ବାଜପେୟୀଙ୍କ ପରଲୋକରେ ଶୋକ

ରାଜନୀତିକୁ ଆଧ୍ୟାତ୍ମିକତାର ସ୍ପର୍ଶ ଦେଇଥିଲେ: ରାଜ୍ୟପାଳ

ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜଣେ ଯୁଗ ପୁରୁଷ। ତାଙ୍କ ଅନ୍ତେ ଏକ ଯୁଗର ଅବସାନ ଘଟିଛି। ସମସ୍ତଙ୍କ ପାଇଁ ତାଙ୍କ ହୃଦୟରେ ଶ୍ରଦ୍ଧା ଥିଲା, ସମସ୍ତଙ୍କ ହୃଦୟରେ ମଧ୍ୟ ତାଙ୍କ ନିମନ୍ତେ ଗଭୀର ସ୍ନେହ ଓ ସମ୍ମାନ ରହିଛି। ତାଙ୍କର ସ୍ୱପ୍ନ, ରକ୍ତର ପ୍ରତ୍ୟେକ ବିନ୍ଦୁ ଓ ନିଃଶ୍ୱାସ ଜାତିର ଉନ୍ନତି ଏବଂ ସର୍ବୋପରି ମାନବିକତା ପାଇଁ ଉଦ୍ଦିଷ୍ଟ ଥିଲା। ସେ ରାଜନୀତିକୁ ଆଧ୍ୟାତ୍ମିକତାର ସ୍ପର୍ଶ ଦେଇଥିଲେ। ତାଙ୍କ ଭଳି ମହାନ୍‌ ସମନ୍ଵିତ ଆତ୍ମାକୁ ପ୍ରଣାମ କରୁଛି।

ଦେଶବାସୀଙ୍କ ସ୍ମୃତିରେ ଜୀବିତ ରହିବେ : ଧର୍ମେନ୍ଦ୍ର

ବାଜପେୟୀଙ୍କ ପରଲୋକରେ ଗଭୀର ଶୋକ ପ୍ରକଟ କରି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଭାରତୀୟ ରଜାନୀତି ପାଇଁ ଆଜି ଏକ ଦୁଃଖଦ ଦିବସ ଓ ଦେଶ ପାଇଁ ଅପୂରଣୀୟ କ୍ଷତିର ଦିନ। ବିଜେପିର ପ୍ରଥମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଟଳଜୀ ଥିଲେ ଅନନ୍ୟ ଚିନ୍ତାନାୟକ, ଲବ୍ଧ ପ୍ରତିଷ୍ଠ ଲେଖକ, ରାଜନୀତିରେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଓ ମଣିଷ ପରି ମଣିଷଟିଏ। ତାଙ୍କୁ ସମର୍ଥକ ଓ ବିରୋଧୀ ଉଭୟ ସମ୍ମାନ କରୁଥିଲେ, ଯାହା କି ତାଙ୍କ ବିରାଟ ବ୍ୟକ୍ତିତ୍ୱର ପରିଚୟ। ୧୯୯୯ ମହାବାତ୍ୟା ପ୍ରଭାବରେ ଯେତେବେଳେ ଅଧା ଓଡ଼ିଶା ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା, ସେତେବେଳେ ଅଟଳଜୀ ପ୍ରଚୁର ସାହାଯ୍ୟ ଓ ସମର୍ଥନ ଯୋଗାଇ ଦେଇଥିଲେ। ଅଟଳଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓଡ଼ିଶାର ଗ୍ରାମାଞ୍ଚଳରେ ସଡ଼କ ଯୋଗାଯୋଗ ସ୍ଥାପନ କରି ବିକାଶ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି। ତାଙ୍କରି ନେତୃତ୍ୱରେ ଭାରତ ବିଶ୍ୱର ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରମାନଙ୍କ କ୍ଲବ୍‌ରେ ସାମିଲ୍‌ ହୋଇପାରିଲା। ପାରାଦୀପ ତୈଳ ବିଶୋଧନାଗାର ହେଉଛି ଅଟଳଜୀଙ୍କ ଓଡ଼ିଶା ପ୍ରତି ଉପହାର। ୨୦୦୨ ମେ’ ମାସରେ ସେ ଏହି ବିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆଜି ଏହା କେବଳ ଓଡ଼ିଶା ନୁହେଁ, ସାରା ଦେଶର ବିକାଶ ପାଇଁ ଯୋଗଦାନ ଦେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ନିର୍ବିବାଦୀୟ ରାଜନେତା: ବାଚସ୍ପତି

ବାଚସ୍ପତି ପ୍ରଦୀପ ଅମାତ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଜଣେ ଜଣେ ନିର୍ବିବାଦୀୟ ରାଜନେତା ଭାବେ ସ୍ୱର୍ଗତ ବାଜପେୟୀ ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ପରିଚିତ। ତାଙ୍କର ଓଜସ୍ୱୀ ବକ୍ତବ୍ୟ ସଂସଦର ସମସ୍ତ ସାଂସଦଙ୍କ ହୃଦୟ ସ୍ପର୍ଶ କରିଥିଲା। କଥାକୁ କାମରେ ଦେଖାଇବା ଥିଲା ତାଙ୍କ ବ୍ୟକ୍ତିତ୍ୱର ସ୍ୱତନ୍ତ୍ରତା। ଜଣେ ଯଶସ୍ୱୀ ସାହିତ୍ୟାନୁରାଗୀ ଭାବେ ତାଙ୍କର ଖ୍ୟାତି ଥିଲା।

ରାଷ୍ଟ୍ରନୀତିଜ୍ଞଙ୍କୁ ହରାଇଲୁ: ନରସିଂହ

ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଦେଶ ଜଣେ ମହାନ୍‌ ରାଷ୍ଟ୍ରନୀତିଜ୍ଞ ଓ ଉଚ୍ଚକୋଟୀର ସାଂସଦଙ୍କୁ ହରାଇଲା। ସେ କେବଳ ନିଜ ସହଯୋଗୀ ବା ସମର୍ଥକମାନଙ୍କ ଶ୍ରଦ୍ଧା ଓ ସମ୍ମାନ ଲାଭ କରି ନ ଥିଲେ, ଭିନ୍ନ ଦୃଷ୍ଟିକୋଣର ବ୍ୟକ୍ତିମାନେ ମଧ୍ୟ ତାଙ୍କୁ ସମ୍ମାନ ଦେଉଥିଲେ। ଦେଶସେବା ପାଇଁ ସେ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଛନ୍ତି।

ଅତୁଳନୀୟ ବ୍ୟକ୍ତିତ୍ୱ: ବିଜୟ ମହାପାତ୍ର

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ବାଜପେୟୀଙ୍କ ବ୍ୟକ୍ତିତ୍ୱ ଥିଲା ଅତୁଳନୀୟ। ସେ ସଂକୀର୍ଣ୍ଣମନା ନ ଥିଲେ ଓ ବିଶାଳ ହୃଦୟର ଅଧିକାରୀ ଥିଲେ। ବିଜେଡି ଗଠନ ସମୟରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଥିଲା। ସେ ପ୍ରଧାନମନ୍ତ୍ରୀ ଥିବା ସମୟରେ ପାରାଦୀପରେ ତୈଳ ବିଶୋଧନାଗାର ପ୍ରତିଷ୍ଠା ଓ ଭୁବନେଶ୍ୱର ବିମାବନ୍ଦରକୁ ଆନ୍ତର୍ଜାତିକ ମାନ୍ୟତା ଦେବା ପାଇଁ ମୋ ନେତୃତ୍ୱରେ ଏକ କମିଟି ତାଙ୍କୁ ଭେଟିଥିଲା। ସେ ବେଶ୍‌ ସକରାତ୍ମକ ଭାବେ ଏହାକୁ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ବୟାନ କରୁଛି ବାଜପେୟୀ ଦୂରଦୃଷ୍ଟି।

ରାଜ୍ୟ ମନ୍ତ୍ରୀମାନଙ୍କର ଶୋକ

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଦଳମତ ନିର୍ବିଶେଷରେ ଅଟଳଜୀ କିପରି ସମସ୍ତଙ୍କ ଶ୍ରଦ୍ଧାର ପାତ୍ର ଥିଲେ, ତାହାର ସ୍ମୃତିଚାରଣ କରିଛନ୍ତି ମନ୍ତ୍ରୀମାନେ। ଅଟଳଜୀଙ୍କ ଆଦର୍ଶ ରାଜନୈତିକ ଜୀବନ ପରବର୍ତ୍ତୀ ପିଢ଼ି ପାଇଁ ନିଶ୍ଚିତ ଅନୁକରଣୀୟ ବୋଲି ସମସ୍ତେ ମତ ଦେଇଛନ୍ତି। ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ, ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ଦେଶ ଜଣେ ସୁପୁତ୍ରଙ୍କୁ ହରାଇଲା : ନିରଞ୍ଜନ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଜଣେ ସଫଳ ରାଜନୈତିକ ବ୍ୟକ୍ତିତ୍ୱ ଓ ସାହିତ୍ୟାନୁରାଗୀ ଥିଲେ। ଦେଶକୁ ବିକାଶ ପଥରେ ଆଗେଇ ନେବା ପାଇଁ ସେ ଅନେକ ଯୋଜନା କାର୍ଯ୍ୟକାରୀ କରି ଯାଇଛନ୍ତି। ତାଙ୍କ ବିୟୋଗରେ ଦେଶ ଜଣେ ସୁପୁତ୍ର ଓ ପ୍ରଚଣ୍ଡ ପ୍ରତିଭାବାନ ବ୍ୟକ୍ତିଙ୍କୁ ହରାଇଛି। ତାଙ୍କ ଅବର୍ତ୍ତମାନ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି।

ଜନଜୀବନରେ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି : ବିଜେଡି
ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ବିଜୁ ଜନତା ଦଳ ପକ୍ଷରୁ ଶୋକପ୍ରକାଶ କରାଯାଇଛି। ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏକ ଶୋକବାର୍ତ୍ତାରେ କହିଛନ୍ତି, ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ସେ ଘନିଷ୍ଠ ସହଯୋଗୀ ଥିଲେ। ଓଡ଼ିଶାବାସୀ ଓ ବିଜୁ ବାବୁଙ୍କ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଓ ସମ୍ମାନ ଥିଲା। ସ୍ୱର୍ଗତ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱରେ ନବୀନ ପଟ୍ଟନାୟକ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ। ଓଡ଼ିଶାର ଭୟାବହ ମହାବାତ୍ୟା ଓ ପରବର୍ତ୍ତୀ ପୁନରୁଦ୍ଧାରରେ ତାଙ୍କର ବଳିଷ୍ଠ ଯୋଗଦାନ ଥିଲା। ତାଙ୍କ ବିୟୋଗରେ ଜନଜୀବନରେ ଏକ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ କହିଛନ୍ତି, ଦରଦୀ ଓ ଅମାୟିକ ରାଜନେତା ଭାବେ ସ୍ୱର୍ଗତ ବାଜପେୟୀ ସମସ୍ତଙ୍କର ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହୋଇପାରିଥିଲେ। ସେ ଜଣେ ବିକାଶ ପୁରୁଷ ଓ ସକରାତ୍ମକ ରାଜନୈତିକ ସଂସ୍କୃତିର ନିର୍ମାତା।

ବିଭିନ୍ନ ମହଲରେ ଶୋକ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ଶୋକବାର୍ତ୍ତା ପଠାଇଛନ୍ତି। ବାଜପେୟୀଙ୍କ ପରି ଜଣେ ଆଦର୍ଶ ରାଜନେତାଙ୍କ ପରଲୋକରେ ଦେଶ ଜଣେ ଯୋଗ୍ୟ ସନ୍ତାନଙ୍କୁ ହରାଇଲା ବୋଲି ସମସ୍ତେ ମତ ଦେଇଛନ୍ତି।

ବାଜପେୟୀଙ୍କ ଦେହାନ୍ତରେ ଦେଶ ଜଣେ ମହାନ ବ୍ୟକ୍ତିତ୍ୱ ଓ ଦକ୍ଷ ସଂଗଠକଙ୍କୁ ହରାଇଲା ବୋଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି। ସାଂସଦ ଅଚ୍ୟୁତ ସାମନ୍ତ କହିଛନ୍ତି, ବାଜପେୟୀ ଏକାଧାରରେ ଜଣେ କବି, ରାଷ୍ଟ୍ରନୀତିଜ୍ଞ, ସୁପ୍ରଶାସକ ଓ ଦାର୍ଶନିକ ଥିଲେ। ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା କହିଛନ୍ତି, ଜଣେ ମହାନ ରାଷ୍ଟ୍ରନୀତିଜ୍ଞ ଭାବେ ବାଜପେୟୀ ସବୁବେଳେ ମନେ ରହିବେ। ‘ଉତ୍କଳ ଭାରତ’ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ କହିଛନ୍ତି, ବାଜପେୟୀଙ୍କ ଉଦାର ଓ ବିଶାଳ ହୃଦୟ ତାଙ୍କୁ ରାଜନୈତିକ ତିକ୍ତତା ଭିତରେ ଅଜାତ ଶତ୍ରୁ କରି ଗଢ଼ି ତୋଳିଥିଲା। ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର