ନକ୍ସଲ, ପିଏଲ୍‌ଏଫ୍‌ଆଇଙ୍କ ନୂଆ ରକ୍ଷାକବଚ ପେସା ଗ୍ରାମସଭା! : ଝାଡ଼ଖଣ୍ଡର ‘ପତ୍ଥଲଗଡ଼ି’ରୁ ସୁନ୍ଦରଗଡ଼କୁ ବ୍ୟାପୁଛି

ରାଉରକେଲା : ଅନୁସୂଚିତ ଅଞ୍ଚଳରେ ପଞ୍ଚାୟତ ସ୍ତରୀୟ ଗ୍ରାମସଭାକୁ ବିଶେଷ କ୍ଷମତା ଅର୍ପଣ ଲାଗି କେନ୍ଦ୍ର ସରକାର ୧୯୯୫ରେ ‘ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତ ସମ୍ପ୍ରସାରଣ (ପେସା) ଆଇନ ପ୍ରଣୟନ କରିଥିଲେ। ମାତ୍ର ଏହାକୁ ଭ୍ରୂକ୍ଷେପ ନକରି ସମ୍ବିଧାନର ୫ମ ପରିଚ୍ଛେଦ ଆଳରେ ନିଜ ନିଜ ଗାଁରେ ସ୍ୱୟଂଶାସନ କ୍ଷମତା ଜାହିର ପାଇଁ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ୨୫୦ ଗାଁରେ ଗଢ଼ି ଉଠିଛି ଗ୍ରାମସଭା; ଯାହା ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଅଭୂତପୂର୍ବ ଆହ୍ଵାନ ସୃଷ୍ଟି କରିଛି। ତେବେ ଝାଡ଼ଖଣ୍ଡ ଆଦିବାସୀଙ୍କ ଦ୍ୱାରା ପ୍ରାୟ ଦୁଇ ବର୍ଷ ଧରି ଜାରି ରହିଥିବା ‘ପତ୍ଥଲ୍‌ଗଡ଼ି’ରୁ ଏହା ସୀମାନ୍ତବର୍ତ୍ତୀ ସୁନ୍ଦରଗଡ଼ ଜିଲ୍ଲାକୁ ସଂକ୍ରମିତ ହେବାରେ ଲାଗିଛି ବୋଲି ତଥାଭିଜ୍ଞ ମହଲ ଆଶଙ୍କା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ବିଜେପି ସରକାର ‘ସଂଶୋଧିତ ମୂଳ ବାସିନ୍ଦା ଆଇନ’ ଏବଂ ‘ଛୋଟନାଗପୁର ଓ ସାନ୍ତାଳ ପ୍ରଗଣା ପ୍ରଜାସ୍ୱତ୍ୱ ଆଇନ’ ଓ ସର୍ବୋପରି ସଂଶୋଧିତ ଜମି ଅଧିଗ୍ରହଣ ନୀତି ପ୍ରଣୟନ କରିବା ମାତ୍ରେ ଆଦିବାସୀମାନେ ଆରମ୍ଭରୁ ଏହାକୁ ବିରୋଧ କରିଆସିଛନ୍ତି। ସରକାରଙ୍କୁ ବିରୋଧ କରିବା ପାଇଁ ସେମାନେ ଗାଁ ଗାଁରେ ଜାରି ରଖିଛନ୍ତି ‘ପତ୍ଥଲଗଡ଼ି’। ଅର୍ଥାତ ଗାଁ ସୀମାରେ ବଡ଼ ବଡ଼ ପଥର ପୋତି ମୁଖ୍ୟତଃ ସରକାରୀ କର୍ମଚାରୀଙ୍କ ପ୍ରବେଶ ନିଷେଧ କରୁଛନ୍ତି। ସେମାନଙ୍କ ଦାବି ହେଲା-ସେମାନେ ହିଁ ଗାଁର ସାର୍ବଭୌମ କର୍ତ୍ତୃପକ୍ଷ। ଅର୍ଥାତ ଗାଁରେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଆଇନ ଚଳିବ ନାହିଁ। ସୁନ୍ଦରଗଡ଼ ସୀମାନ୍ତବର୍ତ୍ତୀ ଝାଡ଼ଖଣ୍ଡର ଖୁଣ୍ଟି, ସିମ୍‌ଡ଼େଗା ଆଦି ଜିଲ୍ଲାରେ ପତ୍ଥଲଗଡ଼ି ବିପ୍ଳବର ରୂପ ନେଇଥିବା ବେଳେ ଆଇନ-ଶୃଙ୍ଖଳା ପରିସ୍ଥିତି ଉପୁଜିବା ଭୟରେ ସମ୍ପୃକ୍ତ ଗ୍ରାମାଞ୍ଚଳକୁ ପୁଲିସ୍‌ ପଶିବାକୁ ସାହସ କରୁନାହାନ୍ତି। ଏହାର ସଦ୍ୟ ଦୃଷ୍ଟାନ୍ତ ହେଲା-ସନ୍ଦିଗ୍ଧ ପତ୍ଥଲଗଡ଼ି ସପକ୍ଷବାଦୀଙ୍କ ଦ୍ୱାରା ସ୍ୱେଚ୍ଛାସେବୀ ସଂଗଠନର ୫ ଜଣ ବାଳିକା ଦୁଷ୍କର୍ମର ଶିକାର ହେବା। ନାଟକ ଜରିଆରେ ନାବାଳିକା ଓ ମହିଳା ଚାଲାଣ ବିରୋଧୀ ସଚେତନତା ସୃଷ୍ଟି ନିମନ୍ତେ ଗତ ମ୍ଗଳବାର ୧୧ ଜଣ ସ୍ୱେଚ୍ଛାସେବୀ ଖୁଣ୍ଟି ଜିଲ୍ଲା କୋଚାଙ୍ଗ୍‌ ଗ୍ରାମକୁ ଯାଇଥିଲେ। ସେମାନେ ସ୍କୁଲରେ ପହଞ୍ଚି ଅଭିନୟ ଆରମ୍ଭ କରୁଥିବା ବେଳେ ୫ ଜଣ ଯୁବକ ସେଠାରେ ପହଞ୍ଚି ପିସ୍ତଲ ଦେଖାଇ ବାଳିକାମାନଙ୍କୁ ଅପହରଣ କରିଥିଲେ। ନିକଟବର୍ତ୍ତୀ ଜଙ୍ଗଲରେ ସେମାନଙ୍କୁ ବଳାତ୍କାର କରିବା ସହ ଭିଡ଼ିଓ ଚିତ୍ର ଉତ୍ତୋଳନ କରିଥିଲେ। ତିନି ଘଣ୍ଟା ପରେ ପୀଡ଼ିତାମାନଙ୍କୁ ପୁଣି ସେହି ସ୍କୁଲ ନିକଟରେ ଛାଡ଼ିବା ବେଳେ ବଳାତ୍କାରୀମାନେ କହିଥିଲେ ‘ବିନାନୁମତିରେ ଗାଁରେ ପ୍ରବେଶ କରିବାରୁ ସେମାନଙ୍କୁ ଏହି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଲା’। ଝାଡ଼ଖଣ୍ଡ ପୁଲିସ୍‌ର ପ୍ରାଥମିକ ତଦନ୍ତ ଅନୁଯାୟୀ ବଳାତ୍କାରୀମାନେ ନିଷିଦ୍ଧ ଘୋଷିତ ପିପୁଲ୍ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ)ର ସଦସ୍ୟ। ସରଳ ଆଦିବାସୀମାନଙ୍କୁ ଢାଲ କରି ପୁଲିସ୍‌ ଆକ୍ରମଣ କିମ୍ବା ଗିରଫଦାରୀରୁ ବର୍ତ୍ତିବା ପାଇଁ ବାମ ଉଗ୍ରବାଦୀମାନେ ସୁପରିକଳ୍ପିତ ପତ୍ଥଲଗଡ଼ି କୌଶଳ ଆପଣେଇଛନ୍ତି।

ଝାଡ଼ଖଣ୍ଡର ବ୍ୟାପକ ଅନୁସୂଚତ ଅଞ୍ଚଳରେ ପତ୍ଥଲଗଡ଼ି କୌଶଳ ଜାରି ରହିଥିବା ବେଳେ ସ୍ୱଳ୍ପ ସମୟ ମଧ୍ୟରେ ତାହା ସୀମାନ୍ତ ସୁନ୍ଦରଗଡ଼ର ୨୫୦ ଗ୍ରାମକୁ ସଂକ୍ରମିତ ହେବା ସ୍ପର୍ଶକାତର ପରିସ୍ଥିତି ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକଦା ଝାଡ଼ଖଣ୍ଡୀ ନକ୍ସଲ ଓ ପିଏଲ୍‌ଏଫ୍‌ଆଇଙ୍କ ଉପଦ୍ରବ ଆତଙ୍କ ସୃଷ୍ଟି କରିଥିଲା। ଓଡ଼ିଶାରେ ହିଂସାକାଣ୍ଡ ଘଟାଇ ସେମାନ ଝାଡ଼ଖଣ୍ଡର ଦୁର୍ଗମ ଜଙ୍ଗଲକୁ ଖସିଯାଉଥିଲେ। କିଛି ବର୍ଷ ଧରି ଓଡ଼ିଶା-ଝାଡ଼ଖଣ୍ଡ ପୁଲିସ୍‌ ମଧ୍ୟରେ ଗୋଇନ୍ଦା ତଥ୍ୟ ଆଦାନ-ପ୍ରଦାନ ଓ ଉଭୟପଟୁ ଏକ ସମୟରେ କମ୍ବିଂ ଅଭିଯାନ ଜାରି ରହିବାରୁ ବାମ ଉଗ୍ରବାଦୀଙ୍କ ଉପଦ୍ରବ ପୂର୍ବ ପରି ନାହିଁ। ତେବେ ଝାଡ଼ଖଣ୍ଡରେ ପତ୍ଥଲଗଡ଼ି ଓ ସୁନ୍ଦରଗଡ଼ରେ ଗଢ଼ି ଉଠୁଥିବା ପେସା ଗ୍ରାମସଭା ଜରିଆରେ ନକ୍ସଲ ଓ ପିଏଲ୍‌ଏଫ୍‌ଆଇମାନେ ଯେ ପୁଣି ସକ୍ରିୟ ନହେବେ-ସେଭଳି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

ସମ୍ବନ୍ଧିତ ଖବର