ଜୁଲାଇ ୨୨, ୨୯, ଅଗଷ୍ଟ ୫ରେ ଜିଲ୍ଲାରେ ପେନସନ୍‌ ଅଦାଲତ

ଭୁବନେଶ୍ୱର: ଅବସର ଗ୍ରହଣ ପରେ ଶିକ୍ଷକମାନଙ୍କୁ ସେମାନଙ୍କ ପେନସନ୍‌, ଗ୍ରାଚ୍ୟୁଇଟି ଓ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ସୁଯୋଗ ତୁରନ୍ତ ପ୍ରଦାନ କରିବା ପ୍ରକ୍ରିୟାକୁ ତ୍ୱରାନ୍ଵିତ ପାଇଁ ବିଭିନ୍ନ ଜିଲ୍ଲାରେ ପେନସନ୍‌ ଅଦାଲତ ଅନୁଷ୍ଠିତ ହେବ। ବିିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁଲାଇ ୨୨ରେ ସମସ୍ତ ଜିଲ୍ଲାରେ ପେନସନ୍‌ ଅଦାଲତ ଆରମ୍ଭ ହେବ। ଏହି ଅଦାଲତକୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଯଦି କୌଣସି ନଥିପତ୍ର ଉପସ୍ଥାପନାରେ ତ୍ରୁଟି ପରିଲକ୍ଷିତ ହୁଏ ତେବେ ଅଧିକାରୀଙ୍କ ପରାମର୍ଶକ୍ରମେ ଜୁଲାଇ ୨୯ ଓ ଅଗଷ୍ଟ ୫ରେ ହେବାକୁ ଥିବା ଅଦାଲତରେ ସେମାନେ ଉପସ୍ଥିତ ରହି ମାମଲାର ଫଇସଲା କରିବାର ସୁଯୋଗ ପାଇବେ। ସର୍ଭିସ୍‌ ବୁକ୍‌ ନ ମିଳିବ, କୋର୍ଟ କେସ୍‌, ଚାକିରିରେ ଅନିୟମିତତା, ଉତ୍ତରାଧିକାରୀ ପ୍ରମାଣପତ୍ରର ଅଭାବ, ପେନସନ୍‌ କାଗଜପତ୍ରରେ ତ୍ରୁଟି କାରଣରୁ ଶିକ୍ଷକମାନେ ପେନସନ୍‌ ଓ ଅବସରକାଳୀନ ସୁବିଧା ପାଉ ନାହାନ୍ତି। ଏଭଳି ସମସ୍ୟା ଦୃଷ୍ଟିକୁ ଆସିବା ପରେ ପେନସନ୍‌ ଅଦାଲତ ମାଧ୍ୟମରେ ମାମଲାଗୁଡ଼ିକର ତୁରନ୍ତ ସମାଧାନ କରିବା ନିମନ୍ତେ ବିଭାଗୀୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦେଶ ଦେଇଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ପୁରୁଣା ମାମଲାଗୁଡ଼ିକର ଫଇସଲା କରି ତୁରନ୍ତ ନ୍ୟାୟ ପ୍ରଦାନ ଦିଗରେ ଗୁରୁତ୍ୱ ଦେବେ। ଜଟିଳ ମାମଲାଗୁଡ଼ିକୁ ତର୍ଜମା କରି ବିଭାଗକୁ ପଠାଇଲେ ବିଭାଗର ଉଚ୍ଚାଧିକାରୀମାନେ ଏସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବେ। ଫଳରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ନ୍ୟାୟ ମିଳିପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ପେନସନ୍‌ ଅଦାଲତ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀମାନେ ପ୍ରଭାବିତ ପେନସନ୍‌ଧାରୀଙ୍କୁ ଯଥେଷ୍ଟ ପୂର୍ବରୁ ଅବଗତ କରାଇବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର