ପୁଲିସ ତଣ୍ଟିରେ ମୟୂର କଣ୍ଟା : ଘଟଣାର ତଦନ୍ତ କରିବ ବନବିଭାଗ

ପଚାରିବାରୁ ଚିହିଁକିଲେ ଏସ୍‌ପି, ‘ଝାର ବିଲେଇ’ କିଏ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଏସ୍‌ପିଙ୍କ ଧମକ

ବଲାଙ୍ଗୀର/ପାଟଣାଗଡ : ମାଓକ୍ୟାମ୍ପରୁ ଉଦ୍ଧାର ହୋଇଥିବା ଦୁଇଟି ମୟୂର ଗାଏବ ହୋଇଯିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ମୟୂର ଦୁଇଟିକୁ ଝାର ବିଲେଇ (ଜଂଗଲୀ ବିଲେଇ) ଖାଇଗଲେ ବୋଲି ଜଣେ ଥାନାଧିକାରୀ ସନ୍ଦେହ ବ୍ୟକ୍ତ କରୁଥିବା ବେଳେ ବନବିଭାଗ ଏହା ଉପରେ ତଦନ୍ତ କରିବ ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି। ପୁଲିସ ଯଦି ମୟୂର ଉଦ୍ଧାର କରିଥିଲା, ତୁରନ୍ତ ତାଙ୍କ ବିଭାଗକୁ ଖବର କରିବା କଥା ବୋଲି ସେ କହିଛନ୍ତି। କିନ୍ତୁ ବଲାଙ୍ଗୀର ଏସ୍‌ପି ସନ୍ଦୀପ ସଂପତ ଏ ସଂପର୍କରେ କିଛି କହିବା ତ ଦୂରର କଥା ପ୍ରଶ୍ନ ଶୁଣି ଚିହିଁକିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତ ୫ ତାରିଖରେ ହରିଶଙ୍କର ନିକଟ ଗନ୍ଧମାର୍ଦ୍ଧନ ପାହାଡ଼ରେ ଡିଭିଏଫ୍‌ ଓ ଏସଓଜି ଯବାନମାନେ ଏକ ମାଓ କ୍ୟାମ୍ପ ଠାବ କରିଥିଲେ। ଚଢ଼ଉ ବେଳେ ସେଠାରୁ ଅନେକ ମାଓ ସାମଗ୍ରୀ ଜବତ ହୋଇଥିଲା। ଏ ସଂପର୍କରେ ବଲାଙ୍ଗୀର ଏସ୍‌ପି ଶ୍ରୀ ସମ୍ପତ୍‌ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେଇଥିଲେ। ପୁଲିସ ପକ୍ଷରୁ ଦିଆଯାଇଥିବା ପ୍ରେସ ରିଲିଜ୍‌ରେ ଜବତ ସାମଗ୍ରୀର ତାଲିକା ଥିଲା। ତେବେ ସେଥିରେ କ୍ରମିକ ନଂ ୧ରୁ ୧୨ ଯାଏ ଥିଲେ ବି ୧୧ଟି ସାମଗ୍ରୀ ଉଲ୍ଲେଖ ଥିଲା। କ୍ରମିକ ନଂ-୧୨ ସ୍ଥାନରେ କୌଣସି ସାମଗ୍ରୀର ନାଁ ନଥିଲା। କିଛି ଦିନ ପରେ ଜଣାପଡିଥିଲା ମୟୂର ଉଦ୍ଧାର କଥା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଉକ୍ତ ଦିନ ମାଓକ୍ୟାମ୍ପରୁ ଦୁଇଟି ମୟୂର ବି ଉଦ୍ଧାର ହୋଇଥିଲେ। କିନ୍ତୁ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ମୟୂର ମିଳିବା କଥା କିଛି କହି ନଥିଲେ। ଘଟଣାର ଅଧିକ ଖୋଳତାଡ କରିବାରୁ ଉଦ୍ଧାର ମୟୂର ଦୁଇଟିର ଫଟୋ ମଧ୍ୟ ମିଳିଥିଲା। ଖପ୍ରାଖୋଲ ପୁଲିସ ବି ମୟୂର ଉଦ୍ଧାର କଥା ସତ ବୋଲି ସୂଚନା ଦେଇଥିଲେ। ଉଦ୍ଧାର ମୟୂରଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯିବା ତ ଦୂରର କଥା ଏ ବିଷୟରେ ସୂଚନା ବି ଦିଆଯାଇନଥିବା ଜଣାପଡ଼ିଲା। ଏ ସଂପର୍କରେ ସୋମବାର ‘ସମ୍ବାଦ’ରେ ‘ମାଓକ୍ୟାମ୍ପରୁ ଉଦ୍ଧାର ମୟୂର ଚୋରି’ ଶୀର୍ଷକ ଅନୁସନ୍ଧାନମୂଳକ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶନ ପୂର୍ବରୁ ରବିବାର ଏସ୍‌ପିଙ୍କୁ ମୋବାଇଲ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ପ୍ରତିକ୍ରିୟା ମିଳିପାରିନଥିଲା। ଆଜି ତାଙ୍କୁ ଭେଟି ଏ ବିଷୟରେ ପଚାରିବାରେ ବି ସେ ଉତ୍ତର ଦେଇନାହାନ୍ତି। ବରଂ କଥା ରେକର୍ଡିଂ କାହିଁକି କରୁଛ ବୋଲି କହି ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି।

ଗୋଟିଏ ନୁହଁ, ଦୁଇଦୁଇଟି ମୟୂର ଗାଏବ। ଏ ସଂପର୍କରେ ପଚାରିବାରୁ ଖପ୍ରାଖୋଲ ଥାନାଧିକାରୀଙ୍କ ମୁହଁରେ ଝାର ବିଲେଇ(ଜଙ୍ଗଲି ବିରାଡି) କଥା ଆସିଛି। ଫାଣ୍ଡି ଯାଏ ମୟୂର ଦୁଇଟି ଆସିଥିଲେ ବୋଲି ସେ କହୁଛନ୍ତି। କିନ୍ତୁ ଫାଣ୍ଡିରୁ ଗଲେ କୁଆଡେ? ମୟୂର ବିକ୍ରି ହୋଇଛି ନା କିଏ ସଉକରେ ପୋଷିବାକୁ ନେଇଛନ୍ତି? ନା ମାଂସ ଖାଇବା ପାଇଁ କିଏ ମାରିଦେଇଛନ୍ତି? ମୟୂର ଯଦି ଉଦ୍ଧାର ହୋଇଥିଲା, କାହିଁକି ଗଣମାଧ୍ୟମକୁ ଲୁଚାଯାଇଥିଲା? ଜବତ ସାମଗ୍ରୀ ତାଲିକାର ୧୨ ନମ୍ବର କ୍ରମାଙ୍କ ଉଦ୍ଦେଶ୍ୟମୂଳକ ଭାବେ ଖାଲି ରଖାଯାଇଥିଲା ନା ଆଉ କିଛି? ଏସବୁ ପ୍ରଶ୍ନର ଉତ୍ତର ପୁଲିସ ବିଭାଗର କେହି ଦେବାକୁ ନାରାଜ। ତେଣୁ ଝାର ବିଲେଇ କିଏ? ବୋଲି ଏବେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହେଲାଣି। ମୟୂର ଗାଏବ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକୃତ ସତ ପଦାକୁ ଆଣିବାକୁ ସାଧାରଣରେ ଦାବି ହେଉଛି।

ଗଣମାଧ୍ୟମ ପ୍ରତିନିଧିଙ୍କୁ ଏସ୍‌ପିଙ୍କ ଧମକ

ସୋମବାର ପାଟଣାଗଡରେ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଥିବାରୁ ଆମ ପାଟଣାଗଡ ପ୍ରତିନିଧି ମୟୂର ଗାଏବ ପ୍ରସଙ୍ଗରେ ଏସ୍‌ପିଙ୍କ ପ୍ରତିକ୍ରିୟା ନେବାକୁ ଯାଇଥିଲେ। ସମ୍ବାଦ ପ୍ରତିନିଧି ବୋଲି ପରିଚୟ ଦେଇ ପ୍ରତିକ୍ରିୟା ରେକର୍ଡ କରିବା ପାଇଁ ମୋବାଇଲ ରେକର୍ଡିଂ ଅନ୍‌ କରିବା ସହ ମାଓକ୍ୟାମ୍ପରୁ ଉଦ୍ଧାର ମୟୂରଙ୍କ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ। ମାତ୍ର ପ୍ରଶ୍ନ ଶୁଣି ଏସ୍‌ପି ଚିହିଁକି ଉଠିଥିଲେ। ପ୍ରତିକ୍ରିୟା ରେକର୍ଡିଂ କରୁଛ କି ବୋଲି ପଚାରି ହାତରୁ ମୋବାଇଲ ଝିଙ୍କି ନେଇଥିଲେ। ଜିଲ୍ଲାପାଳ ଓ ଅଭିଯୋଗ ପ୍ରକୋଷ୍ଠରେ ଥିବା ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ମୋବାଇଲର ରେକର୍ଡିଂ ବନ୍ଦ କରିଦେଇ ବେଶ୍‌ ବର୍ଷିଥିଲେ। ଦେଖିନେବାକୁ ଧମକ ମଧ୍ୟ ଦେଇଥିଲେ। ଏହି ସମୟରେ ଜିଲ୍ଲାପାଳ ତାଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇଥିଲେ।

ଏ ସଂପର୍କରେ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ମଧ୍ୟ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି। ମୟୂର ବିଷୟରେ ସମସ୍ତେ ଏଭଳି ଚୁପ ରହିବାର କାରଣ ବି ଜଣାପଡୁନି।

ସମ୍ବନ୍ଧିତ ଖବର