ସହିଦ ଅଜିତଙ୍କୁ ଅଶ୍ରୁଳ ବିଦାୟ

କାମାକ୍ଷାନଗର/ଢେଙ୍କାନାଳ : ଆତ୍ମୀୟସ୍ବଜନଙ୍କ ଆଖି‌େର ଲୁହ ବାଧା ମାନୁ ନ ଥିଲା। ସାଧାରଣ ଜନତା ବି କୋହ ସମ୍ଭାଳି ପାରୁ ନ ଥି‌େଲ। ଏମିତି ଭାବପୂର୍ଣ୍ଣ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ଆଜି ମଧ୍ୟାହ୍ନରେ ପଞ୍ଚଭୂତରେ ବିଲୀନ ହୋଇଛି ସହିଦ ଅଜିତ ସାହୁଙ୍କ ପାର୍ଥିବ ଶରୀର। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ବଡ଼ସୁଆଁଳ ଗାଁର ଏହି ବୀର ସନ୍ତାନଙ୍କୁ ସହସ୍ରାଧିକ ଲୋକ ‘ବୀର ସହିଦ ଅଜିତ ଅମର ରହେ’ ଧ୍ବନି ଦେଇ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କାମାକ୍ଷାନଗରରୁ ବଡ଼ସୁଆଁଳ ପ୍ରାୟ ୧୨ କି.ମି. ରାସ୍ତା ପାଲଟିଥିଲା ଶୋକାତୁରଙ୍କ ଜନସମୁଦ୍ର।

ଜମ୍ମୁକଶ୍ମୀର ଅନନ୍ତନାଗ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ସୋମବାର ରାତି ୨ଟାବେ‌େଳ ପ୍ରାଣ ହରାଇଥିଲେ ଅଜିତ। ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଟନାରୁ ମରଶରୀର ଆସିବାରେ ବିଳମ୍ବ ହୋଇଥିଲା। ଗତକାଲି ରାତିରେ ପାଟନାରୁ ପାର୍ଥିବ ଶରୀର ଆସି ରାତି ସାଢ଼େ ୧ଟାବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା। ଭୋର ୫ଟା ୩୦ରେ ୧୨୦ ବାଟାଲିୟନ ସଶସ୍ତ୍ର ପୁଲିସ ବାହିନୀ ସେଠାରେ ପହଞ୍ଚିବା ପରେ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କାମାକ୍ଷାନଗର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ପଣ୍ଡା, କେନ୍ଦୁଝର ପାଟଣା ବିଧାୟକ ମୋହନ ମାଝି, ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହାପରେ ସୈନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ଗହଣରେ ସମ୍ପର୍କୀୟ ଭାଇ ପରମେଶ୍ୱର ସାହୁ ଶବାଧାର ସହ ବଡ଼ସୁଆଁଳ ଅଭିମୁଖେ ବାହରିଥିଲେ। ଢେ଼ଙ୍କାନାଳ ମିନି ଷ୍ଟାଡିୟମଠାରେ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ଏସ୍‌ପି ଅନୁପମା ଜେମ୍ସ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ସାଂସଦଙ୍କ ପ୍ରତିନିଧି ଦୀପକ ଦାସ, ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପରେ ସହିଦଙ୍କ ଅନ୍ତିମ ଶୋଭାଯାତ୍ରା ଗାଁ ଅଭିମୁଖେ ବାହାରିଥିଲା। ବାଟରେ ଗେଙ୍ଗୁଟିଆଠାରେ ଗ୍ରାମବାସୀମାନେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ। ସକାଳ ସାଢ଼େ ୮ ଟାବେ‌େଳ ପଣ୍ଡୁଆ ଛକରେ ଅଞ୍ଚଳବାସୀ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ସେଠାରୁ ବିରାଟ ପଟୁଆରରେ ଶବାଧାର ଆସି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ପ୍ରଶାସନ ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ ପରେ କାମାକ୍ଷାନଗର ଓକିଲ ସଂଘ ସଭାପତି ରଂଜନ ରାଉତ, ସମ୍ପାଦକ ପ୍ରସନ୍ନ ତ୍ରିପାଠୀ, ବସ୍‌ ମାଲିକ ସଂଘ ସମ୍ପାଦକ ଅଶ୍ୱିନୀ ମହାପାତ୍ର, ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ପ୍ରତିନିଧି ଦେବାଶିଷ ମିଶ୍ର ଓ ବଣିକ ସଂଘ କର୍ମକର୍ତା ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କାମାକ୍ଷାନଗର ଟାଉନ ପରିକ୍ରମା କରି ଶୋଭାଯାତ୍ରା ବଡ଼ସୁଆଁଳ ଅଭିମୁଖେ ବାହାରିଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଶୋକାକୁଳ ଜନତା ମାଟିର ବୀର ସନ୍ତାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଅନ୍ତିମ ଦର୍ଶନ ପାଇଁ ବଡ଼ସୁଆଁଳରେ କାମାକ୍ଷାନଗର ଉପଖଣ୍ଡର ହଜାର ହଜାର ଲୋକ ପହଞ୍ଚିଥିଲେ। ମରଶରୀର ୧୦ ମିନିଟ୍‌ ପାଇଁ ନିଜ ଘରକୁ ନିଆଯାଇଥିଲା। ସେଠାରେ ପୁଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଥିଲା। ଆତ୍ମୀୟସ୍ବଜନମାନେ ଶେଷ ଦର୍ଶନ କରିବା ପରେ ଗାଁ ପରିକ୍ରମା କରି ସହିଦଙ୍କ ପ୍ରିୟ ଖେଳ ପଡ଼ିଆ ନିକଟ ଶ୍ମଶାନକୁ ନିଆଯାଇଥିଲା। ସୈନ୍ୟ ବିଭାଗ ପକ୍ଷରୁ ସେଠାରେ ଗାର୍ଡ ଅଫ୍‌ ଅନର୍‌ ସହ ତୋପ ସଲାମୀ ଦିଆଯାଇଥିଲା। ଢେ଼ଙ୍କାନାଳ ଜିଲ୍ଲାପାଳ ଶ୍ରୀ କଲ୍ୟାଣ,ଏସ୍‌ପି ଶ୍ରୀମତୀ ଜେମ୍ସ, କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚର୍ଯ୍ୟ, ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବଡ଼ଭାଇ ଆଲୋକ ସାହୁ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର