ତୈଳ ଦର ବୃଦ୍ଧି ପ୍ରତିବାଦରେ ୪ ତାରିଖ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଗାଡି ଛାଡ଼ିବାକୁ କଂଗ୍ରେସର ଆହ୍ୱାନ

ଭୁବନେଶ୍ବର: ମହାନଦୀ ଓ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ କଠୋର କରିଛି କଂଗ୍ରେସ। ଶନିବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ କରିଛନ୍ତି । ଏଥିସହ ସେ ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି । ଆସନ୍ତା ୪ ତାରିଖ ସୋମବାର ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଗାଡି ଛାଡିବାକୁ ଆହ୍ୱାନ ଦେଇଛନ୍ତି ନିରଞ୍ଜନ । ତୈଳ ଗ୍ରାହକମାନେ ୪ ତାରିଖ ଦିନ ଗାଡ଼ି ବ୍ୟବହାର ନ  କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ପରୋକ୍ଷରେ ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଚକାଜାମ କରିବ ବୋଲି ସ୍ପଷ୍ଟ ହୋଇଛି।

ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି କହିଛନ୍ତି, ମୋଦି ଓଡିଶା ଆସି ବି ମହାନଦୀ ପ୍ରସଙ୍ଗରେ ପଦୁଟିଏ ବି କହିଲେ ନାହିଁ । ନିଜ ସରକାର ଥିବାରୁ ଛତିଶଗଡ ସରକାରକୁ ମୋଦି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମର୍ଥନ କରୁଛନ୍ତି । ମହାନଦୀ ସମସ୍ୟା ପାଇଁ ରାଜ୍ୟ ସରକାରଙ୍କୁ ବି ସେ ଦାୟୀ କରିଛନ୍ତି । ସେ କହିଛନ୍ତି ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ପ୍ରଥମରୁ ଭୁଲ କରିଛନ୍ତି । ଏବେ ଡହଳବିକଳ ହେଲେ କ’ଣ ହେବ। ୨୦୧୫ ପର୍ଯ୍ୟନ୍ତ ରାଜ୍ୟ ସରକାର ଚୁପ୍ ହୋଇ ବସିଥିଲେ । ମହାନଦୀ ଜଳ ଉପଯୋଗ ଲାଗି ବନ୍ଧ ବାଡ କିଛି କଲେନି । ଏବେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଓ ନାଟକବାଜି କରୁଛନ୍ତି । ଫଳରେ ୨୯ଟି ଶିଳ୍ପସଂସ୍ଥା ସେଥିପାଇଁ ମୁହଁଫେରାଇ ଛତିଶଗଡ ଚାଲିଗଲେ । ଏହା ସହିତ ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଖୁବଶୀଘ୍ର ଓଡିଶା ବନ୍ଦ ଡାକରା ଦେବ ବୋଲି ସେ ସୂଚନା ଦେଇଛନ୍ତି ।

ସେପଟେ, ମହାନଦୀ ପ୍ରସଙ୍ଗରେ ନିରଞ୍ଜନଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ସାଂସଦ ପ୍ରତାପ ଦେବ କହିଛନ୍ତି କଂଗ୍ରେସର ନେତୃତ୍ୱ ପରିବର୍ତନ ପରେ ମତ ଓ ଚିନ୍ତାଧାରାରେ ପରିବର୍ତନ ହୋଇଛି । ପରକୁ ଦୋଷ ନଦେଇ ନିଜ କାର୍ଯ୍ୟ ନିଜେ କରନ୍ତୁ । ତେବେ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସର ପଦକ୍ଷେପକୁ ସ୍ୱାଗତଯୋଗ୍ୟ କହିଛନ୍ତି ପ୍ରତାପ ଦେବ । ପ୍ରତାପ କହିଛନ୍ତି ବିଜେଡି ଏହି ପ୍ରସଙ୍ଗରେ ପୂର୍ବରୁ ଆନ୍ଦୋଳନ କରୁଛି। ତେବେ ବିଜେପି ମୁଖପାତ୍ର ଗୋଲଖ ମହାପାତ୍ର ଅଭିଯୋଗ କରିଛନ୍ତି କି ରାଜ୍ୟରେ କଂଗ୍ରେସ ସରକାର ଥିବା ସମୟର ଭୁଲ ଯୋଗୁଁ ଏହି ପରିସ୍ଥିତି ଉପୁଜିଛି। ନିରଞ୍ଜନ ବାବୁ ଜଳସଂପଦ ମନ୍ତ୍ରୀ ଥିଲେ ତାଙ୍କ ସମୟରେ ସେ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର