ବାଜପେୟୀଙ୍କୁ କଟକରେ ଶ୍ରଦ୍ଧାଞ୍ଜଳି

କଟକ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱରରେ ଥିଲା ମାଦକତା। ତାଙ୍କ ବ୍ୟକ୍ତିତ୍ୱରେ ଥିଲା ଯାଦୁକରୀ ଆକର୍ଷଣ। ସେ ଥିଲେ ଅଜାତଶତ୍ରୁ। ଜଣେ ରାଷ୍ଟ୍ରନୀତିଜ୍ଞ କିଭଳି ହେବା ଦରକାର ସେ ତାହା ପ୍ରମାଣିତ କରିଛନ୍ତି। ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ପୋଖରାନ ପରମାଣୁ ପରୀକ୍ଷା, ସ୍ୱର୍ଣ୍ଣ ଚତୁର୍ଭୂଜ ଯୋଜନା ତାଙ୍କୁ ଚିରସ୍ମରଣୀୟ କରିବ ବୋଲି କଟକର ସହିଦ୍‌ ଭବନରେ ଆୟୋଜିତ ନାଗରିକ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି। କଟକରେ ବାଜପେୟୀଙ୍କ ସ୍ମୃତିରକ୍ଷା ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରସ୍ତାବ ଆଗତ ହୋଇଛି।

ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅନନ୍ତ ସୂର୍ଯ୍ୟନାରାୟଣ ନାଇଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ତ୍ରିଲୋଚନ କାନୁନ୍‌ଗୋ, ବିଧାୟକ ଦେବାଶିଷ ସାମନ୍ତରାୟ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ବିଧାୟକ ଅମର ପ୍ରସାଦ ଶତପଥୀ, ମେୟର ମିନାକ୍ଷୀ ବେହେରା, ଶିକ୍ଷାବିତ ଡକ୍ଟର ପ୍ରଭାତ କୁମାର ମିଶ୍ର, ଡକ୍ଟର ସୁରଜିତ ଦାସ, ମହାନଗର ଶାନ୍ତି କମିଟି ସଂପାଦକ ଭିକାରୀ ଦାସ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ବିଜେପି ନେତା ନୟନ କିଶୋର ମହାନ୍ତି, କଂଗ୍ରେସ ନେତା ସୁରେଶ ମହାପାତ୍ର, ପୂର୍ବତନ ସାଂସଦ ମହାମେଘବାହାନ ଐର ଖାରବେଳ ସ୍ୱାଇଁ, କବୟିତ୍ରୀ ମନୋରମା ମହାପାତ୍ର, ହୁସେନ୍‌ ରବି ଗାନ୍ଧୀ, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ଡକ୍ଟର ଦେବୀଲାଲ୍‌ ମିଶ୍ର, ଯଜ୍ଞେଶ୍ୱର ବାବୁ ପ୍ରମୁଖ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ପୃଷ୍ଠପୋଷକତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜାତି, ଧର୍ମ, ଦଳ ନିର୍ବିଶେଷରେ ସବୁବର୍ଗର ବ୍ୟକ୍ତି ଯୋଗଦାନ କରି ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର