କୀଟନାଶକ ଫିଙ୍ଗା ଘଟଣା : କୃଷି ଏବଂ ପ୍ରଦୂଷଣ ବୋର୍ଡର ତଦନ୍ତ ଆରମ୍ଭ

୬ ନମୁନା ପରୀକ୍ଷା ପାଇଁ ଗଲା

ରାୟଗଡା : ନାଗାବଳୀ ନଈ କୂଳରେ ବିପୁଳ ପରିମାଣର କୀଟନାଶକ ଫୋପାଡ଼ି ଦିଆଯିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଆଜି କୃଷି ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଯାଇ ସ୍ଥିତି ପରଖିଛନ୍ତି। ତେବେ କିଏ ଏଭଳି କରିଛି ଏବଂ ଏଥିରେ ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତି ଅଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିନି। ବିଭାଗୀୟ ଅଧିକାରୀ ଏବଂ ବ୍ୟବସାୟୀମାନେ ଏବେ ହାତ ଝାଡ଼ି ବସି ପଡିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଚକଡା ଚଡକ ପରେ ନକଲି କୀଟନାଶକ ଚାଷୀଙ୍କୁ ବିକ୍ରି ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ରାୟଗଡା ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିବାରୁ ଗତ ୧୫ତାରିଖ ଦିନ ହଠାତ୍‌ କୃଷି ବିଭାଗ ପକ୍ଷରୁ ଚଢାଉ ଆରମ୍ଭ ହୋଇଥିଲା। ଦୋକାନରୁ କୃଷି ବିଭାଗ ଏନିଡା କ୍ଲୋରପାଇ ସମେତ ୫ଟି କୀଟନାଶକ ଔଷଧର ନମୁନା ସଂଗ୍ରହ କରିଥିଲା। କିନ୍ତୁ କୃଷି ବିଭାଗକୁ ନକଲି ଔଷଧ କେଉଁଠାରେ ବି ମିଳି ନଥିଲା। କିନ୍ତୁ ଅଚାନକ ଭାବେ ଗତକାଲି ବିପୁଳ ପରିମାଣର କୀଟନାଶକ ଔଷଧ ନାଗାବଳୀ ନଦୀ କୂଳରେ ପଡିଥିବା ଦେଖିବାକୁ ମିଳିଥିଲା। ଏହି ଔଷଧ କାହାର, କିଏ ଏଠାରେ ଆଣି ଫୋପାଡିଲା ଜଣାପଡିଲା ନାହିଁ। ଫୋପଡା ଯାଇଥିବା ଔଷଧର ମୂଲ୍ୟ ପ୍ରାୟ ୨୫ଲକ୍ଷ ଟଙ୍କା ହେବ। ଅଧିକାଂଶ କୀଟନାଶକ ତାମିଲନାଡ଼ୁ ଏବଂ ହାଇଦ୍ରାବାଦ ଅଞ୍ଚଳରେ ପ୍ରସ୍ତୁତ କରାଯାଇଥିବା ପ୍ୟାକେଟ ଉପରେ ଉଲ୍ଲେଖ ହୋଇଛି। ତେବେ ତାହା ଅସଲି ନା’ ନକଲି ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଅପରପକ୍ଷରେ ନଦୀ କୂଳରେ ଔଷଧ ପଡିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବିଷାକ୍ତ ଔଷଧ ହୋଇଥିବାରୁ ନଦୀରେ ମିଶିଲେ ପରିସ୍ଥିତି ଭୟଙ୍କର ହେବ ବୋଲି କୁହାଯାଉଛି।

କିନ୍ତୁ ଘଟଣାର ୨୪ଘଣ୍ଟା ପରେ ବି ପ୍ରଶାସନ ଚିହ୍ନଟ କରିପାରିଲା ନାହିଁ ଏହି ଔଷଧ କାହାର। ଏହି ସଂପର୍କରେ କୃଷି ବିଭାଗ ଉପନିର୍ଦେଶକ ରବିନ୍ଦ୍ର ଖୁଣ୍ଟିଆ କହିଛନ୍ତି ଯେ ଚାଷୀଙ୍କୁ ଦେବା ପାଇଁ ଉକ୍ତ ଔଷଧ ଗୁଡ଼ିକ କିଣାଯାଇ ନାହିଁ। ଔଷଧର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ମିଳିବା ପରେ ତାହା ଅସଲି ନା’ ନକଲି ଜଣାପଡିବ ବୋଲି କହିଛନ୍ତି। ଏହାସହ ଉଦ୍ୟାନ ଓ ଜଂଗଲ ବିଭାଗ କର୍ତ୍ତୃପକ୍ଷ ଔଷଧ ତାଙ୍କର ନୁହଁ ବୋଲି ରୋକଠୋକ ମନା କରି ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେବାକୁ ଉଦ୍ୟମ କରୁଛନ୍ତି।

ଆଜି ପୂର୍ବାହ୍ନରେ ସ୍ଥାନୀୟ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହକାରୀ ଯନ୍ତ୍ରୀ ରାକେଶ ମହାନ୍ତି ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ନାଗାବଳୀ ନଦୀ ଠାରୁ ୫୦ମିଟର ଦୂରରେ କୀଟ ନାଶକ ପଡ଼ିଥିବାରୁ ନଦୀରେ ମିଶିଲେ ଜଳ ବିଷାକ୍ତ ହେବା ସମ୍ଭାବନା ରହିଛି। ତେଣୁ ଉଠାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏଥିପାଇଁ କୃଷି ବିଭାଗକୁ ନିର୍ଦେଶ ଦିଆଯାଇଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର