ରକ୍ତ ଦେଇ ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ଫାର୍ମାସିଷ୍ଟ

ମାଥିଲି: ଦେବଦୂତ ପାଲଟିଲେ ଫାର୍ମାସିଷ୍ଟ । ରକ୍ତ ଦେଇ ଅପରିଚିତ ମହିଳାଙ୍କୁ ମରଣ ମୁହଁରୁ ଉଦ୍ଧାର କରିଛନ୍ତି ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ସମୀର କୁମାର ତ୍ରିପାଠୀ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ମାଥିଲିରୁ ଏଭଳି ଏକ ଖବର ଆସିଛି । ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ବଡ ରେଙ୍ଗାବେଡା ଗାଁ ର ରଘୁ ଦୁରୁଆଙ୍କ ସ୍ତ୍ରୀ ମଙ୍ଗୁଳି ପ୍ରସବ ଯନ୍ତ୍ରଣାରେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେ ଜଣେ ଶିଶୁକୁ ମଧ୍ୟ ଜନ୍ମ ଦେଇଥିଲେ । କିନ୍ତୁ ଅଧିକ ରକ୍ତସ୍ରାବ ହେବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା । ମଙ୍ଗୁଳିଙ୍କୁ ଏ ପଜିଟିଭ ରକ୍ତର ଆବଶ୍ୟକ ରହିଥିଲା ।

କିନ୍ତୁ ଟଙ୍କା ଅଭାବରୁ ରକ୍ତ ସଂଗ୍ରହ କରିବା ତାଙ୍କ ସ୍ୱାମୀଙ୍କ ପକ୍ଷେ ସମ୍ଭବ ନଥିଲା । ଏହି ଖବର ପାଇବା ପରେ ଖଇରପୁଟର ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ସମୀର ରକ୍ତ ଦେବାକୁ ଆଗେଇ ଆସିଥିଲେ | ଜୀବନ ମରଣର ସଂଘର୍ଷ ମଧ୍ୟରେ ଦେବଦୂତ ସାଜି ସମୀର ପହଁଚିଯାଇଥିଲେ |

ମାଲକାନଗିରି ଯାଇ ରକ୍ତ ଦେଇ ପୁଣି ମାଥିଲିକୁ ଠିକ୍ ସମୟରେ ଆଣି ଆଦିବାସୀ ପ୍ରସୂତିଙ୍କ ଜୀବନ ରକ୍ଷା କରିଥିଲେ । ରକ୍ତ ଦେବା ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି । ଫାର୍ମାସିଷ୍ଟ ସମୀର କୁମାରଙ୍କର ଏହି କାର୍ଯ୍ୟକୁ ନେଇ ଏବେ ସାରା ଅଂଚଳରେ ଚର୍ଚ୍ଚା ଜୋର ଧରିଛି | କାରଣ ଜଣେ ଅପରିଚିତଙ୍କ ଜୀବନ ବଞ୍ଚାଇବା ପାଇଁ ସମୀରଙ୍କ ଏହି ପ୍ରୟାସ ରଘୁ ଦୁରୁଆଙ୍କ ପରିବାରକୁ ନୂଆ ଆଶାର କିରଣ ଦେଇଛି |

ସମ୍ବନ୍ଧିତ ଖବର