ମାଓ କ୍ୟାମ୍ପରୁ ଉଦ୍ଧାର ମୟୂର ଚୋରି! ପୁଲିସ ହେପାଜତରେ ଥିବା ୨ ଜାତୀୟ ପକ୍ଷୀ ମିଳୁନାହାନ୍ତି?

ବନ ବିଭାଗ ପାଖରେ ସୂଚନା ନାହିଁ, ତଦନ୍ତ ପାଇଁ ପ୍ରସ୍ତୁତି

ପାଟଣାଗଡ଼ : ଗନ୍ଧମାର୍ଦ୍ଦନ ପାହାଡ଼ରେ ଠାବ ହୋଇଥିଲା ମାଓ କ୍ୟାମ୍ପ। ସେଠାରେ ଚଢ଼ଉ ବେଳେ ମାଓବାଦୀ ଖସିଯାଇଥିଲେ, କିନ୍ତୁ ମିଳିଥିଲେ ଦୁଇଟି ମୟୂର। ପୁଲିସ ଏହି ମୟୂର ଦୁଇଟିକୁ ବନ ବିଭାଗକୁ ହସ୍ତାନ୍ତର ନ କରି ନିଜ ହେପାଜତରେ ରଖିଥିଲା। ଏବେ ସେହି ମୟୂରଙ୍କ ପତ୍ତା ମିଳୁନି। ମୟୂର କୁଆଡ଼େ ଗଲେ ତାହା କେହି କହି ପାରୁନାହାନ୍ତି। ଏ ନେଇ ପୁଲିସ ଅଧିକାରୀ ସ୍ପଷ୍ଟ ଭାବେ କିଛି କହୁନାହାନ୍ତି। ସେପଟେ ବନ ବିଭାଗର ଅଧିକାରୀ ଏ ନେଇ ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି। ଏହି ମୟୂର ଚୋରି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳୀ ହରିଶଙ୍କର ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ରେ ଗତ ୫ ତାରିଖ ଦିନ ଡିଭିଏଫ୍‌ ଓ ଏସ୍‌ଓଜି ଯବାନମାନେ ମାଓ କ୍ୟାମ୍ପ ଠାବ କରିଥିଲେ। ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ, ରୋଷେଇ ଉପକରଣ ଆଦି ଜବତ ହୋଇଥିଲା। ସିଜର ଲିଷ୍ଟରେ ୧୧ଟି ସାମଗ୍ରୀ ଉଲ୍ଲେଖ କରାଯାଇଥିଲା। ଲିଷ୍ଟରେ କ୍ରମିକ ନଂ ୧୨ ଲେଖାଯାଇଥିଲେ ମଧ୍ୟ ଏହି ନମ୍ବରରେ କୌଣସି ସାମଗ୍ରୀ ନାମ ଦର୍ଶା ଯାଇ ନ ଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଉକ୍ତ ଦିନ ମାଓକ୍ୟାମ୍ପରୁ ଦୁଇଟି ମୟୂର ମଧ୍ୟ ଉଦ୍ଧାର ହୋଇଥିଲେ। ହେଲେ ଜବତ/ଉଦ୍ଧାର ସାମଗ୍ରୀ ତାଲିକାରେ ଏହା ଦର୍ଶାଯାଇ ନ ଥିଲା। ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ମଧ୍ୟ ଏନେଇ କିଛି ସୂଚନା ଦେଇ ନ ଥିଲେ। ଅଭିଯୋଗ ହୋଇଛି ଯେ ଉଦ୍ଧାର ହୋଇଥିବା ଏହି ମୟୂର ଦୁଇଟିକୁ ଫାଣ୍ଡିରେ ରଖାଯାଇଥିଲା। ଏବେ ସେଗୁଡ଼ିକ ଗାଏବ ହୋଇ ଯାଇଛନ୍ତି। ଏ ସଂପର୍କରେ ଅନୁସନ୍ଧାନ କରିବା ପାଇଁ ଆମ ପ୍ରତିନିଧି ରବିବାର ଖପ୍ରାଖୋଲ ଥାନା ଓ ହରିଶଙ୍କର ଫାଣ୍ଡିକୁ ଯାଇଥିଲେ। ହରିଶଙ୍କର ଫାଣ୍ଡିରେ ତାଲା ଝୁଲୁଥିଲା। ବହୁ ସମୟ ଅପେକ୍ଷା କରିବା ପରେ ଖପ୍ରାଖୋଲ ଥାନାକୁ ଆସିଥିଲେ। ଥାନାରେ ଥାନାଧିକାରୀ ଜ୍ୟୋତିରଞ୍ଜନ ପତିଙ୍କୁ ଭେଟିଥିଲେ। ଗତ ୫ ତାରିଖ ଦିନ ମାଓ କ୍ୟାମ୍ପରୁ ଜବତ ହୋଇଥିବା ୨ଟି ମୟୂର ସମ୍ପର୍କରେ ପଚାରିବାରୁ ସେ ପ୍ରଥମେ ଥତମତ ହୋଇଥିଲେ। ଏହି ପ୍ରଶ୍ନକୁ ଏଡ଼‌େଇ ଯିବା ପାଇଁ ଚାହିଥିଲେ। ଏ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି ବୋଲି କହିଥିଲେ। ପରେ କିନ୍ତୁ କଥା ଛଳରେ ମୟୂର ସଂପର୍କରେ ସୂଚନା ଦେଇଥିଲେ। ଥାନାଧିକାରୀଙ୍କ କହିବା ଅନୁଯାୟୀ, କମ୍ବିଂ ପରେ ମାଓ ସାମଗ୍ରୀ ସହ ୨ଟି ମୟୂର ମଧ୍ୟ ଡିଭିଏଫ୍‌ ଓ ଏସ୍‌ଓଜି ଯବାନମାନେ ଆଣିଥିଲେ। ମୟୂର ଦୁଇଟିକୁ ଫାଣ୍ଡିରେ ରଖାଗଲା। ପରେ ସେଗୁଡ଼ିକୁ ଜଙ୍ଗଲି ବିରାଡ଼ି ଖାଇଗଲା ବୋଲି କିଏ କହୁଥିବା ବେଳେ, ଜବତ ମୟୂର ଦୁଇଟିଙ୍କୁ ଚିଡ଼ିଆଖାନାକୁ ହସ୍ତାନ୍ତର କରାଯିବା ବିଷୟରେ ଏସ୍‌ପି କହୁଥିବା ସେ ଶୁଣିଥିଲେ ବୋଲି ଥାନାଧିକାରୀ ପ୍ରକାଶ କରିଥିଲେ। ଏନେଇ ଠିକ୍‌ ଭାବେ ସେ କହି ପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଉଦ୍ଧାର ହୋଇଥିବା ୨ ମୟୂର ଦୁର୍ଗାପୂଜା ପର୍ଯ୍ୟନ୍ତ ହରିଶଙ୍କର ଫାଣ୍ଡିରେ ରହିଥିଲେ ବୋଲି କିଛି ଲୋକ କହୁଛନ୍ତି।

ସମ୍ବନ୍ଧିତ ଖବର