ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ ପରେ ଦିନଟିଏ ଲାଗି ଆଶାର ଦୀପ ଜଳିଲା…

ସୋମବାରଠୁ ପୁଣି ଅନ୍ଧାର, ହାତ ବାନ୍ଧି ବସିବେ ବ୍ୟବସାୟୀ

ବ୍ରହ୍ମପୁର( ଜ୍ଞାନଚାନ୍ଦ ଜଗନ୍ନାଥ): ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏଭଳି ଜଟିଳ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଙ୍କଟ ଅନ୍ଧାରକୁ ଚ୍ୟାଲେଞ୍ଜ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତାକାଲି ରାତି ୯ଟାରେ ୯ମିନିଟ୍ ପର୍ଯ୍ୟନ୍ତ ଘରର ଆଲୋକ ବନ୍ଦ କରି ଦୀପ, ମହମବତୀ ଓ ଟର୍ଚ୍ଚ ଜାଳିବା ପାଇଁ ନିବେଦନ କରିବା ସହ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି। ଆଉ ସବୁଠୁ ଉଲ୍ଲେଖନୀୟ କଥା ହେଲା, ଲକ୍‌ଡାଉନ୍ ପରେ ହାତ ବାନ୍ଧି ବସିଥିବା ମାଟି ସାମଗ୍ରୀ ଓ ଦୀପ ବ୍ୟବସାୟୀଙ୍କ ବ୍ୟବସାୟରେ ସାମାନ୍ୟ ସ୍ବାଭାବିକ ସ୍ଥିତି ଆସିଛି। ମୋଦୀଙ୍କ ଘୋଷଣା ପରେ ଦୀପର ଚାହିଦା ବଢ଼ିଥିବାରୁ ଗତ ୧୫ ଦିନ ଧରି ଖାଲି ବସିଥିବା ଦୀପ ବ୍ୟବସାୟୀ ଆଜି କିଛି ଟଙ୍କା ରୋଜଗାର କରିପାରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସ୍ବୀକାର କରି ବ୍ରହ୍ମପୁରବାସୀ ଦୀପ କିଣିନେଇଥିବା ଜଣାପଡ଼ିଛି। ଏହି କ୍ରମରେ ଆଜି ଆମେ ଲାଞ୍ଜିପଲ୍ଲୀ ଫାଣ୍ଡି ପାଖରେ ଦୀର୍ଘ ୩୦ ବର୍ଷ ହେଲା ମାଟି ସାମଗ୍ରୀ ଓ ଦୀପ ବେପାର କରୁଥିବା ଡି.ୱାରାଲୁ (୬୦)ଙ୍କ ସହ କଥାବାର୍ତ୍ତା କରିଥିଲୁ। ୱାରାଲୁ କହିଥି‌ଲେ, ହାତ ଓ ଗୋଡ଼ରେ ଯନ୍ତ୍ରଣା ‌ସତ୍ତ୍ବେ ସେ ବ୍ୟବସାୟରେ ସକ୍ରିୟ ଅଛନ୍ତି। ଦୀପ ସହ ମାଟି ତିଆରି ସାମଗ୍ରୀରେ ହିଁ ପରିବାର ଚଳୁଛି। ବାପା ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରି ବିକୁଥିବା ବେଳେ ତାଙ୍କଠୁ କାମ ଶିଖିଥିଲେ। ବୟସ ହୋଇଯିବାରୁ ମାଟି ସାମଗ୍ରୀ ଆଉ ତିଆରି କରିପାରୁନାହାନ୍ତି। କିନ୍ତୁ ବେପାର ଜାଣିଥିବାରୁ କୁକୁଡ଼ାଖଣ୍ଡି, ଚାନ୍ଦପୁର ଓ ଭୀଷ୍ମଗିରି ଅଞ୍ଚଳରୁ ଦୀପ ଆଣି ବିକ୍ରି କରୁଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଏହି ବ୍ୟବସାୟରୁ ହିଁ ପୁଅ, ବୋହୂ ଓ ନାତିନାତୁଣୀ ମୋଟ ୫ଜଣ ସଦସ୍ୟଙ୍କ ପ୍ରତିପୋଷଣ ହେଉଛି।

ହେଲେ କରୋନା ପାଇଁ ଲକ୍‌ଡାଉନ୍ ଘୋଷଣା ପରେ ବେପାର ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ଚୈତ୍ର ମାସରେ ଦୀପ ଭଲ ବିକ୍ରି ହେବ ବୋଲି ଯେଉଁ ଆଶା ଥିଲା ତାହା ଫସର ଫାଟିଛି। କାରଣ ଏହି ମାସରେ ଦଣ୍ଡଯାତ୍ରା ସହିତ ରାମନବମୀ ଭଳି ବିଭିନ୍ନ ପର୍ବପର୍ବାଣୀ ରହିଥିଲା। କିନ୍ତୁ ପର୍ବପର୍ବାଣୀ ପାଳନ ସହ ମନ୍ଦିର ଯିବା ଉପରେ ରୋକ୍ ଲାଗିଥିବାରୁ ଦୀପ ବିକ୍ରି ହୋଇପାରୁନି। ପୂର୍ବଭଳି ଆଉ ଗ୍ରାହକ ଆସୁ ନାହାନ୍ତି। କିନ୍ତୁ ଗତକାଲି ଓ ଆଜି ବହୁ ଲୋକ ଦୀପ କିଣି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଦୀପ ଜାଳିବା ପାଇଁ କହିଛନ୍ତି ବୋଲି କହି ଗ୍ରାହକ ମାନେ ଦୀପ କିଣିଥିବା ୱାରାଲୁ କହିଛନ୍ତି। ଫଳରେ ବ୍ୟବସାୟ ସାମାନ୍ୟ ଭଲ ହୋଇଛି। କିନ୍ତୁ ଏହି ଦୁଇ ଦିନ ପରେ ବେପାର କେମିତି ଚାଲିବ, ଦୀପ କେମିତି ବିକ୍ରି ହେବ ଓ ପରିବାର କେମିତି ଚଳାଇବି ବୋଲି କୋହଭରା କଣ୍ଠରେ ୱାରାଲୁ କହିଛନ୍ତି।

ସମ୍ବନ୍ଧିତ ଖବର