ପାପଡାହାଣ୍ଡି/ନବରଙ୍ଗପୁର : ପରିବାରରେ ୪ଜଣ ଦିବ୍ୟାଙ୍ଗ। ସମସ୍ତେ ମାନସିକ ଅନଗ୍ରସର। ସରକାରୀ ସୁବିଧାରୁ ବଞ୍ଚିତ ଏହି ପରିବାରର ବୋଝ ବୃଦ୍ଧା ବାଟି ହରିଜନ ବୋହି ଚାଲିଛନ୍ତି। କିନ୍ତୁ ତାଙ୍କ ପରେ ଏମାନଙ୍କ ଦାୟିତ୍ବ ଏବଂ ଯତ୍ନ କିଏ ନେବ? ଏମିତି ପ୍ରଶ୍ନର ଉତ୍ତର ଖୋଜିଖୋଜି ଚିନ୍ତାରେ ରହିଛନ୍ତି ବାଟି।
Sambad is now on WhatsApp
Join and get latest news updates delivered to you via WhatsApp
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ତୁମର୍ଲା ଗାଁରେ ରହୁଛନ୍ତି ବାଟି ହରିଜନ। ପରିବାର କହିଲେ ପୁଅ ଟଙ୍କଧର ହରିଜନ (୪୫), ବୋହୂ ତୁଳା ହରିଜନ (୪୦), ନାତୁଣୀ ମନୁମଖୀ ହରିଜନ (୨୨) ଏବଂ ନାତି ରୋମିୟ ହରିଜନ (୨୦)। ବିଡମ୍ବନା ହେଲା ଏମାନେ ସମସ୍ତେ ମାନସିକ ରୋଗରେ ପୀଡ଼ିତ ହୋଇ ଭିନ୍ନକ୍ଷମ। ମାନସିକ ରୋଗରେ ପୀଡ଼ିତ।
ପୁଅ ଟଙ୍କଧର ପୂର୍ବରୁ ସ୍ବାଭାବିକ ଜୀବନ ବଞ୍ଚୁଥିଲା। ବିବାହ କରିବା ପରେ ଅଲଗା ପତ୍ନୀକୁ ନେଇ ରହୁଥିଲା। ତେବେ ହଠାତ୍ ଦିନେ ମାନସିକ ରୋଗାକ୍ରାନ୍ତ ହେବାରୁ ସବୁ ବଦଳି ଗଲା। ପରବର୍ତୀ ସମୟରେ ବୋହୂ ଏବଂ ନାତି, ନାତୁଣୀ ବି ମାନସିକ ରୋଗରେ ଆକ୍ରାନ୍ତ ହେଲେ। କିଛି ମାସ ମଧ୍ୟରେ ପୂରା ପରିବାର ଦିବ୍ୟାଙ୍ଗ ପାଲଟିଗଲେ। ପୁଅ, ବୋହୂ, ନାତି, ନାତୁଣୀଙ୍କ ଏମିତି ଅବସ୍ଥା ଦେଖି ପାଖକୁ ନେଇ ଆସିଥିଲେ ବୃଦ୍ଧା ବାଟି। ଏହାପରେ ଆରମ୍ଭ ହୋଇଯାଇଥିଲା ଜୀବନ ସହ ସଂଘର୍ଷ। ଭଙ୍ଗାଘରେ କିଛି ଦିନ ପରିବାରକୁ ନେଇ ରହିଥିଲେ। ବର୍ଷାରେ ସେହି ଚାଳ କୁଡିଆ ଭାଙ୍ଗି ଯିବାରୁ ଗ୍ରାମବାସୀ ସମ୍ପର୍କୀୟ ସ୍ବର୍ଗତ ବୈଶାଖୁ ହରିଜନଙ୍କ ଗୋଟିଏ ବଖରା ପୁରୁଣା ଘରେ ରହିବାକୁ କହିଥିଲେ। ସେବେଠାରୁ ଏହି ଘର ସେମାନଙ୍କ ପାଇଁ ପାଲଟି ଯାଇଛି ନୂଆ ଠିକଣା। ସରକାରୀ ଯୋଜନା କହିଲେ ଆବାସ ଯୋଜନାରେ ଘର ଖଣ୍ଡେ ମିଳିଛି। ନିଜେ ତୋଳିବାକୁ ଅକ୍ଷମ ହେବାରୁ ଠିକାଦାରଙ୍କୁ ଦେଇଥିଲେ। କିନ୍ତୁ ଅଧପନ୍ତରିଆ କରି ଘର କାମ ଛାଡ଼ିଦେଲା ଠିକାଦାର। ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ୫ଶହ ଟଙ୍କା ଏବଂ ମାସିକ ୧୦କେଜି ଚାଉଳ ହିଁ ମିଳୁଛି। ସରକାରୀ ଯୋଜନା କହିଲେ ଏତିକି। ପୁଅ, ବୋହୂ, ନାତି ଓ ନାତୁଣୀ ସମସ୍ତେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ କାହାରିକୁ ହେଲେ ଦିବ୍ୟାଙ୍ଗ ଭତ୍ତା ମିଳୁନାହିଁ କିମ୍ବା ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ମିଳିପାରୁ ନାହିଁ। ଗୋଟିଏ ଛାତ ତଳେ ୪ଜଣ ଭିନ୍ନକ୍ଷମ ରହୁଥିବାରୁ ଅନେକ ସମୟରେ ସେମାନଙ୍କ ମଧ୍ୟରେ ମାରପିଟ୍ ହେଉଥିଲା। ଏଥିପାଇଁ ନାତୁଣୀକୁ ସେହି ଗ୍ରାମର ବୈଦୀ ହରିଜନ ଓ ମଙ୍ଗଳଦେଈ ହରିଜନଙ୍କ ସ୍ବଚ୍ଛଭାରତ ମିଶନରେ ନିର୍ମାଣ ହୋଇଥିବା ପାଇଖାନା ଘରେ ରଖୁଛନ୍ତି। ସେଠାରେ ଖାଇବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁ କାମ କରୁଛି ମନମୁଖୀ।
୧୦କେଜି ଚାଉଳ ଏବଂ ଭତ୍ତା ଟଙ୍କାରେ ଏହି ପରିବାର କେମିତି ଚଳୁଥିବ ଅନୁମାନ କରାଯାଇ ପାରିବ। ଏମିତି ସ୍ଥିତିରେ ବୃଦ୍ଧା ଜଣକ ମୂଲ ଲାଗିବାକୁ ବାଧ୍ୟ ହୋଇଛନ୍ତି। ତେବେ ସବୁ ଦିନ ମୂଲ ଲାଗିବା ପାଇଁ ଯାଇପାରୁ ନାହାନ୍ତି। କାରଣ ପରିବାରର ମାନସିକ ଦିବ୍ୟାଙ୍ଗମାନେ କେଉଁ ଦିନ କେଉଁ ଆଡେ ଚାଲି ଯାଉଛନ୍ତି। ସେମାନଙ୍କୁ ଖୋଜି ଆଣିବା ପାଇଁ ସମୟ ଲାଗିଥାଏ। ବୃଦ୍ଧାଙ୍କୁ ମଝିରେ ମଝିରେ ଗ୍ରାମବାସୀ କିଛି କିଛି ସହାୟତା କରିଥାନ୍ତି।
ସରକାରୀ ସହାୟତା କେଉଁ କାରଣରୁ ମିଳୁନାହିଁ ତାହାର ଅନୁସନ୍ଧାନ କରିବାରୁ ସମସ୍ତ କାଗଜପତ୍ର ଏହି ଦିବ୍ୟାଙ୍ଗଙ୍କ ମଧ୍ୟରୁ କେହି ଜଣେ ଚିରି ଦେଇଛି। ଏ ସଂକ୍ରାନ୍ତରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ କୌଣସି ପ୍ରମାଣ ପତ୍ର ନଥିବାରୁ ଭତ୍ତା କିମ୍ବା ଚାଉଳ ଦେବା ସମ୍ଭବ ହୋଇପାରୁ ନାହିଁ ବୋଲି କହିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏହି ପରିବାର ପାଇଁ ଆବଶ୍ୟକ ପ୍ରମାଣପତ୍ର କରିବାକୁ କେହି ଗୁରୁତ୍ବ ଦେଇ ନାହାନ୍ତି। ଯଦି ପ୍ରମାଣପତ୍ର କରିବାରେ ସହାୟତା କରାଯିବ ତେବେ ଏମାନେ ସରକାରୀ ସହାୟତା ପାଇବା ବୃଦ୍ଧାଙ୍କ ବୋଝ କମିଯିବ ବୋଲି ମତ ପ୍ରକାଶ ପାଇଛି। ସେହିପରି ସମସ୍ତେ ପୂର୍ବରୁ ସ୍ବାଭାବିକ ଜୀବନ ବଞ୍ଚୁଥିଲେ। ତେଣୁ ଯଦି ଆବଶ୍ୟକ ଚିକିତ୍ସା କରାଯିବ ତେବେ ସମସ୍ତେ ପୁଣି ସ୍ବାଭାବିକ ଜୀବନ ବଞ୍ଚିବେ ବୋଲି କୁହାଯାଉଛି। ଏଥିପାଇଁ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।