ପାଣି ପାଇଁ ରକ୍ତାକ୍ତ ହେଲେ ଲୋକେ, ସାଢ଼େ ୪ ଘଣ୍ଟା ରାସ୍ତା ଅବରୋଧ

ସମ୍ବଲପୁର: ସମ୍ବଲପୁର ସହରର ତାଲଭଟ୍ଟା ପଡ଼ାର ପାଣି ସମସ୍ୟା ନେଇ ରାସ୍ତା ଅବରୋଧ ବେଳେ ସ୍ଥାନୀୟ ବାସିନ୍ଦା ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ପୁଲିସ ମାଡ଼ରେ କିଛି ବ୍ୟକ୍ତି ରକ୍ତାକ୍ତ ହୋଇଥିବା ଏବଂ ମହିଳା ପୁଲିସ ଦୁଇ ଜଣ ମହିଳାଙ୍କ ଶାଢ଼ି ଟାଣିଥିବା ଅଭିଯୋଗ କରିଛନ୍ତି। କ୍ରମାଗତ ଦୁଇ ଦିନ ଧରି ପଡ଼ାକୁ ପାଣି ଯୋଗାଣ ନହେବାରୁ ଉତ୍ୟକ୍ତ ଲୋକେ ଦିନ ୧୦ଟାରୁ୨.୩୦ ପର୍ଯ୍ୟନ୍ତ ୪ ଘଣ୍ଟା ଧରି କ୍ଷେତରାଜପୁର ଛକରେ ରାସ୍ତା ଅବରୋଧ କରିଥିଲେ। ଅନ୍ୟଦିଗରେ ରାସ୍ତା ଅବରୋଧ ବେଳେ ଲାଠିମାଡ଼ କିମ୍ବା ସେଭଳି ପରିସ୍ଥିତି ନଥିବା ତହସିଲଦାର ଦେବେନ୍ଦ୍ର ନନ୍ଦ ଏବଂ ଏସଡିପିଓ ମିହିର ପଣ୍ଡା କହିଛନ୍ତି। ପଡ଼ାର ପାଣି ସମସ୍ୟା ସମାଧାନ ପାଇଁ ତିନୋଟି ଟ୍ୟାଙ୍କରେ ସକାଳେ ଏବଂ ସଂଧ୍ୟାରେ ପିଏଚଡି ପକ୍ଷରୁ ଜଳ ଯୋଗାଣ କରାଯିବାର ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା। ୨୦୧୪ ମସିହାରେ ପାଣି ନେଇ ପିଏଚଡି କାର୍ଯ୍ୟାଳୟରେ ଖଣ୍ଡ ଯୁଦ୍ଧ ପରେ ଆଜି ପୁଣି ପାଣି ପାଇଁ ଲୋକେ ରକ୍ତାକ୍ତ ହୋଇଥିଲେ। ପୂର୍ବାହ୍ନ ୧୦ଟାରେ କ୍ଷେତରାଜପୁର ମୁଖ୍ୟ ଛକରେ ତାଲଭଟ୍ଟା ପଡ଼ାର ଅଧିବାସୀ ରାସ୍ତା ଅବରୋଧ କରି ଯାତାୟାତ ଠପ୍‌ କରି ଦେଇଥିଲେ। ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପାଣି ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିବା ଆରମ୍ଭ ହୋଇଥିଲା। ମାତ୍ର ଅଚାନକ ଜଣେ ଯୁବକ ଜିଲ୍ଲାପାଳ ନଆସିଲେ ରାସ୍ତା ଅବରୋଧ ହଟାଯିବ ନାହିଁ ବୋଲି କହିଥିଲେ। ଏଥିଯୋଗୁଁ ଭିଡ଼ ଉଗ୍ର ହୋଇ ଯାଇଥିଲା। ପୁଲିସ ଏବଂ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ପଡ଼ାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିଲା। ଏହି ଧସ୍ତାଧସ୍ତି ବେଳେ ଭିଡ଼କୁ କାବୁ କରିବା ପାଇଁ ପୁଲିସ ଲାଠି ମାଡ଼ ଦେଇଥିବା ପଡ଼ାବାସୀ କହିଛନ୍ତି।

ସମ୍ବନ୍ଧିତ ଖବର