ଚିଟ୍‌ଫଣ୍ଡ୍‌ ଠକେଇ ଚାପରୁ ମହିଳାଙ୍କ ମୃତ୍ୟୁ, ଏଜେଣ୍ଟ୍‌ଙ୍କ ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ପୌରାଞ୍ଚଳ ୧୦ ନମ୍ବର ୱାର୍ଡ ଅନ୍ତର୍ଗତ ଚାଟରା ଗାଁରେ ଅଭାବନୀୟ ଘଟଣା ଘଟିଛି। ଚିଟ୍‌ଫଣ୍ଡ୍‌ରେ ଟଙ୍କା‌ ଜମା ରଖିଥିବା ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏହାକୁ ନେଇ ତୁମୁଳକାଣ୍ତ ଘଟିଛି। ଶତାଧିକ ମହିଳା ଏଜେଣ୍ଟ୍‌ଙ୍କ ଦୋକାନ ଘରକୁ ଜାଳିଦେବା ସହ ମୃତଦେହ ରଖି ଧାରଣାରେ ବସିଥିଲେ। ଘଟଣାସ୍ଥଳରୁ ଏଜେଣ୍ଟ୍‌ ଫେରାର୍ ହୋଇଯାଇଥିବା ବେଳେ ପୁଲିସ ଦୁଇଜଣକୁ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ଅନୁସାରେ, ଏସ୍‌କେଏସ୍‌ ମାଇକ୍ରୋ ଫାଇନାନ୍ସ ଲିମିଟେଡ୍ ଓରଫ ଭାରତ ଫାଇନାନ୍ସ କମ୍ପାନି ନାମକ ଏକ ଚିଟ୍‌ଫଣ୍ତ କମ୍ପାନି ଓ ତାହାର ଏଜେଣ୍ଟ ମିଶି ଏଠାକାର ମହିଳାମାନଙ୍କ ନିକଟରୁ ଟଙ୍କା ଜମା ନେଉଥିଲେ। କିଛିଦିନ ପରେ ଋଣ ଦିଆଯିବ ବୋଲି ଲୋଭ ଦେଖାଇ ସଂସ୍ଥା ନିଜ ଏଜେଣ୍ଟଙ୍କ ଜରିଆରେ ମହିଳାମାନଙ୍କଠାରୁ ଟଙ୍କା ଡିପୋଜିଟ୍ ନେଇଥିଲା। କାଞ୍ଚନ ଭୋଇ ନାମକ ଜଣେ ମହିଳା ମଧ୍ୟ ଟଙ୍କା ରଖିଥିଲେ। ଆଜି ସେ ନିଜ ଜମାଟଙ୍କା ଫେରାଇ ପାଇବା ପାଇଁ ଏଜେଣ୍ଟଙ୍କ ଘରକୁ ଯାଇଥିଲେ। ସେଠାରେ ଟଙ୍କା ଦେବାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା। ଘରକୁ ଫେରିବା ପରେ ହଠାତ୍‌ କାଞ୍ଚନ ଟଳି ପଡ଼ିଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଜଗତସିଂହପୁର ଓ ପରେ କଟକ ଡାକ୍ତରଖାନା ନିଆଯାଇଥିଲା। ହେଲେ କଟକରେ କାଞ୍ଚନଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ପରେ ଚାଟରା ଗାଁରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା।

ଶତାଧିକ ମହିଳା ସମ୍ପୃକ୍ତ ଏଜେଣ୍ଟଙ୍କ ଘର ପାଖକୁ ଯାଇଥିଲେ। ସେ ଫେରାର୍‌ ହୋଇ ଯାଇଥିବାରୁ ଉତ୍ତ୍ୟକ୍ତ ମହିଳାମାନେ ତାଙ୍କ ଦୋକାନଘରେ ନିଆଁ ଲଗାଇ ଦେଇଥିଲେ। ତେବେ, ମହିଳା ମାନେ ଏଜେଣ୍ଟଙ୍କ ଘର ଆଗରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜଗତସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିିଥିଲା। ତେବେ, ମହିଳାଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିଲାବେଳେ ବିଷ ଦେଇ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର