ହୀନସ୍ତାରେ ନାରାୟଣପାଟଣା ‌େଲାକ, ଟଙ୍କିକିଆ ଚାଉଳ, ୨ ଶହ ଟଙ୍କା ଭଡ଼ା

ସରକାରଙ୍କୁ ପ୍ରସ୍ତାବ ଯାଇଛି, ଅନୁମତିକୁ ଅପେକ୍ଷା

କୋରାପୁଟ: ସରକାରଙ୍କ ପକ୍ଷରୁ ଟଙ୍କାକରେ ଚାଉଳ ମିଳୁଛି। ଏହି ଚାଉଳ ଆଣିବା ପାଇଁ ୨ ଶହରୁ ୩ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଯେଉଁମ‌ାନଙ୍କୁ ଏହିଭଳି ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ୁଛି, ସେମାନେ ହେଉଛନ୍ତି ଗରିବ ଲୋକ। ଚାଷୀ ମୂଲିଆ ଆଦିବାସୀ ସଂଘ ଭୟରେ କୋରାପୁଟ ସହରରେ ୧୦ ବର୍ଷ ହେବ ମୁଣ୍ଡ ଗୁଞ୍ଜିଛନ୍ତି। ଗୋଟିଏ ପଟେ ଜୀବନ ଭୟରେ ସେମାନେ ସିନା ଚାଲି ଆସିଥି‌େଲ , ଆରପଟେ ପେଟରେ ବି ଭୋକ ରହିଛି। ଯେଉଁଥିପାଇଁ ଚାଉଳ ମୋହ ଛାଡ଼ି ପାରନାହାନ୍ତି ଅଥଚ ଏଥିପାଇଁ ସେମାନଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି।

ଏହି ଲୋକମାନଙ୍କ ଘର ହେଉଛି କୋରାପୁଟ ଜିଲ୍ଲା ଅନ୍ତର୍ଗତ ନାରାୟଣପାଟଣା ବ୍ଲକ୍‌। ଯେଉଁଠି, ଚାଷୀ ମୂଲିଆ ଆଦିବାସୀ ସଂଘର ପ୍ରଭାବ ରହିଛି। ଜଣେ ଲୋକଙ୍କ କହିବାନୁସାରେ, ‘ ଚାଷୀ ମୂଲିଆ ଆଦିବାସୀ ସଂଘର ଉତ୍ପାତ ପରେ ବ୍ଲକ୍‌ର ବହୁ ଲୋକ ଗାଁ ଛାଡ଼ି ଚାଲି ଆସିଥିଲେ। ଏପରିକି, ସଂଘର ସଦସ୍ୟମାନେ ପୂରା ମାଟିରେ ମିଶାଇ ଦେଇଥିଲେ। ଫଳରେ ଲୋକମାନେ ବାହାରେ ଆଶ୍ରୟ ନେଇଥିଲେ। ଚାଷୀ ମୂଲିଆ ସଂଘର କାର୍ଯ୍ୟକଳାପ ଥଣ୍ଡା ହେଲା ପରେ କିଛି ଲୋକ ଗାଁକୁ ଫେରିଥିଲେ ମଧ୍ୟ ଆଉ କିଛି କର୍ମ ସଂସ୍ଥାନ ଆଶାରେ କୋରାପୁଟରେ ରହି ଯାଇଛନ୍ତି।’ ସୂଚନ‌ା ଅନୁସାରେ, ‌କୋରାପୁଟ ସହର ଉପକଣ୍ଠ ଟିକିରା ସାହି, ଲାଣ୍ଡିଗୁଡା, ମୃତ୍ତିକା ସଂରକ୍ଷଣ ବିଭାଗର ପୁରୁଣା କୋଠା, ଫାୟାର ଷ୍ଟେସନ ପାଖ ଓ ଦେଓଘାଟି ନିକଟରେ ହଜାରେରୁ ଅଧିକ ଲୋକ ରହି ଆସୁଛନ୍ତି। ଦୀର୍ଘ ୧୦ ବର୍ଷ ହେଲା କୋରାପୁଟ ସେମାନଙ୍କୁ ରାହା ଦେବା ସହ ସେମାନଙ୍କ ଠିକଣା ବି ପାଲଟିଛି। କିନ୍ତୁ ଏହି ଠିକଣା ସେମାନଙ୍କ ପାଇଁ ଏବେ ଏକପ୍ରକାର ଅଭିଶାପରେ ପରିଣତ ହୋଇଯାଇଛି। ଲୋକମାନେ ଏଠାରେ ରହୁଥିଲେ ମଧ୍ୟ ସେମାନଙ୍କ ପୂର୍ବ ଠିକଣା ଗାଁରେ ଥିବାରୁ ସେଠାରେ ରାସନ ସାମଗ୍ରୀ ମିଳୁଛି। ତେଣୁ ସମସ୍ତେ ମାସକୁ ଥରେ ଗାଁକୁ ଯାଇ ଟଙ୍କିକିଆ ଚାଉଳ ଆଣୁଛନ୍ତି। ଆଉ ଏଥିପାଇଁ ଭଡ଼ା ବାବଦକୁ ପ୍ରାୟ ବହୁ ଟଙ୍କା ଖର୍ଚ୍ଚ ହେଉଛି। ମୃତ୍ତିକା ସଂରକ୍ଷଣ କୋଠାରେ ରହୁଥିବା ପୋଡାପଦର ଗାଁର ପ୍ରତାପ ଖରାଙ୍କ କହିବାନୁଯାୟୀ, ଚାଉଳ ଯେତିକି ମିଳୁଛି ତା’ର ଅଧାରୁ ଅଧିକ ଟଙ୍କା ଆଣିବାରେ ଖର୍ଚ୍ଚ ହୋଇ ଯାଉଛି। ପୁଣି ଗୋଟିଏ ଦିନ ନଷ୍ଟ ହେଉଛି। ଏଥିନେଇ ବହୁବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ସେ କହିଛନ୍ତି। ସେହିପରି ଆଶିଷଙ୍କ କହିବାନୁଯାୟୀ, ନାରାୟଣପାଟଣାରେ ତାଙ୍କର ଆଉ କିଛି ଘର ଦ୍ବାରା ନାହିଁ। ଗାଁର ବି ଚିହ୍ନବର୍ଣ୍ଣ ନାହିଁ। ତେଣୁ ପଞ୍ଚାୟତ ତାଲିକାରୁ ସେମାନଙ୍କ ନାମ କାଟି ଏଠାରେ ଚାଉଳ ଦିଆଗଲେ ତାଙ୍କ ପରି ଗରିବ ଲୋକମାନେ ଉପକୃତ ହେବେ ବୋଲି ସେ କହିଛନ୍ତି। ଏଥିନେଇ ସହକାରୀ ଯୋଗାଣ ଅଧିକାରୀ ଗଣେଶ୍ବର ଚୌଧୁରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଚାଉଳ ଆଣିବା ପାଇଁ ଲୋକେ ନାରାୟଣପାଟଣା ଯାଉଥିବା ଖବର ତାଙ୍କ ପାଖରେ ଅଛି। ରାସନ କାର୍ଡକୁ ଏଠାକୁ ପରିବର୍ତ୍ତନ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସରକାରଙ୍କ ପାଖରୁ ଅନୁମତି ଆସିଲେ ଏଠାରେ କୋରାପୁଟରେ ହିଁ ସେମାନଙ୍କୁ ଚାଉଳ ଦିଆଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

ସମ୍ବନ୍ଧିତ ଖବର