ଜିଲ୍ଲାରେ ବାବୁ ରାତି କାଟିବାକୁ ବାଧ୍ୟ : ଚରିତ୍ର ପଞ୍ଜିକାରେ ସ୍ଥାନ ପାଇବ, ପୂର୍ବରୁ ନବୀନ କରିଥିଲେ, ଏବେ ମୋଦୀ କହିଲେ

ଭୁବନେଶ୍ୱର :ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ଅଫିସରମାନେ ଏବେ କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ଜିଲ୍ଲାରେ ରାତ୍ରିରେ ରହିବାକୁ ବାଧ୍ୟ। ସେମାନଙ୍କ ଚରିତ୍ର ପଞ୍ଜିକାର ‘ପରଫର୍ମାନ୍ସ ଆପ୍ରାଇଜାଲ୍‌ ରିପୋର୍ଟ’ (ଏପିଆର୍‌)ରେ ଏହା ଉଲ୍ଲେଖ ରହିବ।

ପୂର୍ବରୁ ରାଜ୍ୟ ସରକାର କେବଳ ଆଇଏଏସ୍‌ ଅଧିକାରୀମାନଙ୍କୁ କ୍ଷେତ୍ର ଗସ୍ତ ଲାଗି ବାରମ୍ବାର ନିର୍ଦ୍ଦେଶନାମା ଦେଇ ଆସୁଥିଲେ। ଏବେ କେନ୍ଦ୍ର ସରକାର ଅନୁରୂପ ନିର୍ଦ୍ଦେଶନାମା ଜାରି କରି ଆଇଏଏସ୍‌, ଆଇପିଓ ଆଇଏଫ୍‌ଏସ୍‌ ଅଫିସରମାନେ କାର୍ଯ୍ୟ କ୍ଷେତ୍ରରେ କେଉଁଠି କେତେଦିନ ରାତ୍ରିରହଣି କରୁଛନ୍ତି ତାହାର ରିପୋର୍ଟ ଦେବାକୁ ବାଧ୍ୟତାମୂଳକ କରିଛନ୍ତି।
ଓଡ଼ିଶାରେ ବରିଷ୍ଠ ଶାସନ ସଚିବମାନଙ୍କୁ ସରକାର ନିର୍ଦ୍ଦିଷ୍ଟ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି। ପ୍ରତି ମାସରେ ଜିଲ୍ଲା ଦାୟିତ୍ୱରେ ଥିବା ଏହି ବରିଷ୍ଠ ଆଇଏଏସ୍‌ ଅଫିସର ସମ୍ପୃକ୍ତ ଅଞ୍ଚଳକୁ ଯାଇ ସେଠାରେ ବିଭିନ୍ନ କାର୍ଯ୍ୟର ତଦାରଖ କରୁଛନ୍ତି। ଏହି ଅଧିକାରୀମାନେ ଯେପରି ଅଧିକରୁ ଅଧିକ ସମୟ ଜିଲ୍ଲାର ଗ୍ରାମାଞ୍ଚଳକୁ ଯାଆନ୍ତି ତାହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି।

ନିକଟରେ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ଏକ ଜାତୀୟ ସମ୍ମିଳନୀରେ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଭାରତୀୟ ସେବାର ଅଧିକାରୀମାନଙ୍କୁ ଗ୍ରାମାଞ୍ଚଳ ଗସ୍ତକୁ ବାଧ୍ୟତାମୂଳକ କରିବା ପାଇଁ କହିଥିଲେ। କେନ୍ଦ୍ର ଓ ରାଜ୍ୟ ସ୍ତରରେ ଯୋଜନାମାନ ପ୍ରଣୟନ ହେଉଥିବା ବେଳେ ବାସ୍ତବରେ ଗ୍ରାମାଞ୍ଚଳରେ ତାହାର କିପରି ରୂପାୟନ ହେଉଛି ସେ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ସହିତ ସାଧାରଣ ଲୋକଙ୍କ ସୁଖ ଦୁଃଖରେ ଏହି ଅଧିକାରୀମାନେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି।

କେଉଁ ଅଧିକାରୀ କେଉଁ ଅଞ୍ଚଳକୁ ଗସ୍ତରେ ଯାଉଛନ୍ତି ଏବଂ ଗସ୍ତ ସମୟରେ କ’ଣ ସବୁ କାମ କରୁଛନ୍ତି ସେ ସଂକ୍ରାନ୍ତରେ ତଥ୍ୟ ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ନିୟମିତ ବ୍ୟବଧାନରେ ସବୁ ଜିଲ୍ଲାର ଗେଜେଟିୟର୍‌ଗୁଡ଼ିକର ସଂଶୋଧିତ ସଂସ୍କରଣ ପ୍ରକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଆସନ୍ତା ମାସରେ ନିତି ଆୟୋଗ ମୁଖ୍ୟ ଶାସନ ସଚିବମାନଙ୍କ ଦ୍ୱିତୀୟ ଜାତୀୟ ସମ୍ମିଳନୀ ଡାକିଛନ୍ତି। ସର୍ବଭାରତୀୟ ସେବାର ଅଫିସରମାନଙ୍କ କ୍ଷେତ୍ର ଗସ୍ତ ଓ ସେଠାରେ ରାତ୍ରିରହଣି ନିର୍ଦ୍ଦେଶ କେତେଦୂର କିଏ ଅନୁପାଳନ କରିଛନ୍ତି ସେ ସଂକ୍ରାନ୍ତରେ ଏହି ବୈଠକରେ ବିବରଣୀ ମଗାଯାଇପାରେ। ଇତିମଧ୍ୟରେ ନିତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ ରାଜ୍ୟ ସରକାରମାନଙ୍କୁ ପତ୍ର ଲେଖି ଗତ ବୈଠକର ନିଷ୍ପତ୍ତି ଉପରେ କେଉଁ ରାଜ୍ୟରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଦେବାକୁ କହିଛନ୍ତି।

ସେହିଭଳି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବିଭିନ୍ନ ବିଭାଗର ଶାସନ ସଚିବମାନଙ୍କୁ ପତ୍ର ଲେଖି ବିସ୍ତୃତ ବିବରଣୀ ଦେବା ପାଇଁ କହିଛନ୍ତି।

ସମ୍ବନ୍ଧିତ ଖବର