ରାଜ୍ୟ କଂଗ୍ରେସରେ ବଡ଼ ପରିବର୍ତ୍ତନ : ପ୍ରଦେଶ କଂଗ୍ରେସ କମିଟି ସଭାପତି ହେଲେ ନିରଞ୍ଜନ ପଟ୍ଟନାୟକ

ନୂଆଦିଲ୍ଲୀ: ରାଜ୍ୟ କଂଗ୍ରେସରେ ଆସିଛି ବହୁ ପ୍ରତୀକ୍ଷିତ ପରିବର୍ତ୍ତନ। ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହ ବିଧାୟକ ନବ ଦାସ, ଚିରଞ୍ଜିବୀ ବିଶ୍ୱାଳ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କୁ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଆଗାମୀ ୨୦୧୯ ନିର୍ବାଚନକୁ ଆଖିରେ ରଖି ଏହି ପରିବର୍ତ୍ତନ କଂଗ୍ରେସ ହାଇକମାଣ୍ଡ କରିଛନ୍ତି ବୋଲି ରାଜନୈତିକ ବିଶ୍ଲେଷକ ମତ ଦେିଛନ୍ତି।

ଓଡ଼ିଶା କଂଗ୍ରେସର ସଂଯୋଜନା କମିଟିର ଅଧ୍ୟକ୍ଷ ଭାବେ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଏହି କମିଟିର ଆବାହକ ଭାବେ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକଙ୍କୁ ଅବସ୍ଥାପିତ କରାଯାଇଛି। ସେହିପରି ପିିସିସି କୋର କମିଟିର ଅଧ୍ୟକ୍ଷ ଭାବେ ଜୟଦେବ ଜେନା ଓ ଆବାହକ ଭାବେ ଶରତ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ ରାଜ୍ୟ କଂଗ୍ରେସର ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କୁ ଆବାହକ ନିଯୁକ୍ତି ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।

ପିସିସି ସଭାପତି ଭାବେ ଦାୟିତ୍ୱ ମିଳିବା ପରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଜେପି ଓ ବିଜେଡି ଆଶାନୁରୂପ ଦିଗଦର୍ଶନ ଦେଇନାହାନ୍ତି ।ଓଡ଼ିଶାର ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ ହୋଇନି । ଏବେ ଓଡ଼ିଶା ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି । ଏହାବ୍ୟତୀତ ଦଳ ଛାଡିଥିବା କଂଗ୍ରେସ ନେତାଙ୍କୁ ନେଇ ନିରଞ୍ଜନ କହିଛନ୍ତି, ଯିଏ ଦଳ ଛାଡିଛନ୍ତି ସେମାନେ ବ୍ୟକ୍ତିଗତ କାରଣରୁ ଦଳ ଛାଡିଛନ୍ତି । କଂଗ୍ରେସ ପ୍ରତି ଯାହାର ସମର୍ଥନ ଅଛି ସେମାନେ ଦଳକୁ ଆସିପାରିବେ  । ଓଡ଼ିଶାରେ କଂଗ୍ରେସର ସ୍ଥିତି ଭଲ କରିବାକୁ ପ୍ରୟାସ କରାଯିବ ।ତେବେ ନିରଞ୍ଜନଙ୍କୁ ଦାୟିତ୍ୱ ମିଳିବା ପରେ ରାଜ୍ୟ କଂଗ୍ରେସରେ ଉତ୍ସାହ ଦେଖାଦେଇଛି ।

ସମ୍ବନ୍ଧିତ ଖବର