ଏସ୍‌ସିବି ପିଜି ଡାକ୍ତରଙ୍କ ଆନ୍ଦୋଳନ ତୃତୀୟ ଦିନରେ

କଳାବ୍ୟାଜ୍‌ ପିନ୍ଧି ସମର୍ଥନ ଜଣାଇଲା ହାଉସ ସର୍ଜନ ସଂଘ

କଟକ : ଏସ୍‌ସିବି ମେଡିକାଲ୍‌ର ପିଜି ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ତୃତୀୟ ଦିନରେ ମଧ୍ୟ ପିଜି ଡାକ୍ତରମାନେ ସେମାନଙ୍କ ଜିଦ୍‌ରେ ଅଟଳ ରହିଛନ୍ତି। ସେମାନଙ୍କୁ ସମର୍ଥନ ଦେବାକୁ ଆଜିଠାରୁ ହାଉସ ସର୍ଜନ ସଂଘ ଆଗକୁ ଆସିଛି। ଆଜିଠାରୁ କଳାବ୍ୟାଜ ପରିଧାନ କରି ହାଉସ ସର୍ଜନମାନେ ଡ୍ୟୁଟି କରିବେ ବୋଲି ସଭାପତି ପ୍ରସନ୍ନଜିତ ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ପିଜି ଡାକ୍ତରଙ୍କ ଏକ ପ୍ରତିନିଧି ଦଳ ଆଜି ଆର୍‌ଡିସିଙ୍କୁ ସାକ୍ଷାତ କରି ଘଟଣା ବିଷୟରେ ଆଲୋଚନା କରିଛନ୍ତି। ଅନ୍ୟପଟେ ପିଜି ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ସ୍ୱାସ୍ଥ୍ୟସେବାରେ ଯେପରି କୌଣସି ପ୍ରଭାବ ନପଡେ ସେଥିପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ୪ଜଣ ପେରିଫେରି କ୍ୟାଡରର ଡାକ୍ତର ଏସ୍‌ସିବି ମେଡିକାଲ୍‌ରେ ପହଞ୍ଚିଛନ୍ତି। ପର୍ଯ୍ୟାୟକ୍ରମେ ଅଧିକ ଡାକ୍ତରଙ୍କୁ ଏଠାରେ ନିୟୋଜିତ କରାଯାଇ ଜରୁରିକାଳୀନ ସେବାକୁ ତ୍ୱରାନ୍ଵିତ କରିବାକୁ ଯୋଜନା ରହିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏସ୍‌ସିବି ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପିଜି ଡାକ୍ତରମାନେ ୧୯ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସମ୍ବନ୍ଧିତ ଖବର