ଭୁବନେଶ୍ୱରରେ ପେଟ୍ରୋଲ ୭୯ ଟପିଲା

ଭୁବନେଶ୍ୱର : ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ୭୯ ଟଙ୍କା ଟପିଯାଇଛି। ଶନିବାର ପାଇଁ ପେଟ୍ରୋଲ ଦର ୭୯ ଟଙ୍କା ୨୪ ପଇସା ହୋଇଛି। ଶୁକ୍ରବାର ତୁଳନାରେ ଏଥିରେ ୩୯ ପଇସା ବୃଦ୍ଧି ଘଟିଛି। ଦୁଇଦିନ ଭିତରେ ପେଟ୍ରୋଲ ଦର ୮୬ ପଇସା ମହଙ୍ଗା ହୋଇଯାଇଛି। ସେହିଭଳି ଶନିବାର ପାଇଁ ଡିଜେଲ ମୂଲ୍ୟ ୭୭ ଟଙ୍କା ୮୦ ପଇସା ହୋଇଛି। ଶୁକ୍ରବାର ଦର ତୁଳନାରେ ଏଥିରେ ୪୭ ପଇସା ବୃଦ୍ଧି ହୋଇଛି। ଚଳିତମାସର ୮ ଦିନ ଭିତରେ ପେଟ୍ରୋଲ ମୂଲ୍ୟ ୧ ଟଙ୍କା ୬୯ ପଇସା ବଢ଼ିଗଲାଣି। ସେହିଭଳି ଡିଜେଲ ଦର ଏହି ସମୟ ମଧ୍ୟରେ ୨ ଟଙ୍କା ୨୫ ପଇସା ବଢ଼ିଗଲାଣି। ପେଟ୍ରୋଲ ଏବଂ ଡିଜେଲ ଦର ଖୁବ୍‌ଜୋରରେ ବଢ଼ି ଚାଲିଥିଲେ ମଧ୍ୟ ଖାଉଟିଙ୍କୁ ରିହାତି ଦେବା ଲାଗି ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।

ଆଜି ଆଇସିଟି-ଆଇଓସି ଓଡ଼ିଶାର ପ୍ରଥମ ବ୍ୟାଚ୍‌ ଆରମ୍ଭ ପାଇଁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତେଲକୁ ଜିଏସ୍‌ଟି ପରିସରକୁ ଆଣିବା ଲାଗି ତାଙ୍କର ପୂର୍ବ ମତକୁ ଦୋହରାଇଛନ୍ତି। ତେବେ ତେଲ ଦର ବୃଦ୍ଧି ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ଅନ୍ତର୍ଜାତୀୟ ସ୍ତରର ରାଜନୈତିକ ଓ ଅର୍ଥନୈତିକ କାରଣକୁ ଦାୟୀ କରିଛନ୍ତି। କେବଳ କେନ୍ଦ୍ର ଟିକସ କମାଇଦେଲେ ଏହି ସମସ୍ୟାର ସମାଧାନ ହୋଇଯିବ ନାହିଁ। ଓଡ଼ିଶା ସରକାର ଟିକସ ବୃଦ୍ଧି କରି ପ୍ରାୟ ୭୦୦୦ କୋଟିର ଅଧିକ ଆୟ କରିଛନ୍ତି। ରାଜ୍ୟ ଟିକସ କମାଇଲେ ପେଟ୍ରୋଲ ଏବଂ ଡିଜେଲ ଦରବୃଦ୍ଧି ପ୍ରଭାବରୁ ଖାଉଟିଙ୍କୁ ଆଶ୍ୱସ୍ତି ମିଳିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର