ଚାଷୀଙ୍କୁ ପେନ୍‌ସନ୍‌ ପାଇଁ ଚାପ ବଢ଼ିଲା

ପ୍ରାକ୍‌-ବଜେଟ୍‌ ପାଇଁ ମିଳିଲା ଅନେକ ପ୍ରସ୍ତାବ

ଭୁବନେଶ୍ୱର : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍‌ ପ୍ରସ୍ତୁତି ନିମନ୍ତେ ବିଶେଷଜ୍ଞ, ଅର୍ଥନୀତିଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଭିନ୍ନ ବର୍ଗର ଜନସାଧାରଣ ଅନେକ ପ୍ରସ୍ତାବ ଦେଇଛନ୍ତି। ସେଥିମଧ୍ୟରୁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ହେଉଛି ଚାଷୀଙ୍କ ପାଇଁ ଉନ୍ନତି ପାଇଁ ସେମାନଙ୍କୁ ପେନ୍‌ସନ ପ୍ରଦାନ। ଏ ନେଇ ଆସନ୍ତା ବଜେଟ୍‌ରେ ବ୍ୟବସ୍ଥା ରଖିବାକୁ ଆନୁଷ୍ଠାନିକ ଭାବେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ଏ ସଂପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଲେ, ଆଜି ପ୍ରାକ୍‌ ବଜେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। ବଜେଟ୍‌ ପାଇଁ ମୁଖ୍ୟତଃ କୃଷି ଓ କୃଷକମାନଙ୍କୁ ଗୁରୁତ୍ୱ ପ୍ରଦାନ କରିବାକୁ ଏକାଧିକ ପ୍ରସ୍ତାବ ରହିଛି। ସେଥିମଧ୍ୟରୁ ଗୋଟିଏ ପ୍ରସ୍ତାବ ହେଉଛି ଚାଷୀଙ୍କୁ ମାସିକ ଏକ ହଜାର ଟଙ୍କାର ପେନ୍‌ସନ ପ୍ରଦାନ। ଇତି ମଧ୍ୟରେ ବେଆଇନ ଖଣିଜ ଜରିମାନା ବାବଦରେ ରାଜ୍ୟ ୮ ହଜାର କୋଟିରୁ ଅଧିକ ରାଜସ୍ୱ ଅର୍ଜନ କରିଛି। ସେହି ଅର୍ଥରୁ ଚାଷୀଙ୍କ ଉନ୍ନତି ପାଇଁ ଖର୍ଚ କରିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଏହି ଅର୍ଥ ୮ଟି ଖଣିଜ ସଂପଦଭରା ଜିଲ୍ଲାରେ ଖର୍ଚ କରିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଥିବା ସେ କହିଛନ୍ତିି। ସେହିପରି ସାମାଜିକ କ୍ଷେତ୍ର ଯଥା: ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ ସଂଗଠନ, ଖାଦ୍ୟ ସୁରକ୍ଷା ସହିତ ଭିତ୍ତିଭୂମିର ବିକାଶ, ପର୍ଯ୍ୟଟନ ଆଦି ନେଇ ଅନେକ ଉପାଦେୟ ପ୍ରସ୍ତାବ ମିଳିଛି। ସେହି ପ୍ରସ୍ତାବଗୁଡ଼ିକୁ ରାଜ୍ୟ ଉତ୍କର୍ଷ କେନ୍ଦ୍ର ଏବଂ ଫିସ୍‌କାଲ୍‌ ପଲିସି ଏବଂ ଟ୍ୟାକ୍ସେସନ୍‌ ଅନୁଧ୍ୟାନ କରିବ। ଯେହେତୁ ସରକାର ଲୋକାଭିମୁଖୀ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି, ଉତ୍ତମ ପ୍ରସ୍ତାବ ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ। ସୂଚନାଯୋଗ୍ୟ, ଅର୍ଥ ବିଭାଗ ପକ୍ଷରୁ ବଜେଟ୍‌ ପ୍ରସ୍ତୁତି ପାଇଁ ମତାମତ, ପ୍ରସ୍ତାବ ସଂଗ୍ରହ ପ୍ରକ୍ରିୟା ଗତ ଡିସେମ୍ବର ୨୩ ତାରିଖରୁ ଆରମ୍ଭ ହୋଇ ଆଜି(ଜାନୁଆରି ୧୦) ଶେଷ ହୋଇଛି। କିନ୍ତୁ ଜନସାଧାରଣଙ୍କ ଅନୁରୋଧ ଆଧାରରେ ଏହି ମତାମତ ପ୍ରଦାନ ସୁବିଧା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର