ସୁପ୍ରିମକୋର୍ଟ ନିର୍ଦ୍ଦେଶ ମାନିଲେନି, ସନ୍ଧ୍ୟାରୁ ରାତିଅଧ ଯାଏ ଢେ‌ା’ଢା’

ଶତାଧିକଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ ଚୁପ୍

ଭୁବନେଶ୍ବର: ବାଣ ବିକ୍ରି ଓ ଦୀପାବଳି ଦିନ ବାଣଫୁଟାକୁ ନେଇ ସୁପ୍ରିମକୋର୍ଟ ଜାରି କରିଥିବା କଟକଣାକୁ କେହି ମାନିଲେନି। ଦୀପାବଳିରେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଥିଲେ। ମାତ୍ର, ଏହି ନିର୍ଦ୍ଦେଶକୁ ବେଖାତିର୍‌ କରି ଲୋକମାନେ ମଧ୍ୟରାତ୍ର ଯାଏ ବାଣ ଫୁଟାଇଲେ। କେବଳ କଟକ-ଭୁବନେଶ୍ବର ମହାନଗର‌େର କାହିଁକି, ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ଏହା ଦେଖିବାକୁ ମିଳିଛି। କଟକ-ଭୁବନେଶ୍ବର କମିସନରେଟ୍‌ ପୁଲିସ୍‌ ୧୩୦ ଜଣ ଆଇନ ଊଲ୍ଲଘଂନକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ, ଏହି ଘଟଣା ଏବେ ଚିନ୍ତାଜନକ ହୋଇପଡ଼ିଛି। ସବରୀମାଲା ଭଳି ପ୍ରସଙ୍ଗରେ ଖୋଲାଖୋଲି ସୁପ୍ରିମକୋର୍ଟଙ୍କ ନି‌େର୍ଦ୍ଦଶକୁ ବେଖାତିର୍‌ କରାଯାଉଥିବ‌ା ବେଳେ ଏବେ ଏହା ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଗତ ଅକ୍ଟୋବର ୨୩ ତାରିଖ ଦିନ ସୁପ୍ରିମକୋର୍ଟ ବାଣ ଫୁଟାଇବାକୁ ନେଇ କଟକଣା ଜାରି କରିଥିଲେ। ଦୀପାବଳି ପାଇଁ ବାଣ ବିକ୍ରିକୁ ନିଷେଧ କରାଯିବ ନାହିଁ, ମାତ୍ର ଏହାକୁ ଫୁଟାଇବା ପାଇଁ କଟକଣା ଲାଗୁ କରାଯିବ। ରାତି ୮ଟାରୁ ୧୦ ଟା ଭିତରେ ବାଣ ଫୁଟା ଯାଇପାରିବ ବୋଲି ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଥିଲେ। ମାତ୍ର, ଏହି ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରାଯାଇଥିବା ରାଜ୍ୟର ବିଭିନ୍ନ ସ୍ଥାନରୁ ହସ୍ତଗତ ରିପୋର୍ଟରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ରାତି ୮ଟାରୁ ୧୦ ମଧ୍ୟରେ ଏବଂ ୧୫୫ ଡେସିବଲରୁ କମ୍ ଶବ୍ଦ ବିଶିଷ୍ଟ ବାଣ ଫୁଟାଇବା ପାଇଁ ସୁପ୍ରିମ କୋର୍ଟଙ୍କ ଆଦେଶ ଥିବା ବେଳେ ସନ୍ଧ୍ୟା ୬ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ କିନ୍ତୁ ବାଣ ଫଟାଯାଉଥିବା ଦେଖିବାକୁ ମିଳିଥିଲା। ଅନୁଗୁଳ ପୁଲିସ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସୁପ୍ରିମ କୋର୍ଟ ଆଦେଶ ସଂକ୍ରାନ୍ତରେ ସହରରେ ପ୍ରଚାର କରି ସ‌େଚତନତା ସୃଷ୍ଟି କରାଯାଇଥିଲା। ତେବେ ଲୋକମାନେ କିନ୍ତୁ ସନ୍ଧ୍ୟାରେ ଦୀପ ପ୍ରଜ୍ଜ୍ବଳନ ପରେ ପରେ ବାଣ ଫୁଟାଇବା ଆରମ୍ଭ କରି ଦେଇଥିଲେ ଏବଂ ୧୦ଟା ପରେ ମଧ୍ୟ ଏହା ବଳବତ୍ତର ରହିଥିଲା। ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ନିୟମକୁ ପାଳନ କରିବାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ ରହିଥିଲେ ମଧ୍ୟ ଘୁ.ଉଦୟଗିରି ଓ ଏହାର ଆଖପାଖରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ପ୍ରଶାସନ ପକ୍ଷରୁ କୋଣସି ପଦକ୍ଷେପ ନିଆଯାଇନଥିବାରୁ ସ୍ଥାନୀୟ ଲୋକେ ସନ୍ଧ୍ୟା ୫ରୁ ରାତି୧୨ଟା ପର୍ଯ୍ୟନ୍ତ ବାଣ ଫୁଟାଇଥିଲେ । ଆତସବାଜୀର ଶବ୍ଦ ଓ ଧୂଆଁ ସହରକୁ ପୁରା ଆଚ୍ଛାଦିତ କରିଥିଲା ା

ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ସତ୍ତ୍ବେ ସ୍ମାର୍ଟ ସିଟି ରାଉରକେଲାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟିଥିଲା। ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପରିବର୍ତ୍ତେ ସଞ୍ଜ ନଇଁବା କ୍ଷଣି ଆରମ୍ଭ ହୋଇଯାଇଥିଲା ବାଣ ଫୁଟା। ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣଫୁଟା ଶବ୍ଦରେ ସ୍ମାର୍ଟ ସିଟି ପ୍ରକମ୍ପିତ ହୋଇଥିଲା। ହସ୍ପିଟାଲ, ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, କୋର୍ଟରୁ ୧୦୦ ମିଟର ଦୂରରେ ବାଣ ଫୁଟାଇବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲେ ହେଁ କେହି ମାନି ନ ଥିଲେ। ସ୍ଥାନୀୟ ପୁଲିସ ରାତି ୧୦ଟା ପରେ ବାଣ ଫୁଟାଉଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଶଦ୍ଦ ପ୍ରଦୂଷଣ ମାପିବା ପାଇଁ ପାରାଦୀପର ଚାରୋଟି ସ୍ଥାନରେ ବ୍ୟବସ୍ଥା କରାଯାଇଥିଲା। ଇଫ୍‌କୋ ଛକ, ବଡ଼ପଡ଼ିଆ, ମଧୁବନ କଲୋନି ଓ ବିଜୁ ମେମୋରିଆଲ ହସ୍‌ପିଟାଲ ନିକଟରେ ବୋର୍ଡ ପକ୍ଷରୁ ଶଦ୍ଦ ମାପିବା ଯନ୍ତ୍ର ଲଗାଯାଇଥିଲା। ଏହି ଯନ୍ତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଇଫ୍‌କୋ ଛକ ନିକଟରେ ଦିନ ସମୟରେ ୭୫ ଓ ସନ୍ଧ୍ୟାରେ ୭୩ ଡେସିବେଲ, ବଡ଼ପଡ଼ିଆରେ ୬୫ ଓ ୫୫, ମଧୁବନରେ ୫୫ ଓ ୪୫ ଏବ˚ ହସ୍‌ପିଟାଲ ନିକଟରେ ୫୦ ଓ ୪୦ ଡେସିବେଲ ମଧୢରେ ପ୍ରଦୂଷଣର ସୀମା ରହିବା କଥା ମାତ୍ର ଇଫ୍‌କୋ ଛକ ନିକଟରେ ସକାଳ ଓ ସନ୍ଧ୍ୟାରେ ସମୟରେ ସ˚ଗ୍ରହ କରାଯାଇଥିବା ତଥ୍ୟ ମୁତାବକ ଏଠାରେ ଶଦ୍ଦ ପ୍ରଦୂଷଣ ୭୪ ଓ ସନ୍ଧ୍ୟାରେ ୭୩ ଡେସିବେଲ ଥିଲା। ସେହିପରି ବଡ଼ପଡ଼ିଆ ଛକ ନିକଟରେ ୭୬ ଓ ୭୩ ଡେସିବେଲ, ମଧୁବନ କଲୋନିରେ ୭୮ ଓ ୭୦ ଡେସିବେଲ ଏବ˚ ସାଇଲେନ୍‌ସ ଜୋନ୍‌ କୁହାଯାଉଥିବା ବିଜୁ ମେମୋରିଆଲ ହସ୍‌ପିଟାଲ ନିକଟରେ ୭୬ ଓ ୬୯ ଡେସିବେଲ ରହିଥିଲା। କେବଳ ଏହିସବୁ ସ୍ଥାନ ନୁହେଁ, ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର