ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲା : ହାଇକୋର୍ଟରୁ ଜାମିନ ଆବେଦନ ପ୍ରତ୍ୟାହାର କଲେ ରୂପେଶ ଭଦ୍ର

କଟକ : ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୂପେଶ ଭଦ୍ର ହାଇକୋର୍ଟରୁ ଜାମିନ ଆବେଦନ ପ୍ରତ୍ୟାହାର କରିଛନ୍ତି। ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଜାମିନ ଆବେଦନ ପ୍ରତ୍ୟାହାର କରାଯାଇଛି। ୨୦୧୯, ନଭେମ୍ବର ୨୯ରେ ଯାଜପୁର ଜିଲ୍ଲା ଓ ଦୌରାଜଜ୍ ରୂପେଶଙ୍କ ଜାମିନ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ଅଦାଲତରେ ସରକାରଙ୍କ ପକ୍ଷରୁ କେସ୍ ଡାଏରି ଓ ତଦନ୍ତର ସାନି ସ୍ଥିତି ନେଇ ତଥ୍ୟ ଉପସ୍ଥାପନ କରାଯାଇଥିବା ବେଳେ ଅଦାଲତ ରୂପେଶଙ୍କ ଜାମିନ ଖାରଜ କରିଥିଲେ। ପ୍ରକାଶଥାଉକି, ଅକ୍ଟୋବର ୧୬ରେ ପିଇଓ ସ୍ମିତାରାଣୀଙ୍କ ରୂପେଶଙ୍କ ରଙ୍ଗଶାଳାରେ ରହସ୍ୟଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଧର୍ମଶାଳା ଥାନାରେ ରୁଜୁ ମାମଲାରେ ରୂପେଶଙ୍କୁ ପୁଲିସ ଗିରଫ କରିଥିଲା। ଅଦାଲତରେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର