ଧର୍ମେନ୍ଦ୍ରଙ୍କ ଟଙ୍କିକିଆ ରାସନ ପ୍ରତିଶ୍ରୁତିକୁ କଟାକ୍ଷ କଲେ ପିସିସି ସଭାପତି : କହିଲେ, ଖାଲି ଚାଉଳ, ଡ଼ାଲି ଓ ଲୁଣ କାହିଁକି ତା ସହିତ କିଛି ମସଲା ଆଉ ଜାଳ ବି ଦେଇଥିଲେ ଭଲ ହେଇଥାନ୍ତା

ଭୁବନେଶ୍ୱର : ଗତକାଲି ଧର୍ମେନ୍ଦ୍ରଙ୍କ ଗୋଟିଏ ପଦ କଥା ରାଜ୍ୟ ରାଜନୀତିକୁ ଉଷ୍ମ କରିବାରେ ଲାଗିଛି । ଧର୍ମେନ୍ଦ୍ରଙ୍କ ଟଙ୍କିକିଆ ରାସନ ପ୍ରତିଶ୍ରୁତି ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଥିବାବେଳେ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଛନ୍ତି ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଧର୍ମେନ୍ଦ୍ରଙ୍କ ଏଭଳି ପ୍ରତିଶ୍ରୁତିକୁ ନିରଞ୍ଜନ ଛିଗୁଲେଇ କହିଛନ୍ତି କି, ୧ ଟଙ୍କାରେ ଖାଲି ୫ କିଲୋ ଚାଉଳ, ଡ଼ାଲି ଓ ଲୁଣ କାହିଁକି ତା ସହିତ କିଛି ମସଲା ଆଉ ଜାଳ ବି ଦେବା ପାଇଁ କହିଥିଲେ ପ୍ରତିଶ୍ରୁତି ଟି ସୁନ୍ଦର ଦେଖାଯାଇଥାନ୍ତା ଆଉ ଭଲ ହେଇଥାନ୍ତା । ଧର୍ମେନ୍ଦ୍ର ବାବୁ ଜାଣି ସାରିଲେଣି ଯେ ବିଜେପି ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ ନାହିଁ ତେଣୁ ଏଭଳି ପାଗଳାମି ଗପ କହୁଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଏପରିକି ବିଜେପି ଇସ୍ତାହାର ପତ୍ରରେ ଏଭଳି ଘୋଷଣା ଆଗରୁ କାହିଁକି କରିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ଓଡ଼ିଶାରେ ବିଜେପିର ପରାଜୟ ଭୟରେ ଏଭଳି ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରୁଛି ବିଜେପି । ଯେମିତି ପୂର୍ବରୁ ବିମୁଦ୍ରାୟନ ସମୟରେ ସାରା ଭାରତବାସୀଙ୍କୁ ମୋଦି କହିଥିଲେ ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିବ ସେହିଭଳି ଓଡ଼ିଶା ପାଇଁ ମଧ୍ୟ ୧ ଟଙ୍କାରେ ରାସନ ହିସାବ ଦେଉଛନ୍ତି । ଏକ ଟଙ୍କାରେ ନଦେଇ ମାଗଣା ବି କରିଦେବାକୁ ଘୋଷଣା କରିଥିଲେ ଭଲ ହୋଇଥାନ୍ତା ବୋଲି କହି ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରିଛନ୍ତି ପିସିସି ସଭାପତି।

ସେପଟେ ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଗତକାଲି କଟକ ଚୌଦାର ପ୍ରଚାର ମୈଦାନରେ ଭୋଟ ବ୍ୟାଙ୍କ ହାତେଇବାକୁ ଗୋଟି ଚାଳନା କରିଥିଲେ ଧର୍ମେନ୍ଦ୍ର । ଆଉ କହିଥିଲେ କି ବିଜେପି ସରକାର କ୍ଷମତାକୁ ଆସିଲେ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ୩.୨୬ କୋଟି ହିତାଧିକାରୀଙ୍କୁ ୧ ଟଙ୍କାରେ ୫ କିଲୋ ଚାଉଳ, ୫୦୦ ଗ୍ରାମ ଡ଼ାଲି ଆଉ ଲୁଣ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାକୁ ନେଇ ଶାସକ ଦଳ ସହ ଅନେକ ବୁଦ୍ଧୀଜିବୀ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର