାହିଁ। ବିଜେଡିରୁ ବିଧାୟକ ଥିବା କିଶୋର ଚନ୍ଦ୍ର ତରାଇ ଏଠାରୁ ପ୍ରାର୍ଥୀ ହେବେ ନା ନୂଆ ମୁହଁ ଆସିବେ ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କିଶୋରଙ୍କୁ ଏଠାକାର ଛାମୁଆ ବିଜେଡି ନେତାମାନେ ବିରୋଧ କରିବା ସହ ତାଙ୍କର ବିଜୟ ସମ୍ଭାବନା କମ ଥିବା ଯୁକ୍ତି ବାଢ଼ୁଛନ୍ତି। ବିଜେଡିର ନୂଆ ମୁଁହ ହେଲେ କଂଗ୍ରେସକୁ ଏଠାରେ ଟକ୍କର ଦେବବୋଲି ଏହି ନେତାମାନେ କହି ନୂଆ ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ଚଳାଇଥିବାର ଦେଖିବାକୁ ମିଳିଛି। ଗଣେଶ୍ୱର ବେହେରାଙ୍କ ଘର ଏହି ଅଂଚଳରେ ହୋଇଥିବାରୁ ବିଜେଡି ପ୍ରାର୍ଥୀ ଚୟନରେ ସାବଧାନତା ଅବଲମ୍ବନ କରିବ ବୋଲି କୁହାଯାଉଛି। ଗଣେଶ୍ୱର ବେହେରା ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରୁ ଦୁଇଥର ମୋଟ ୪ଥର କ୍ରମାଗତ ଭାବରେ ପରାସ୍ତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ସେ ସହାନୁଭୂତି ଭୋଟ ପାଇ ବିଜୟ ହେବାକୁ ଆଶା ବାନ୍ଧିଛନ୍ତି। ଶ୍ରୀ ବେହେରା ବିଭିନ୍ନ ଦଳର ଛାମୁଆ ନେତାଙ୍କ ସହିତ ବୁଝାବଣା ଆଲୋଚନା କରୁଥିବା ଦେଖିବାକୁ ମିଳିଛି।

ପଟ୍ଟାମୁଣ୍ଡାଇ ଅଂଚଳର ଥିବା ଏହି ୧୭ ଗୋଟି ଗ୍ରାମ ପଂଚାୟତ ଗୁଡିକ ଅଣ କଂଗ୍ରେସ ଦୁର୍ଗ ଭାବରେ ପରିଚିତ। ବିଭିନ୍ନ ନିର୍ବାଚନରେ ଅଧିକ ଭୋଟ ଅଣ କଂଗ୍ରେସ ପ୍ରାର୍ଥୀ ଏଠାରୁ ପାଇଥାନ୍ତି। ଗତ ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ଗଣେଶ୍ୱର ବେହେରା ଓ ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିବା କିଶୋର ତରାଇଙ୍କ ମଧ୍ୟରେ ତିବ୍ର ମୁକାବିଲା ହୋଇଥିଲା। ବିଜେଡି ମଧ୍ୟରେ ଗୋଷ୍ଠି ବିବାଦ ଯୋଗୁ ଏହି ୧୭ ପଂଚାୟତରୁ ମାତ୍ର ବିଜେଡି ୭ଶହ ଭୋଟ ପାଇଥିଲା।

ବିଜେଡି ଦଳ ମଧ୍ୟରେ ଏକାଧିକ ଆଶାୟୀ ଥିବାରୁ ଏଠାରେ ବିଜେଡି ଦଳ ମଧ୍ୟ କସରତ ତୀବ୍ର ହେବାରେ ଲାଗିଛି। ଆଗାମୀ ନିର୍ବାଚନରେ କଂଗ୍ରେସ ଦଳରୁ ଗଣେଶ୍ୱର ବେହେରା ପ୍ରାର୍ଥୀ ହେବା ନେଇ ଆଲୋଚନା ଜୋର ଧରିଥିବା ବେଳେ ବିଜେଡି ପ୍ରାର୍ଥୀ ଚୟନ ଉପରେ ସବୁକିଛି ନିର୍ଭର କରୁଛି। । ନଦୀ ଆରପଟେ ଥିବା ୭ ପଂଚାୟତର ଛାମୁଆ ବିଜେଡି ନେତାମାନେ ବିଜେଡିର ଆଶାୟୀ ଥିବା ସିପ୍ରା ମଳିକଙ୍କ ସପକ୍ଷରେ ଲବି ଆରମ୍ଭ କରିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଳକର ବଲୁରିଆ, ଅମୃତମଣୋହୀ, ଅଣ୍ଡରା, ପେଣ୍ଠପାଳ, ତରଡିପାଳ, ଅଳପୁଆ, ସିଂହଗାଁ, ବାଲିପାଟଣା, ନୀସିଂହପୁର, ବଡମୁଳବସନ୍ତ, ଡିହାପଡା, ନିଳକଂଠପୁର ଓ ପଟ୍ଟାମୁଣ୍ଡାଇ ଥାନା ଅଂଚଳରେ ଥିବା ସାନମାଣିତିଆ, ଗାଙ୍ଗପଡା, ଚନ୍ଦନପୁର, କେଶପୁର ପଳସିଂହା ପଂଚାୟତ କେନ୍ଦ୍ରାପଡା ନିର୍ବାଚନ ମର୍ଡଳୀ ସହିତ ରହିଛି। ଗଣେଶ୍ୱର ବେହେରାଙ୍କ ଘର ଚନ୍ଦନପୁର ପଂଚାୟତରେ ହୋଇଥିବାରୁ ତାଙ୍କର ଏଠାରେ ବିଶେଷ ପ୍ରଭାବ ରହିଛି।

ସମ୍ବନ୍ଧିତ ଖବର