ରେଭେନ୍ସାରେ ବାପୁଜୀଙ୍କ ଜୀବନୀ ଆଧାରିତ ପ୍ରଦର୍ଶନୀ ଉଦ୍‌ଘାଟିତ

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅନ୍ତର୍ଗତ ବ୍ୟୁରୋ ଅଫ୍ ଆଉଟରିଚ୍ କମ୍ୟୁନିକେସନ ପକ୍ଷରୁ ଆୟୋଜିତ ମଲ୍ଟିମିଡିଆ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଛି। କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି। ଶ୍ରୀ ମହତାବ ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ କରିବା ସହ ଓଡ଼ିଶା ସହିତ ତାଙ୍କ ସମ୍ପର୍କକୁ ସ୍ମରଣ କରିଥିଲେ। ଏହି ଅବସରରେ ଏକ ସଚେତନତା ରାଲି ପ୍ରଦର୍ଶନୀ ପ୍ରାଙ୍ଗଣରୁ ବାହାରି ବିଶ୍ବବିଦ୍ୟାଳୟ ପରିସର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରା ମାଧ୍ୟମରେ ସ୍ବଚ୍ଛ ଭାରତ, ସବୁଜ ଭାରତ ଏବଂ ଏକକ ପ୍ଲାଷ୍ଟିକର ବ୍ୟବହାର ବର୍ଜନ କରିବା ନିମନ୍ତେ ସଚେତନତା ସୃଷ୍ଟି କରାଯାଇଥିଲା।

ଉଦ୍‌ଘାଟନୀ ସମାରୋହରେ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଈସାନ କୁମାର ପାତ୍ର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଓ ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର (ଓଡ଼ିଶା) ଶୈଳେଶ କୁମାର ମାଲବ୍ୟ, ଆଂଚଳିକ ଜନସମ୍ପର୍କ ବ୍ୟୁରୋର ନିେର୍ଦ୍ଦଶକ ଅଖିଳ କୁମାର ମିଶ୍ର, ରେଭେନ୍ସାର କୁଳସଚିବ ଅଶୋକ କୁମାର ଦାସ, କଟକର ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ତାୟତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସାରା ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ ହେଉଥିବା ବେଳେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଅବସରରେ ବିଭିନ୍ନ ଗଣମାଧ୍ୟମ ପ୍ରଚାର ଅଭିଯାନ ଆୟୋଜନ କରାଯାଉଛି। ରେଭେନ୍ସା ବିଶ୍ବବିଦ୍ୟାଳୟରେ ଆୟୋଜିତ ଏହି ପ୍ରଦର୍ଶନୀ ଆସନ୍ତା ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଏହି ପ୍ରଦର୍ଶନୀରେ ବାପୁଙ୍କ ଜୀବନୀ, ଦର୍ଶନ ଓ ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକାକୁ ପ୍ରଦର୍ଶିତ କରାଯିବ। ଏହି ପ୍ରଦର୍ଶନୀ ଲାଗି ଉଭୟ ପାରମ୍ପରିକ ଏବଂ ଡିଜିଟାଲ ମାଧ୍ୟମର ଉପଯୋଗ କରାଯିବ। ଏହାଛଡ଼ା କର୍ମଶାଳା, ଆଲୋଚନାଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ‘ସ୍ବଚ୍ଛତା ହି ସେବା’ର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯିବ। ଏଥିରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନସ୍ଥ ପତ୍ର ସୂଚନା କାର୍ଯ୍ୟାଳୟ, ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ରର ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର