ଶାମ୍ବଦଶମୀରେ ସୂର୍ଯ୍ୟମନ୍ଦିର ଲୋକାରଣ୍ୟ

କୋଣାର୍କ : ଶାମ୍ବଦଶମୀ ପାଇଁ ସୁରକ୍ଷା ସମିତିର ପ୍ରଚେଷ୍ଟାରେ ବିଗତବର୍ଷ ମାନଙ୍କ ଭଳି ଚଳିତବର୍ଷ ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଥିଲା । ସକାଳ ୬ ଟାରେ ମନ୍ଦିର ଫାଟକ ଖୋଲିଥିଲା। ସମୟ ବଢ଼ିବା ସହିତ ମନ୍ଦିରକୁ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବଢ଼ିଥିଲା । ପରସ୍ଥିତି ଏପରି ହୋଇଥିଲା ଯେ ସକାଳ ସାଢ଼େ ଆଠଟା ବେଳକୁ ମନ୍ଦିରରୁ ଲମ୍ବା ଧାଡ଼ି ମୁଖ୍ୟ ରାସ୍ତା ଆଡ଼କୁ ବଢ଼ିବାରେ ଲାଗିଥିଲା । ପ୍ରବଳ ସଂଖ୍ୟକ ପର୍ଯ୍ୟଟକଙ୍କ ଗହଳିରେ ଯିବା ଆସିବା ଏକପ୍ରକାର ଠପ୍‌ ହୋଇପଡ଼ିଥିଲା । ମନ୍ଦିରର ସଂକୁଚିତ ପ୍ରବେଶ ପଥ ଏତେ ଜାମ ହୋଇଥିଲାକି ମନ୍ଦିର ଭିତରକୁ ଯିବା ଓ ମନ୍ଦିରରୁ ବାହାରକୁ ଆସିବା ଅସମ୍ଭବ ହୋଇପଡ଼ିଥିଲା । ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଥିବା ଘୋଡ଼ାଦ୍ଵାର ଗେଟ ଖୋଲାଯାଇ ପର୍ଯ୍ୟଟକଙ୍କ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିଲା । ମାତ୍ର ଭିଡ଼ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଲାଗି ରହିଥିଲା ।

ସ୍ଥାନୀୟ ପୁରୁଖା ଲୋକଙ୍କ ମତ ଅନୁଯାୟୀ ବହୁବର୍ଷ ପୂର୍ବରୁ ମାଘମେଳାରେ ଏଭଳି ଭିଡ଼ ଦେଖିବାକୁ ମିଳୁଥିବାବେଳେ ଶାମ୍ବଦଶମୀରେ ଏଭଳି ଭିଡ଼ ଆଗରୁ କେବେବି ହୋଇ ନଥିଲା ।

ସମ୍ବନ୍ଧିତ ଖବର