ଜରିମାନା ନ ଦେଲେ ଖଣି ବନ୍ଦ

୮ ହଜାର କୋଟି ଆଦାୟ, ଆହୁରି ଅଧା ବାକି

ଭୁବନେଶ୍ୱର : ଡିସେମ୍ବର ୩୧ ତାରିଖ ସୁଦ୍ଧା ବେଆଇନ ଖଣି ଲିଜ୍‌ଧାରୀଙ୍କଠାରୁ ୧୭୫୭୧ କୋଟି ଟଙ୍କାର ଜରିମାନା ଆଦାୟ କରିବାକୁ ସୁପ୍ରିମ କୋର୍ଟଙ୍କ ଆଦେଶ ଦେଇଛନ୍ତି। ତଦନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ପାଖାପାଖି ୮ ହଜାର କୋଟି ଟଙ୍କାର ଜରିମାନା ଲିଜ୍‌ଧାରୀମାନେ ଦେଲେଣି। ତଥାପି ରିପୋର୍ଟ ଲେଖା ହେବା ଯାଏଁ ଅଧାରୁ ଅଧିକ ଜରିମାନା ଆଦାୟ ହୋଇପାରିନାହିଁ। ନିର୍ଧାରିତ ସମୟସୀମା ମଧ୍ୟରେ ଜରିମାନା ନ ଦେଲେ, ଜାନୁଆରୀି ୧ ତାରିଖ ପୂର୍ବାହ୍ନରେ ଚାଲୁଥିବା ଖଣି ବନ୍ଦ କରାଯିବ। ଏ ନେଇ ଖଣି ନିର୍ଦେଶକ ସଂପୃକ୍ତ ଖଣି ଉପନିର୍ଦେଶକ, ଖଣି ଅଧିକାରୀମାନଙ୍କୁ କଡ଼ା ନିର୍ଦେଶ ଦେଇଛନ୍ତିି। କେବଳ ସେତିକି ନୁହେଁ, ୧ ତାରିଖରେ ରାଜ୍ୟ ସରକାର ଜରିମାନା ଆଦାୟ ସହିତ ସରକାରଙ୍କ ପଦକ୍ଷେପ ସଂପର୍କିତ ରିପୋର୍ଟ ସୁପ୍ରିମ କୋର୍ଟରେ ଦାଖଲ କରିବେ।

ଖଣି ନିର୍ଦେଶାଳୟ ସୂତ୍ର ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ମୋଟ ୭୮୬୨ କୋଟି ଟଙ୍କାର ଜରିମାନା ଆଦାୟ ହୋଇଛି। ଖଣି ଲିଜ୍‌ଧାରୀମାନେ ଜରିମାନା ରାଶି ଅନ୍‌ଲାଇନ ଯୋଗେ ଦେଉଥିବାରୁ ପ୍ରତି ମୁହୂର୍ତରେ ଆଦାୟ ପରିମାଣ ବଢ଼ିଚାଲିଛି। ଆଜି ଅପରାହ୍ଣ ବେଳକୁ ପ୍ରାୟ ୫ ହଜାର କୋଟି ଟଙ୍କାର ଜରିମାନା ଆଦାୟ ହୋଇଥିବା ବେଳେ ସନ୍ଧ୍ୟା ବେଳକୁ ଏହା ପାଖାପାଖି ୮ ହଜାର କୋଟିରେ ପହଞ୍ଚିଛି। ଜଣେ ବରିଷ୍ଠ ଅଫିସରଙ୍କ କହିବାନୁସାରେ ଅନ୍‌ଲାଇନ ଯୋଗେ ୨୪ ଘଣ୍ଟା ଧରି ଦେୟ ଜମା କରିହେବ। ଏଣୁ ଜମା ରାଶି ବଢ଼ିପାରେ। ଓଡ଼ିଶା ଖଣି ନିଗମର ୩୭ଟି ଖଣି ରହିଛି। ନିଗମ ଉପରେ ମୋଟ ୨୨୯୦ କୋଟି ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଛି। ସନ୍ଧ୍ୟା ସୁଦ୍ଧା ନିଗମ ଦେଇଥିବା ଜରିମାନା ମଧ୍ୟରୁ ସରକାରୀ ତହବିଲ୍‌କୁ ଆସିଛି ପ୍ରାୟ ୧୯୯୦ କୋଟି। ସେହିପରି ଏସେଲ୍‌ ମାଇନିଂ ଦେଇଛି ୧୧୦୨ କୋଟି, ଇନ୍ଦ୍ରାଣୀ ପଟ୍ଟନାୟକ ୧୬୧.୩୫ କୋଟି, ଆର୍ଯ୍ୟ ମାଇନିଂ ଆଣ୍ଡ ଟ୍ରେଡିଂ କମ୍ପାନି ଦେଇଛି ପ୍ରାୟ ୧୪୬ କୋଟି। କିନ୍ତୁ ଏହା ଚୂଡ଼ାନ୍ତ ରାଶି ନୁହେଁ।

ଅବଶ୍ୟ ଆଉ ଦୁଇଦିନ ପର୍ଯ୍ୟନ୍ତ ଜରିମାନା ଆଦାୟ ଜାରି ରହିବ। ଏପରି କି ଡିସେମ୍ବର ରାତି ୧୨ଟା ପର୍ଯ୍ୟନ୍ତ ଜରିମାନା ଦେୟ ସରକାରଙ୍କ ଟ୍ରେଜେରିକୁ ଆସିଲେ ବି ସେହି ରାଶିକୁ ଗ୍ରହଣ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତିି।

ସୂଚନାଯୋଗ୍ୟ ଯେ ରାଜ୍ୟରେ ଜରିମାନା ଦେବାକୁ ଖଣିଗୁଡ଼ିକ ୫୪ଟି କାର୍ଯ୍ୟକ୍ଷମ ଥିବା ବେଳେ ୧୪୬ଟି ଖଣି ଅଚଳ ରହିଛି। କାର୍ଯ୍ୟକ୍ଷମ ୫୪ଟି ଖଣି ମଧ୍ୟରୁ ୪୬ଟି ଲୁହାପଥର, ୮ଟି ମାଙ୍ଗାନିଜ୍‌ ଖଣି। କିନ୍ତୁ ସୁପ୍ରିମ କୋର୍ଟଙ୍କ ଆଦେଶ ମୁତାବକ ଜଣେ ଲିଜ୍‌ଧାରୀଙ୍କ ହାତରେ ଏକାଧିକ ଖଣି ଥିଲେ, ସବୁ ଖଣି ପାଇଁ ସମସ୍ତ ଜରିମାନା ଦେୟ ଦେବାକୁ ହେବ। ନଚେତ ଏକସାଙ୍ଗରେ ସବୁ ଖଣି ବନ୍ଦ କରାଯିବ। ଜାନୁଆରି ୧ ତାରିଖରେ ଜରିମାନା ଏବଂ ଖଣି(ବନ୍ଦ କି ଖୋଲା)ର ସ୍ଥିତି ଜଣାଇବାକୁ ଯୋଡ଼ା, କୋଇଡ଼ା, ଯାଜପୁର ରୋଡ୍‌ ଖଣି ଉପନିର୍ଦେଶକ, ବାରିପଦା, କେନ୍ଦୁଝର ଖଣି ଅଧିକାରୀଙ୍କୁ ଖଣି ନିର୍ଦେଶକ ଦୀପକ କୁମାର ମହାନ୍ତି ନିର୍ଦେଶ ଦେଇଛନ୍ତିି। ସେମାନେ ମଧ୍ୟାହ୍ନ ସୁଦ୍ଧା ସ୍ଥିତି ରିପୋର୍ଟ ଦାଖଲ କରିବା ପରେ ଅପରାହ୍ଣରେ ରାଜ୍ୟ ସରକାର ସୁପ୍ରିମ କୋର୍ଟଙ୍କୁ ସତ୍ୟପାଠ ଜରିଆରେ ସ୍ଥିତି ରିପୋର୍ଟ ଦେବେ।

ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ ବେଆଇନ ଖଣିଗୁଡ଼ିକରୁ ମିଳିବାକୁ ଥିବା ଜରିମାନା ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ପରିଷଦ(ଓଏମ୍‌ବିଏଡିସି) ପାଣ୍ଠିରେ ଜମା ହେବ। ଏହି ପରିଷଦର ଅଧ୍ୟକ୍ଷ ମୁଖ୍ୟ ଶାସନ ସଚିବ ଥିବା ବେଳେ ଉପାଧ୍ୟକ୍ଷ ଉନ୍ନୟନ କମିସନର ରହିଛନ୍ତିି। ଏହା ଏକ ସ୍ପେସାଲ୍‌ ପର୍‌ପୋସ୍‌ ଭେଇକିଲ୍‌(ଏସ୍‌ପିଭି) ଭଳି କାର୍ଯ୍ୟ କରିବ। ଏସ୍‌ପିଭି ଜରିଆରେ ସେହି ଅର୍ଥ ସଂପକ୍ତ ଖଣି ଅଞ୍ଚଳ ସକାଶେ ବ୍ୟୟ ଯୋଜନା କରାଯିବ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତିି।

ସମ୍ବନ୍ଧିତ ଖବର