୧୦୦ କିଲୋମିଟର ଗଲେ ଦେଖିବେ ଲଭଷ୍ଟୋରୀ, ଓଡ଼ିଶାରେ ଅଛି ଏଭଳି ଏକ ସ୍ଥାନ

0

ମାଲକାନଗିରି: ବଦଳିଛି ମନୋରଞ୍ଜନର ମାଧ୍ୟମ | ମୋବାଇଲରେ ଲାଇଭ ଟିଭି ଦେଖିବା ସହ ୟୁଟ୍ୟୁବରେ ବି ଆପଣ ସହଜରେ ଭିଡିଓ ଦେଖିପାରୁଥିବେ | କିନ୍ତୁ ଫିଲ୍ମ ହଲରେ ଯାଇ ସିନେମା ଦେଖିବା ନିଶ୍ଚିତ ନିଆରା | ନିଜର ପ୍ରିୟ ହିରୋଙ୍କୁ ବଡ ପରଦାରେ ଦେଖିବା ଆଉ ତାଙ୍କ ଅଭିନୟରେ ଭାବୁକ ହେବା ସିଏ ଜାଣିଛି ଯିଏ ସିନେମା ହଲ ଯାଇଛି | କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ ବି ଓଡ଼ିଶାରେ ଏମିତି ଏକ ଜିଲ୍ଲା ରହିଛି ଯେଉଁଠି ସିନେମା ହଲଟିଏ ବି ନାହିଁ | ଯାହାଫଳରେ ଏଠାକାର ଜିଲ୍ଲାବାସୀ ଓଡ଼ିଆ ଫିଲ୍ମଟିଏ ଦେଖିବାକୁ ୧୦୦ କିଲୋମିଟରରୁ ୨୦୦ କିଲୋମିଟର ଯାଏଁ ଯାଇଥାନ୍ତି | ଏହି ଜିଲ୍ଲା ହେଉଛି ମାଲକାନଗିରି |

ଏଠାରେ ଗୋଟିଏ ବି ସିନେମା ହଲ ନଥିବାରୁ ସ୍ଥାନୀୟ ଲୋକ କୋରାପୁଟର ଜୟପୁର ଯାହାକି ୧୧୦ କିଲୋମିଟର ଦୂରରେ ଅବସ୍ଥିତ ସେଠାକୁ ଯାଇଥାନ୍ତି | ସେହିପରି ଓଡ଼ିଶାର ଶେଷ ଗାଁ ମାଲକାନଗିରିର ମୋଟୁଠାରୁ ଜୟପୁର ହେଉଛି ୨୧୦ କିଲୋମିଟର | ଓଡ଼ିଆ ଭାଷାର ଫିଲ୍ମ ଖଣ୍ଡେ ଦେଖିବାକୁ ୨୧୦ କିଲୋମିଟରର ଏହି ଲମ୍ବା ଯାତ୍ରା କରିବାକୁ ବି କୁଣ୍ଠାବୋଧ ପ୍ରକାଶ କରନ୍ତି ନାହିଁ | ଏବେ ଜୟପୁରର ଭାସ୍କର ହଲରେ ବାବୁଶାନଙ୍କ ଅଭିନୀତ ଗୋଲମାଲ ଲଭ ପ୍ରଦର୍ଶିତ ହେଉଛି | ସେହିପରି ଜୟପୁରର ସେଲିବ୍ରେସନ ହଲରେ ପ୍ରଦର୍ଶିତ ହେଉଛି ସ୍ୱରାଜଙ୍କ ଅଭିନୀତ ତୁ ମୋ ଲଭଷ୍ଟୋରୀ-୨ | ତେବେ ହିନ୍ଦୀ ଭାଷାର ଫିଲ୍ମ ଦେଖିବାକୁ ହେଲେ ପଡୋଶୀ ଛତିଶଗଡ଼ର ସୁକୁମା ଯାଉଥିବାବେଳେ ବଡବଡ ବାବୁମାନେ ବିଶାଖାପାଟଣା ଯାଇଥାନ୍ତି |

ପୂର୍ବରୁ ଏଠାରେ ଗୋଟିଏ ସିନେମା ହଲ ଥିଲେ ବି ପରିଚାଳନାଗତ ତ୍ରୁଟି ଯୋଗୁଁ ଏହା ବନ୍ଦ ହୋଇଯାଇଥିଲା | ଯାହାଫଳରେ ଏବେ ୮ ଘଣ୍ଟାର ବସ ଯାତ୍ରା କରି ଜୟପୁର ଯାଉଛନ୍ତି ଏଠାକାର ସିନେପ୍ରେମୀ | ସେଠାରେ ପହଞ୍ଚିଲାବେଳେ ବେଳେବେଳେ ହଲରେ ଟିକେଟ ମିଳୁନାହିଁ | ଯାହାଫଳରେ ନିରାଶ ହୋଇ ଫେରୁଛନ୍ତି ଓଡ଼ିଆ ଦର୍ଶକ | ନିଜ ଜିଲ୍ଲାରେ ଫିଲ୍ମ ହଲଟିଏ ପାଇଁ ଏବେ ଦାବି ଉଠିଛି | ତେବେ କେବେ ସମାଧାନ ହେଉଛି ମାଲକାନଗିରି କଷ୍ଟ ତାହାକୁ ହିଁ ଅପେକ୍ଷା |

ସମ୍ବନ୍ଧିତ ଖବର

Leave A Reply

Your email address will not be published.