ହୁଲି ଡଙ୍ଗାରେ ହଲୁଛି ଜୀବନ

କେନ୍ଦୁଝର : ଗାଁର ତିନି ପାର୍ଶ୍ୱରେ ଦୁଇଟି ନଦୀ ବୈତରଣୀ ଏବଂ ମାଲଦା ନଦୀ ପ୍ରବାହିତ ହେଉଛି। ଗୋଟିଏ ପାର୍ଶ୍ୱରେ କାଳିମାଟି ପାହାଡ଼। ତାହାରି ମଧ୍ୟରେ ରହିଛି କେନ୍ଦୁଘାଟି ଗ୍ରାମ। ତେଣୁ ହୁଲି ଡଙ୍ଗାକୁ ଭରସା କରି ଚଳୁଛନ୍ତି କେନ୍ଦୁଝର ଜିଲ୍ଲା ବାଶଂପାଳ ବ୍ଲକ ଫୁଲଝର ପଞ୍ଚାୟତ କେନ୍ଦୁଘାଟି ଗ୍ରାମବାସୀ। ବର୍ଷର ୩ ମାସ ସଂପୂର୍ଣ୍ଣ ଜଳବନ୍ଦୀ । ଘଞ୍ଚ ଜଂଗଲ ଏବଂ ବନ୍ୟଜନ୍ତୁଙ୍କ ଭୟ ପାଇଁ ସ୍ଥଳପଥରେ ଏମାନେ ଯାଇପାରନ୍ତି ନାହିଁ। ତେଣୁ ବଜାର ଘାଟକୁ ଯିବା ପାଇଁ କାଶିଆ ଗ୍ରାମ ନିକଟ ବୈତରଣୀ ନଦୀ ଘାଟରୁ ହୁଲିଡଙ୍ଗାରେ ଯାଇଥାଆନ୍ତି। ଗାଁରୁ ବାହାରକୁ ଯିବା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଡଙ୍ଗାରେ ନଦୀ ପାରି ହୋଇଥାଆନ୍ତି। ହୁଲି ଡଙ୍ଗାର ଅବସ୍ଥା ଏପରି ଯେ ସେଥିରେ ମାତ୍ର ୪ରୁ ୫ ଜଣ ଯାଇପାରିବେ। ତାହାପୁଣି ଆଣ୍ଠେଇକି ବସିବାକୁ ପଡ଼େ। ଡଙ୍ଗାର ଆକାର ଛୋଟ ହୋଇଥିବାରୁ ନଦୀ ପାରହେଲା ବେଳେ ଡଙ୍ଗା ହଲୁଛି ଏବଂ ଏହା ସହ ଯାତ୍ରୀଙ୍କ ଜୀବନ ମଧ୍ୟ ଦୋହଲୁଛି।

ବୈତରଣୀ ନଦୀରେ ପୋଲ ନିର୍ମାଣ ପାଇଁ କେନ୍ଦୁଘାଟିବାସୀ ବିଡିଓ, ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଧାୟକ, ସାଂସଦଙ୍କ ନିକଟରେ ଦାବି କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ଦୁଃଖ କେହି ଶୁଣିନାହାନ୍ତି। ଏହି ଗ୍ରାମରେ ୨୨ଟି ବାଇକ ଅଛି, କିନ୍ତୁ ବର୍ଷାଦିନ ଆସିଲେ ସମସ୍ତ ବାଇକକୁ ନଦୀ ଆରପଟେ ଥିବା କାଶିଆ ଗ୍ରାମର ବିଭିନ୍ନ ଲୋକଙ୍କ ଘରେ ୩ ମାସ ରଖିଥାଆନ୍ତି। ଡଙ୍ଗାରେ ନଦୀ ପାରିହୋଇ ଆସିଲେ ଏଠାରୁ ବାଇକ ନେଇ ବିଭିନ୍ନ ସ୍ଥାନକୁ ଯାଇଥାଆନ୍ତି। ଏହି ଗ୍ରାମରେ ୬ ଶହ ପାଖାପାଖି ଭୋଟର ଥିବାରୁ ନିର୍ବାଚନ ସମୟ ଆସିଲେ ନେତାଙ୍କ ସୁଅ ଛୁଟେ। ଭୋଟ ସରିଲେ ଆଉ କାହାରି ପାଦ ତାଙ୍କ ଗାଁରେ ପଡେ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଗାଁକୁ ଯିବା ପାଇଁ ପୋଲ ନିର୍ମାଣ ନହୁଏ ତେବେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଆଉ କେତେ କାହା ନିକଟରେ ଗୁହାରି କରିବୁ। ଭୋଟ ଦେଇ କ’ଣ ଲାଭ ହେଉଛି। ତେଣୁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ପୂର୍ବତନ ସରପଞ୍ଚ ତଥା କେନ୍ଦୁଘାଟିର ଭ୍ରମରବର ପ୍ରଧାନ, ସନ୍ତୋଷ କୁମାର ବାରିକ ଓ ଅନ୍ୟମାନେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର