ବିରାଟ ପଟୁଆରରେ ଆସିଲେ କଂଗ୍ରେସ ନେତା : ସମସ୍ତଙ୍କୁ ଏକାଠି ହେବାକୁ ଆହ୍ଵାନ

ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସର ନୂଆ ଟିମ୍‌ ଆଜି ଓଡ଼଼ିଶାରେ ପହଞ୍ଚିବା ସହିତ ଶକ୍ତି ପ୍ରଦର୍ଶନ କରିଛି। ଏମିତି ଯେ ବିମାନବନ୍ଦରରୁ କଂଗ୍ରେସ ଭବନ ଯାଏ ଲୋକାରଣ୍ୟ ହୋଇପଡ଼ିଥିଲା। ହଜାର ହଜାର କଂଗ୍ରେସପ୍ରେମୀ ଓ ନେତା ଦୀର୍ଘ ଦୁଇ ଘଣ୍ଟା ଧରି ରାସ୍ତା ଘାଟ ଜାମ୍‌ କରିଦେଇଥିଲେ। ପରେ କଂଗ୍ରେସ ଭବନରେ ଆୟୋଜିତ ଏକ ସମ୍ବର୍ଧନା ସଭାରେ ଓଡ଼ିଶା ପ୍ରଭାରୀଙ୍କଠାରୁ ଆରମ୍ଭ କରି ପିସିସି ସଭାପତି, ତିନି କାର୍ଯ୍ୟକାରୀ ସଭାପତି ଓ ଅନ୍ୟ ନେତାମାନେ ଦଳକୁ ସରକାରକୁ ଆଣିବା ଲାଗି ସଂକଳ୍ପ ନେଇଛନ୍ତି। ପିସିସି ସଭାପତି ସମସ୍ତଙ୍କ ସହଯୋଗ କାମନା କରି କହିଥିଲେ, ଚାଲ ଆମେ ଏକାଠି ହେବା, ଯେମିତିକି କଂଗ୍ରେସ ଆସିବ ଓ ଓଡ଼ିଶା ହସିବ।

ଗୁରୁବାର କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ ଓଡ଼ିଶା କଂଗ୍ରେସ ନେତାଙ୍କ ସହିତ ଆଲୋଚନା କରିବା ସହିତ ନୂଆ ଟିମ୍‌ ଘୋଷଣା କରିଥିଲେ। ରାଜ୍ୟ କଂଗ୍ରେସ ମୁଖିଆ ଭାବେ ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଥିଲା। ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ନୂଆ ଟିମ୍‌କୁ ସାଙ୍ଗରେ ଧରି ଶ୍ରୀ ପଟ୍ଟନାୟକ ଆଜି ସନ୍ଧ୍ୟା ସାଢ଼େ ସାତଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ପରେ ଦଳର ବରିଷ୍ଠ ନେତା, ହଜାର ହଜାର କଂଗ୍ରେସପ୍ରେମୀଙ୍କ ଗହଣରେ ସଭାପତିଙ୍କ ସମେତ ନୂଆ ଟିମ୍‌ କଂଗ୍ରେସ ଭବନକୁ ଆସିଥିଲେ। ସେଠାରେ ନେତାମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ଓଡ଼ିଶା କଂଗ୍ରେସର ସଂଯୋଜକ କମିଟିର ଆବାହକ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ ଏହି ସମ୍ବର୍ଧନା ସଭା ପରିଚାଳନା କରିଥିଲେ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ, ଆଜି କେଉଁ ଭାଷାରେ କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ ଦେବି ମୋ ପାଖରେ ଭାଷା ନାହିଁ। ଗତଥର ସଭାପତି ହେବା ବେଳେ ସମ୍ବର୍ଧିତ ହୋଇନଥିଲି। ଏଥର ବି ଚାହୁଁନଥିଲି। ମୋର ପରିଚୟ ହେଉଛନ୍ତି କଂଗ୍ରେସର ସବୁ ନେତା ଓ କର୍ମୀ। ଆଜି ଯେଉଁମାନେ ମୋତେ ସମ୍ବର୍ଧନା ଦେଲେ ସେମାନଙ୍କୁ ମୁଁ ଅଶେଷ କୃତଜ୍ଞତା ଜଣାଉଛି। ଆଜି ସାରା ଦେଶ ଓ ଆମ ରାଜ୍ୟ ଘୋର ଦୁର୍ଦିନ ମଧ୍ୟରେ ଗତି କରୁଛି। ସମ୍ବିଧାନକୁ ପରିବର୍ତନ କରି ଯିଏ ବିଭାଜନ କରିବାକୁ ଚାହୁଁଛନ୍ତି, ତାଙ୍କ ଠାରୁ ଦେଶକୁ ରକ୍ଷା କରିବାକୁ ପଡିବ। ଓଡ଼ିଶାବାସୀ ଗୋଟିଏ ସରକାରକୁ ଚାରି ଚାରି ଥର ନିର୍ବାଚିତ କରିଛନ୍ତି। ଓଡ଼ିଶା ଗରିବ ହୋଇ ରହିବାର କିଛି ବି ଯଥାର୍ଥତା ନାହିଁ। ଆଜି ଯୁବକ କାମ ନ ପାଇ ହତାଶ। ବେକାରୀ ସମସ୍ୟା ପ୍ରବଳ। କେନ୍ଦ୍ର ଓ ରାଜ୍ୟର ପ୍ରତିଶ୍ରୁତି ସତ୍ତ୍ୱେ ଚାଷୀ ହତାଶ। ଆଦିବାସୀ, ମହିଳା ଓ ପଛୁଆବର୍ଗ ସବୁ ଅବହେଳିତ। ମହାନଦୀ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ଏଥିପାଇଁ ରାଜ୍ୟ ସରକାର ଦାୟୀ। ଛତିଶଗଡରେ ବିଜେପି ଥିବାରୁ କେନ୍ଦ୍ର ମଧ୍ୟ ଆମକୁ ଅବହେଳା କରିଛି। କେବଳ ପ୍ରଚାର ସର୍ବସ୍ୱ ଏ ସରକାର। ଏଭଳି ସ୍ଥିତିରେ ଆମ ନୈତିକ କର୍ତ୍ତବ୍ୟ ଆମକୁ ତୁଲାଇବାକୁ ପଡିବ।

ଶ୍ରୀ ପଟ୍ଟନାୟକ କହିଥିଲେ, ମୁଁ ଗୋଷ୍ଠୀବାଦରେ ବିଶ୍ୱାସ କରେନାହିଁ। ମୋ ହାତ ଖୋଲା ଅଛି, ସବୁ କଂଗ୍ରେସ ଭାଇ ଆସନ୍ତୁ ମୁଁ ଆଲିଙ୍ଗନ କରିବାକୁ ପ୍ରସ୍ତୁତ। ଅନ୍ୟପକ୍ଷରେ ଆପଣମାନେ ମଧ୍ୟ କେହି କାନକୁହା କଥାରେ ବିଶ୍ୱାସ କରନ୍ତୁ ନାହିଁ। ଯିଏ ଲୋକଙ୍କ ସହିତ ଥିବ, ସିଏ ହିଁ ଟିକେଟ୍‌ ପାଇବ। କାନକୁହା, ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଦଳରେ ପ୍ରଶୟ ଦିଆଯିବନାହିଁ। ଏମିତି ଯୁବକ ମୁଁ ଚାହେଁ, ଯିଏ କି ୨୦-୩୦ ବର୍ଷ ପାଇଁ ଲୋକଙ୍କ ସହିତ ରହିପାରିବ। ଆମେ ଓଡ଼ିଶାକୁ ଆଗେଇ ନେଇପାରିବା। କଂଗ୍ରେସ ଉଠିଲେ, ଓଡ଼ିଶାବାସୀ ହସିବେ।

ଶ୍ରୀ ପଟ୍ଟନାୟକ କହିଥିଲେ, ପ୍ରସାଦବାବୁ କଂଗ୍ରେସକୁ ଆଗକୁ ନେବାକୁ ଚାହିଁଛନ୍ତି, କିନ୍ତୁ ପାରିନାହାନ୍ତି। ତାର କାରଣ ଗୋଷ୍ଠୀବିବାଦ। କଂଗ୍ରେସର ଭାବମୂର୍ତି ପରିବର୍ତ୍ତନ ନ ହେଲେ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିବ ନାହିଁ। ଆମେ ଅତୀତରେ ବହୁତ ଭୁଲ କରିଛୁ। ତେଣୁ ଦଳର ଅବନତି ଘଟିଛି। ଆମ ଭୁଲ ଆମେ ସୁଧାରିପାରିଲେ ମଜବୁତ ହେବା। ଆସନ୍ତା ଦଶମାସ ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡିବ।

ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଅନୁରୋଧ କରି ଶ୍ରୀ ପଟ୍ଟନାୟକ କହିଥିଲେ, ନାମାଙ୍କନ ପତ୍ର ଦାଖଲ ଦିନ ନୁହେଁ, ବରଂ ୬ମାସ ଆଗରୁ ପ୍ରାର୍ଥୀ ଚୟନ କରି ଦାୟିତ୍ୱ ଦିଆଯାଉ। ଯିଏ ଭୁବନେଶ୍ୱର ଛାଡି ଗାଁରେ ରହିବ, ତାକୁ ଟିକେଟ୍‌ ଦିଆଯିବ। ଏହା ଶେଷ ଯୁଦ୍ଧ ହୋଇପାରେ ବୋଲି ସୂଚନା ଦେଇ ପିସିସି ସଭାପତି କହିଥିଲେ, ଯିଏ ଭାବୁଛି ଯେ ଆମେ ହାରିବା ପାଇଁ ଲଢୁଛୁ, ସେକଥା ଭୁଲ୍‌। ଆମେ ଜିତିବା ପାଇଁ ଏଥର ଲଢିବୁ। ବହୁତ ବନ୍ଧୁ ଆମକୁ ଛାଡି ଚାଲିଯାଉଛନ୍ତି। ସେମାନଙ୍କର କିଛି ଅନ୍ୟ ସ୍ୱାର୍ଥ ଥାଇପାରେ। ଏବେ କିନ୍ତୁ କାହା ସହିତ ପକ୍ଷପାତିତା କରାଯିବ ନାହିଁ। ଯିଏ ସୁନା, ସିଏ ସୁନା ହୋଇ ରହିବ ଓ ଯିଏ କୋଇଲା ସେ କୋଇଲା ହୋଇ ରହିବ।

ରାଜ୍ୟ ସରକାରଙ୍କୁ ଇଙ୍ଗିତ କରି ଶ୍ରୀ ପଟ୍ଟନାୟକ କହିଥିଲେ, ଆମ ରାଜ୍ୟ ଶାସନ ଜଣକ ଇଙ୍ଗିତରେ ଚାଲିଛି। ଆଉ କିଛି ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଚାଲିଛି। ସେ ନେତା ହାରିଗଲେ, କଣ ସେ ଦଳ ରହିବ? ସେହପିର ବିଜେପିକୁ ଲକ୍ଷ୍ୟ କରି କହିଥିଲେ, ଆଉ ଗୋଟିଏ ଦଳ କେବଳ ଭାଷଣ ଦେଇ ଶାସନ କରୁଛି।

ଶ୍ରୀ ପଟ୍ଟନାୟକ କହିଥିଲେ, ତିନି ଯୁବ କାର୍ଯ୍ୟକାରୀ ସଭାପତିଙ୍କ ଯୋଗୁଁ ମୋ କାମ ହାଲୁକା ହୋଇଯିବ। ତେବେ ଆମକୁ ତ୍ୟାଗ କରିବା ଶିଖିବାକୁ ପଡିବ। ଯେଉଁଠି ସଂଗଠନରେ ସମସ୍ୟା ଅଛି, ତାକୁ ତୁରନ୍ତ ସମାଧାନ କରାଯିବ। ଜିଲ୍ଲା କଂଗ୍ରେସକୁ ଯଥାଶୀଘ୍ର ସଂଗଠିତ କରାଯିବ। ଦଳରେ ବହୁତ ଯୋଗ୍ୟ ବ୍ୟକ୍ତି ଅଛନ୍ତି। ତା’ ସତ୍ତ୍ୱେ ନୂଆ ଯୁବକଙ୍କୁ ଆଣି ତାଙ୍କୁ ପ୍ରୋତ୍ସାହିତ କରିବାକୁ ହେବ। କାରଣ, ଆମ ମୁହଁ ଦେଖି ଦେଖି ଲୋକେ ବିରକ୍ତ ହେଲେଣି। ଓ଼ଡ଼ିଶା ଲୋକ ଯାହା ଚାହୁଁଛନ୍ତି, ସେହି ଅନୁସାରେ କାମ କରିବା। କୌଣସି ବ୍ୟକ୍ତିଗତ ସ୍ୱାର୍ଥ ପଛରେ ମୁଁ ଯିବିନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

ଓଡ଼ିିଆରେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କହିଥିଲେ, କିିଛି ଦିନ ରହିଲେ, ମୁଁ ବି ଏଠି ଓଡ଼ିଆରେ କଥା ହେବି। ହେଲେ ସାରା ଦେଶ ବୁଲିଛି, କିନ୍ତୁ ଓଡ଼ିଶା କଂଗ୍ରେସ କର୍ମୀଙ୍କର ଆଜି ଯେଉଁ ଜୋସ୍‌ ଦେଖୁଛି, ତାହା ଆଉ କେଉଁଠି ଦେଖିନାହିଁ। ବହୁତ ମଜବୁତ ଟିମ୍‌ ରାହୁଲ ଗାନ୍ଧୀ ଓଡ଼ିଶାକୁ ଦେଇଛନ୍ତି।

ତିନି କାର୍ଯ୍ୟକାରୀ ସଭାପତିଙ୍କୁ ପ୍ରଶଂସା କରି ଶ୍ରୀ ସିଂହ କହିଥିଲେ, ସଭାପତି ଶ୍ରୀ ପଟ୍ଟନାୟକ ୧୬ ବର୍ଷର ଜଣେ ଯୁବକ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ବି। ଏ ସମସ୍ତଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି। ସେକ୍‌ ମସ୍ତାନ୍‌ ଓ୍ଵାଲି ପଶ୍ଚିମଓଡ଼ିଶାରେ ନବ ଦାସଙ୍କ ସହିତ କାମ କରିବେ। ଅନିଲ ଚୌଧୁରୀ ଦକ୍ଷିଣ ଓଡ଼ିଶାରେ ପ୍ରଦୀପ ମାଝୀଙ୍କ ସହିତ ଓ ରୁଦ୍ର ରାଜୁ ଉପକୂଳରେ ଚିରଞ୍ଜୀବୀ ବିଶ୍ୱାଳଙ୍କ ସହିତ ରହି କାର୍ଯ୍ୟ କରିବେ। ଆଦିତ୍ୟ ଶର୍ମା ଛାମୁଆ ସଂଗଠନ ଓ ନିର୍ବାଚନ ପରିଚାଳନା କାର୍ଯ୍ୟ ତଦାରଖ କରିବେ। ତେବେ ଯଦି କେହି କଂଗ୍ରେସ ସଦସ୍ୟ ଗଣମାଧ୍ୟମ ସାମ୍ନାରେ, ରାସ୍ତାଘାଟରେ ପରସ୍ପର ବିରୋଧୀ ମନ୍ତବ୍ୟ ଦେବେ, ତେବେ ଏଆଇସିସି ବରଦାସ୍ତ କରିବ ନାହିଁ।

ଶ୍ରୀ ସିଂହ କହିଥିଲେ ଯେ ଆଜି ଓଡ଼ିଶା ଲୋକ କଂଗ୍ରେସକୁ ଦେଖୁଛନ୍ତି। କଂଗ୍ରେସ ଠାରୁ ଲୋକେ ବହୁତ ଆଶା ରଖିଛନ୍ତି। ରାଜ୍ୟ ସରକାରଙ୍କ ଉପରୁ ଲୋକଙ୍କ ଭରସା ଉଠିଗଲାଣି। ଆଉ ଗୋଟେ ସରକାର ଲୋକଙ୍କ ଭୋଟ କିଣିବାକୁ ଚାହୁଁଛି। କିନ୍ତୁ ଓଡ଼ିଶା ଲୋକ ବିକ୍ରି ହେବେନି। ଏଆଇସିସି ଦିଲ୍ଲୀରୁ ନୁହେଁ, ବରଂ ତୃଣମୂଳସ୍ତରରେ ଗାଁ, ବ୍ଲକ ଓ ପଞ୍ଚାୟତ ଯାଇ କାମ କରିବ। ଅଧିକରୁ ଅଧିକ ଯୁବକ, ଚାଷୀଙ୍କୁ ଦଳକୁ ଆଣିବ। କଂଗ୍ରେସ ଏକ ଥିଲା, ଏକ ରହିବ, ୨୦୧୯ରେ ସରକାର ଗଢିବ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଯେଉଁମାନେ ବାହାସ୍ଫୋଟ ମାରୁଥିଲେ କଂଗ୍ରେସ ମୁକ୍ତ ଭାରତ ଓ ଓଡ଼ିଶା ଗଠନ ପାଇଁ, ସେମାନେ ଆଜିର ସମାବେଶ ଦେଖି ତାଙ୍କର ହୃତ୍‌କମ୍ପନ ହେଉଥିବ।ଏ ଦୁର୍ନୀତିଗ୍ରସ୍ତ ସରକାରରୁ ଆମକୁ ମୁକ୍ତି ମିଳିଲେ ବିକାଶ ହେବ, ଆଉ ଆମକୁ ଶାନ୍ତି ମିଳିବ।

ଏହି ଅବସରରେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଥିଲେ, ରାଜ୍ୟରେ ଆଜିଠାରୁ ଏକ ନୂଆ ବିପ୍ଳବ ଆରମ୍ଭ ହୋଇଛି। ସମସ୍ତେ ଏହି ବିପ୍ଳବରେ ସାମିଲ ହେବା ଦରକାର। ଆମେ ସମସ୍ତେ ହାତ ମିଳାଇବା ସହିତ ବର୍ଷେ ଭିତରେ କଂଗ୍ରେସକୁ କ୍ଷମତାକୁ ଫେରାଇକି ଦେଖାଇବା। ଅନ୍ୟତମ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ କହିଥିଲେ, ଆସନ୍ତୁ ସମସ୍ତେ ମିଶିକି ଶପଥ ନେବା ଯେ ଓଡ଼ିଶା ଲୋକଙ୍କ ପାଇଁ ଲଢେଇ କରିବା। ଉଭୟ ବିଜେଡି ଓ ବିଜେପିକୁ ଦେଖାଇଦେବା ଯେ ଆଜି ବି କଂଗ୍ରେସ ଜୀବିତ ରହିଛି। ସେହିପରି କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ କହିଥିଲେ, ବିଜେପି ସରକାର କହୁଥିଲା, ଅଚ୍ଛେ ଦିନ ଆସିବ। ବିଜେଡି ଚାଷୀଙ୍କ ସମସ୍ୟା ସମାଧାନ କରିପାରୁନି। ଯେଉଁଦିନ ପିସିସି ସଭାପତି କହିବେ, ସମ୍ବଲପୁର ଆର୍‌ଡିସି ଅଫିସରେ ସେମାନଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯିବ।

ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ କହିଥିଲେ, ଓଡ଼ିଶାବାସୀ ଦୀର୍ଘ ଦିନ ହେବ ପ୍ରତାରିତ ହୋଇଛନ୍ତି। ଚାଷୀ, ବେକାର ଯୁବକ, ପଛୁଆ ବର୍ଗ ଲୋକେ ନାହିଁ ନଥିବା ଦୁର୍ଦଶାର ସମ୍ମୁଖୀନ ହେଲେଣି। ଆସନ୍ତା ଦିନରେ କଂଗ୍ରେସ ନିଶ୍ଚିତ ଭାବରେ ସଂଗଠିତ ହେବ। ତୃଣମୂଳସ୍ତରରୁ ମିଳିମିଶି ସମସ୍ତେ ଓଡ଼ିଶାରେ ନୂଆ ଅଧ୍ୟାୟ ଲେଖିବା।

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ, ଆପଣମାନଙ୍କ କାନ୍ଧ ଉପରେ କଂଗ୍ରେସର ଭବିଷ୍ୟତ ତିଷ୍ଠି ରହିଛି। ଆଗାମୀ ଦିନରେ ଏକାଠି ହୋଇ ଲଢିବା। ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓ ବିଜେପିକୁ ହଟେଇବା। ଓଡ଼ିଶାବାସୀଙ୍କ ହକ୍‌ ପାଇଁ ଏ ଲଢେଇ ଜୋରଦାର ହେବ।

ସେହିପରି କଂଗ୍ରେସ କୋର୍‌ କମିଟି ଅଧ୍ୟକ୍ଷ ଜୟଦେବ ଜେନା କହିଥିଲେ, ମୁଁ ବହୁତ ସଭାପତିଙ୍କ ସମ୍ବର୍ଧନା ସଭା ଦେଖିଛି। ନିଜେ ଦୁଇଥର ସମ୍ବର୍ଧିତ ହୋଇଛି। କିନ୍ତୁ ଆଜିର ସମ୍ବର୍ଧନା ସଭା ଅଦ୍ଭୂତ। ବିଜେଡି-ବିଜେପିକୁ ହଟାଇବାକୁ ଆଜିଠାରୁ ଏ ସଂକଳ୍ପ ଯାତ୍ରା ଆରମ୍ଭ ହେଲା।

କୋର୍‌ କମିଟିର ଆବାହକ ଶରତ ପଟ୍ଟନାୟକ କହିଥିଲେ, ଦୟନୀୟ ଅବସ୍ଥାରେ କଂଗ୍ରେସ କର୍ମୀ ଅଛନ୍ତି। ନିରଞ୍ଜନ ବାବୁ ଜଣେ ଦକ୍ଷ ନେତା। ତାଙ୍କ ନେତୃତ୍ୱରେ ପୁଣି ଆମେ ଶାସନକୁ ଆସିବୁ। ମୁଁ ପ୍ରତିଶ୍ରୁତି ଦେଉଛି, ଆମେ ସବୁ ନେତା ସଭାପତିଙ୍କ ନିର୍ଦେଶରେ କାମ କରିବୁ। ଯେତେ ଛାଡିଛନ୍ତି ଆସନ୍ତୁ ଓ ଯିଏ ଘରେ ଋଷିଛନ୍ତି, ସେମାନେ ବି ଆସନ୍ତୁ, ମିଶିକି ଲଢିବା। ସମସ୍ତେ ଏକଜୁଟ୍‌ ହୋଇ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବା ଓ ରାଜ୍ୟରେ ବି ସରକାର କରିବା।

ସମ୍ବନ୍ଧିତ ଖବର